Advertisment

ଅର୍ଜୁନ ପୁରସ୍କାର ଦୌଡ଼ରେ ମହମ୍ମଦ ଶାମି

ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲେ ହେଁ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲା। ଶାମି ୭ଟି ମ୍ୟାଚ୍‌ରେ ୨୪ ୱିକେଟ ନେବାର ରେକର୍ଡ ମଧ୍ୟ କରିଥିଲେ।

author-image
Hemant Lenka
Shami

Shami

ବିଶ୍ୱକପରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା ସ୍ପିଡଷ୍ଟାର ମହମ୍ମଦ ଶାମିଙ୍କୁ ଚଳିତ ବର୍ଷ ମିଳିପାରେ ଅର୍ଜୁନ ପୁରସ୍କାର। ଏହି ସମ୍ମାନଜନକ ପୁରସ୍କାର ପାଇଁ ଶାମିଙ୍କ ନାଁକୁ ବିସିସିଆଇ ସୁପାରିସ କରିଛି।

Advertisment

୩୩ ବର୍ଷୀୟ ଶାମି ନିଜ ବୋଲିଂ ଦ୍ୱାରା ବିଶ୍ୱକପରେ ସମସ୍ତଙ୍କୁ ଚକିତ କରିଥିଲେ। ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲେ ହେଁ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିଲା। ଶାମି ୭ଟି ମ୍ୟାଚ୍‌ରେ ୨୪ ୱିକେଟ ନେବାର ରେକର୍ଡ ମଧ୍ୟ କରିଥିଲେ।

ଏଥିପାଇଁ ବିସିସିଆଇ ତାଙ୍କ ନାଁକୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଦେଶର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ପଠାଯାଇଥିବା ପ୍ରଥମ ତାଲିକାରେ ଶାମିଙ୍କ ନାଁ ନଥିଲା। କିନ୍ତୁ ବିସିସିଆଇ ଏବେ କ୍ରୀଡ଼ା ମନ୍ତ୍ରଣାଳୟକୁ ଶାମିଙ୍କ ନାଁ ପୁରସ୍କାର ଦୌଡ଼ରେ ରଖିବାକୁ ସ୍ୱତନ୍ତ୍ର ଅନୁରୋଧ ପଠାଥିବା ଜଣାପଡ଼ିଛି। ମନ୍ତ୍ରଣାଳୟ ଏହା ଉପରେ ମୋହର ମାରିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ମନ୍ତ୍ରଣାଳୟ ଚଳିତ ବର୍ଷର କ୍ରୀଡ଼ା ସମ୍ମାନ ପାଇଁ ୧୨ ଜଣିଆ କମିଟି ଗଠନ କରିଛି। ଏହି କମିଟି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ଆୱାର୍ଡ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛିବେ। କମିଟିର ନେତୃତ୍ୱ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ନେବେ।

ତାଙ୍କ ବ୍ୟତୀତ ପୂର୍ବତନ ହକି ଖେଳାଳି ଧନରାଜ ପିଲ୍ଲେ, ପୂର୍ବତନ ପ୍ୟାଡେଲର କମଲେଶ ମେହେତା, ପୂର୍ବତନ ବକ୍ସର ଅଖିଲ କୁମାର, ମହିଳା ଶୁଟର ତଥା ବର୍ତ୍ତମାନର କୋଚ ଶୁମା ଶିରୁର, ପୂର୍ବତନ କ୍ରିକେଟର ଅଞ୍ଜୁମ ଚୋପ୍ରା, ବ୍ୟାଡମିଣ୍ଟନ ଖେଳାଳି ତ୍ରିପ୍ତୀ ମୁରୁଗୁଣ୍ଡେ ଓ ପାୱାର ଲିଫ୍ଟର ଫରମନ ପାଶା ରହିଛନ୍ତି।

ବିଶ୍ୱକପରେ ଭାରତ କ୍ରମାଗତ ୧୦ ମ୍ୟାଚ୍‌ ଜିତିଥିଲା। କିନ୍ତୁ ଶାମି ପ୍ରଥମ ୪ ମ୍ୟାଚ୍‌ ଖେଳି ନଥିଲେ। ହାର୍ଦ୍ଦିକ ପାଣ୍ତ୍ୟା ଆହତ ହେବାରୁ ଟିମ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଥିଲା।

ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ଶାମି ଟିମକୁ ଫେରିଥିଲେ। ପ୍ରଥମ ମ୍ୟାଚ୍‌ରୁ ହିଁ ଶାମି ନିଜର ଜଲୱା ଦେଖାଇଥିଲେ। ଏଥିସହ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ମଧ୍ୟ ବନି ଯାଇଥିଲେ।

ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ଅନେକ ବରିଷ୍ଠ ଖେଳାଳି ବିଶ୍ରାମ ନେଇଛନ୍ତି। ଶାମି ମଧ୍ୟ ଏବେ ରିହ୍ୟାବରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଦୁଇ ଟିକିଆ ଟେଷ୍ଟ ସିରିଜ ବେଳକୁ ସେ ଦଳକୁ ଫେରିବେ।

ପ୍ରଥମ ଟେଷ୍ଟ ସେଞ୍ଚୁରିଅନରେ ଖେଳାଯିବାକୁ ଥିବା ବେଳେ ଜାନୁଆରୀ ୩ରୁ କେନ ଟାଉନରେ ଦ୍ୱିତୀୟ ଟେଷ୍ଟ ଅନୁଷ୍ଠିତ ହେବ।

Indian Cricket Team Cricket Mohammed Shami