/odisha-reporter/media/post_attachments/uploadimage/library/16_9/16_9_0/Shami_1707309927.jpg)
Shami
ଦିନିକିଆ ବିଶ୍ୱକପ ଫାଇନାଲ ପରଠାରୁ ଆଉ କ୍ରିକେଟ ମୈଦାନରେ ନଜର ଆସୁ ନାହାନ୍ତି ମହମ୍ମଦ ଶାମି। ଆହତ କାରଣରୁ କ୍ରିକେଟ ଠାରୁ ଦୂରରେ ଅଛନ୍ତି।ଶାମି ବିଶ୍ୱକପର ପ୍ରଥମ ୪ ମ୍ୟାଚ ଖେଳି ନଥିଲେ ମଧ୍ୟ ଶାମି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ଦଖଲକାରୀ ହୋଇଥିଲେ।
ସେ ୨୪ଟି ୱିକେଟ ନେଇଥିଲେ। ଭାରତ ପୂରା ବିଶ୍ୱକପରେ ଭଲ ଖେଳି ଥିଲେ ମଧ୍ୟ ଫାଇନାଲରେ ଦଳକୁ ହାରିବାକୁ ପଡ଼ିଥିଲା। ଫାଇନାଲ ପରାଜୟକୁ ଆଜି ଯାଏ ମଧ୍ୟ ଲୋକମାନେ ଭୁଲି ପାରି ନାହାନ୍ତି। ପରାଜୟ ପରେ ଭାରତୀୟ ଖେଳାଳିମାନେ ମର୍ମାହତ ହୋଇଥିଲେ।
ସବୁ ଖେଳାଳି ଡ୍ରେସିଂ ରୁମରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ପାଖକୁ ଯାଇଥିଲେ। ଏଥିସହ ଖେଳାଳିମାନଙ୍କ ସହ ସେ କଥା ହୋଇଥିଲେ। ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ ମୋଦି କ’ଣ ସବୁ କହିଥିଲେ ଏବେ ତା’ ଉପରୁ ପରଦା ହଟାଇଛନ୍ତି ମହମ୍ମଦ ଶାମି।
ଶାମି କହିଛନ୍ତି, “ଯେତେବେଳେ ଆମ ହୃଦୟ ଭାଙ୍ଗିଥିଲା ଆମେ କାନ୍ଦୁ ଥିଲୁ, ଆମେ ଖାଇ ନଥିଲୁ ସେତେବେଳେ ମୋଦିଜୀ ଆସିଥିଲେ। ସେ ଆମକୁ ବିଶ୍ୱାସ ଦେଇଥିଲେ। ସେ କହିଥିଲେ ଯେ ଆପଣମାନେ ସମସ୍ତେ ବହୁତ ଭଲ ଖେଳିଛନ୍ତି। ଆମେ ଆପଣମାନଙ୍କ ସହ ଅଛୁ। ପୂରା ଭାରତ ଆପଣମାନଙ୍କ ସହ ରହିଛି ବୋଲି ସେ କହିଥିଲେ। ଆପଣ ଯେତେବେଳେ ଏମିତି କଥା ଶୁଣନ୍ତି ସେତେବେଳେ ନିଶ୍ଚିତ ଭାବେ ଖୁସି ଓ ଆଶ୍ୱସ୍ତ ଅନୁଭବ କରନ୍ତି।”
ଏହାପୂର୍ବରୁ ଆଉ ଏକ ସାକ୍ଷାତକାରରେ ଶାମି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଅତର୍କିତ ଭାବେ କାହାକୁ କିଛି ନ କହି ଡ୍ରେସିଂ ରୁମକୁ ଚାଲି ଆସିଥିଲେ। ଏହାକୁ ଦେଖି ଖେଳାଳିମାନେ ମଧ୍ୟ ଚକିତ ହୋଇ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
