Advertisment

ଚାମ୍ପିୟନ୍ସ ଟ୍ରଫି: ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ନେବାର ଥିଲା କି?

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ସ୍କ୍ୱାଡରେ ପେସ ବୋଲିଂର କମାଣ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅର୍ଶଦୀପ ସିଂହଙ୍କ ହାତରେ ରହିବ। ଏମାନଙ୍କୁ ସହଯୋଗ କରିବାକୁ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି।

author-image
Hemant Lenka
Jadeja

Jadeja

ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନର ଅଧିକାର ପାଇଛି। କିନ୍ତୁ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳିବ। ହାଇବ୍ରିଡ୍ ମଡେଲରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ପାଇଁ ଦୁଇ ଦିନ ତଳେ ବିସିସିଆଇ ୧୫ ଜଣିଆ ଭାରତୀୟ ଟିମ ଘୋଷଣା କରିଛି। ଏଥିରେ ୪ ସ୍ପିନର ଓ ୩ ପେସର ରହିଛନ୍ତି।

Advertisment

ହାର୍ଦ୍ଦିକ ପାଣ୍ଡ୍ୟା ପେସ୍‌ ଅଲରାଉଣ୍ତର ଭାବେ ଦଳରେ ସ୍ଥାନ ପାଇଛନ୍ତି। ଅନେକ ଷ୍ଟାର ଓ ଯୁବ ଖେଳାଳି ୧୫ ଜଣିଆ ସ୍କ୍ୱାଡରେ ନାହାନ୍ତି। କିନ୍ତୁ ସବୁଠାରୁ ଚର୍ଚ୍ଚାରେ ରହିଛି ମହମ୍ମଦ ସିରାଜଙ୍କ ନାଁ। ୨୦୨୩ ଦିନିକିଆ ବିଶ୍ୱକପ ଠାରୁ ଆରମ୍ଭ କରି ୨୦୨୪ ଟି-୨୦ ବିଶ୍ୱକପ ଓ ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜ ରହି ଆସୁଥିଲେ। ଏସିଆ କପରେ ମଧ୍ୟ ଭାରତକୁ ଚାମ୍ପିୟନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଘାତକ ବୋଲିଂ ସମସ୍ତଙ୍କର ମନେ ଅଛି। ସିରାଜ ବେଶ କିଛି ବର୍ଷ ହେଲାଣି ଭାରତୀୟ ଦଳର ନିୟମିତ ସଦସ୍ୟ ରହି ଆସିଛନ୍ତି। କିନ୍ତୁ ହଠାତ୍‌ ଚାମ୍ପିୟନ୍ସ ଟ୍ରଫିର ୧୫ ଜଣିଆ ସ୍କ୍ୱାଡରୁ ତାଙ୍କୁ ବାଦ ଦେବା ସମସ୍ତଙ୍କୁ ଚକିତ କରିଛି। ୨୦୨୨ରୁ ଭାରତ ପାଇଁ ନିୟମିତ ଦିନିକିଆ କ୍ରିକେଟ ଖେଳି ଆସୁଥିବା ସିରାଜ ଏଯାଏ ୪୩ଟି ଦିନିକିଆରେ ୭୧ଟି ୱିକେଟ ନେଇଛନ୍ତି। ସେ ଗୋଟିଏ ଥର ୫ଟି ୱିକେଟ ନେଇଥିବା ବେଳେ ତାଙ୍କ ବୋଲିଂ ହାର ୨୨.୯୭ ରହିଛି। 

Advertisment

ସେହିପରି ଫେବୃଆରୀ-ମାର୍ଚ୍ଚରେ ଭାରତ ଦୁବାଇରେ ମ୍ୟାଚ୍‌ ଖେଳିବ। ସେଠାକାର ପାଗ ପେସ୍‌ ବୋଲରଙ୍କୁ ସୁହାଇବ। ତଥାପି ଭାରତ ସିରାଜଙ୍କ ଭଳି ଜଣେ ଦକ୍ଷ ପେସରଙ୍କୁ ବାଦ ଦେବା କ୍ରିକେଟ ପଣ୍ଡିତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟି-୨୦ରୁ ଅବସର ନେଇ ସାରିଥିବା ରବୀନ୍ଦ୍ର ଜାଡେଜା ସ୍କ୍ୱାଡରେ ସ୍ଥାନ ପାଇବା ମଧ୍ୟ ଗୋଟିଏ ଅପ୍ରତ୍ୟାଶିତ ଘଟଣା। କାରଣ ସୀମିତ ଓଭରରେ ଜାଡେଜାଙ୍କ ବୋଲିଂ ଓ ବ୍ୟାଟିଂ ବେଶ କିଛି ବର୍ଷ ହେଲାଣି ଆଖି ଦୃଶିଆ ନୁହେଁ।

ସେହିପରି ଅକ୍ଷର ପଟେଲ ଏବେ ଟପ୍‌ ଫର୍ମରେ ରହିଛନ୍ତି। ଅକ୍ଷର ଓ ଜାଡେଜା ଉଭୟ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ସମ୍ଭବତଃ ଅକ୍ଷର ଚୂଡ଼ାନ୍ତ ଏକାଦଶରେ ରହିବେ। ଏପରି ସ୍ଥିତିରେ ଜାଡେଜାଙ୍କୁ କାହିଁକି ସ୍କ୍ୱାଡରେ ସିରାଜଙ୍କ ବଦଳରେ ରଖାଗଲା? ସିରାଜ ସ୍କ୍ୱାଡରେ ଥିଲେ ଭାରତ ପାଖରେ ପେସ୍‌ ବୋଲିଂରେ ଅଧିକ ବିକଳ୍ପ ରହିଥାଆନ୍ତା। ସେହିପରି ଅକ୍ଷର ଯଦି ସ୍ପିନ ଅଲରାଉଣ୍ଡର ଭାବେ ଫେଲ ମାରୁଛନ୍ତି, ତା’ହେଲେ ସ୍କ୍ୱାଡରେ ୱାଶିଂଟନ ସୁନ୍ଦରଙ୍କ ଭଳି ବିକଳ୍ପ ରହିଛନ୍ତି। ନିକଟରେ ସୁନ୍ଦର ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ନିଜ ଦକ୍ଷତା ସମସ୍ତଙ୍କୁ ଦେଖାଇ ସାରିଛନ୍ତି। 

ଏମାନଙ୍କ ବ୍ୟତୀତ ସ୍ପିନର ବୋଲର ଭାବେ ଚାଇନାମ୍ୟାନ କୁଲଦୀପ ବି ଅଛନ୍ତି। ତେଣୁ ଜାଡେଜାଙ୍କ ବଦଳରେ ସିରାଜ ଉପଯୁକ୍ତ ବିକଳ୍ପ ହୋଇପାରି ଥାଆନ୍ତେ। ଜାଡେଜା ନିଜର ଫୋକସ କେବଳ ରେଡ ବଲ ଉପରେ କରିବା ଉଚିତ। ଭାରତକୁ ରେଡ ବଲରେ ଜାଡେଜାଙ୍କ ଭଳି ଜଣେ ଦକ୍ଷ ଅଲରାଉଣ୍ଡରଙ୍କ ଆବଶ୍ୟକତା ରହିଛି। କାରଣ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଜାଡେଜା ଏବେ ଟେଷ୍ଟ ଟିମର ସବୁଠାରୁ ବଡ଼ ସମ୍ପତ୍ତି। ତାଙ୍କୁ ସୀମିତ ଓଭର କ୍ରିକେଟରୁ ଯଥା ସମ୍ଭବ ଦୂରେଇ ରଖିବା ଉଚିତ। ନଚେତ ଆହତ ସମସ୍ୟା ଭାରତ ପାଇଁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିବ।

୩୬ ବର୍ଷୀୟ ଜାଡେଜା ୧୯୭ଟି ଦିନିକିଆରେ ୩୨.୪୨ ହାରରେ ୩୨୪୦ ରନ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୮୭। ସେହିପରି ବୋଲିଂରେ ସେ ୨୨୦ଟି ୱିକେଟ ନେଇଛନ୍ତି। କିନ୍ତୁ ତାଙ୍କ ବୋଲିଂ ହାର ୩୬.୦୭ ରହିଛି। ସିରାଜ ତାଙ୍କ ଠାରୁ ଯଥେଷ୍ଟ କମ ମ୍ୟାଚ୍‌ ଖେଳିଛନ୍ତି। ହେଲେ ବୋଲିଂ ହାର ଜାଡେଜାଙ୍କ ତୁଳନାରେ ସିରାଜଙ୍କର ବେଶ ଭଲ। 

ଏହାବାଦ ଦୁବାଇ ପରିବେଶ ଫେବୃଆରୀ-ମାର୍ଚ୍ଚରେ ପେସ୍‌ ବୋଲିଂକୁ ସୁହାଇବ ବୋଲି କୁହାଯାଉଛି। ଏପରି ସ୍ଥିତିରେ ଭାରତର ସବୁ କିଛି ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ଉପରେ ନିର୍ଭର କରିବ। ଉଭୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଶେଷ ମ୍ୟାଚରେ ବୁମ୍ରା ଆହତ ହୋଇଥିଲେ। ତାଙ୍କ ଆହତ ସମସ୍ୟା କେତେ ଗୁରୁତର, ସେକଥା ବିସିସିଆଇ କହିନାହିଁ। ତଥାପି ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ରଖାଯାଇଛି।

ମହମ୍ମଦ ସିରାଜ ଦୀର୍ଘ ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରୁଛନ୍ତି। ସେ ଶତ ପ୍ରତିଶତ ଫିଟ ରହିଛନ୍ତି ସତ, କିନ୍ତୁ ସେ ଚାମ୍ପିୟନ୍ସ ଟ୍ରଫିରେ କେମିତି ପ୍ରଦର୍ଶନ କରିବେ ସେକଥା କାହାକୁ ଜଣାନାହିଁ। ଏମାନଙ୍କ ବ୍ୟତୀତ ଦିନିକିଆରେ ପ୍ରଥମଥର ପାଇଁ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିଛି। ଚାମ୍ପିୟନ୍ସ ଟ୍ରଫି ଭଳି ହାଇ ପ୍ରେସର ମ୍ୟାଚ୍‌ରେ ଅନଭିଜ୍ଞ ଅର୍ଶଦୀପ ଠିକଠାକ ପ୍ରଦର୍ଶନ କରିପାରିବେ ତ? ତେଣୁ ଏଠାରେ ନିଶ୍ଚିତ ଭାବେ ସିରାଜଙ୍କ ଅନୁପସ୍ଥିତି ଅନୁଭବ ହେବ। ଉଭୟ ଅଭିଜ୍ଞ ଓ ଦକ୍ଷତାକୁ ବିଚାରକୁ ନେଲେ ଅର୍ଶଦୀପଙ୍କ ଠାରୁ ସିରାଜ ବେଶ ଆଗରେ। ତଥାପି ତାଙ୍କୁ ୪ର୍ଥ ପେସର ଭାବେ ସ୍କ୍ୱାଡରେ ସାମିଲ କରା ନ ଯିବା କୌଣସି ଅପ୍ରତ୍ୟାଶିତ ଘଟଣା ଠାରୁ କମ ନୁହେଁ।

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ସମାନ କଥା କହିଛନ୍ତି। ତାଙ୍କ ମତରେ ଟୁର୍ଣ୍ଣାମେଣ୍ଟର ପରିବେଶ ଓ ଭାରତୀୟ ବୋଲିଂକୁ ଅଧିକ ଶାଣିତ କରିବା ପାଇଁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ବିସିସିଆଇ ଜାଡେଜାଙ୍କ ବଦଳରେ ସିରାଜଙ୍କୁ ରଖିବାର ଥିଲା ବୋଲି ମତ ରଖିଛନ୍ତି।

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ସ୍କ୍ୱାଡରେ ପେସ ବୋଲିଂର କମାଣ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅର୍ଶଦୀପ ସିଂହଙ୍କ ହାତରେ ରହିବ। ଏମାନଙ୍କୁ ସହଯୋଗ କରିବାକୁ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ତଥାପି ସିରାଜଙ୍କ ଅନୁପସ୍ଥିତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମସ୍ତ କ୍ରିକେଟ ପଣ୍ଡିତଙ୍କ କହିବା କଥା ଯେ ସିରାଜ ସ୍କ୍ୱାଡରେ ରହିଥିଲେ, ଭାରତୀୟ ଟିମ ବେଶ ଶକ୍ତିଶାଳୀ ହୋଇଥାଆନ୍ତା।

ଏ ସମ୍ପର୍କରେ ଆକାଶ ଚୋପ୍ରା କହିଛନ୍ତି, “ମୋ ମତରେ ମହମ୍ମଦ ସିରାଜ ଏହି ଟିମର ସଦସ୍ୟ ହେବାର ଥିଲା। ସେ କାହା ସ୍ଥାନରେ ଯିବାର ଥିଲା, ସେକଥା ମଧ୍ୟ କହିପାରିବି। ଦଳରେ ଦୁଇ ଜଣ ବାମହାତୀ ସ୍ପିନର ରହିଛନ୍ତି। ଜଣେ ଅଫ ସ୍ପିନରଙ୍କୁ ମଧ୍ୟ ସୁଯୋଗ ମିଳିଛି। ଏପରି ସ୍ଥିତିରେ ଆପଣ ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଡ୍ରପ କରିପାରି ଥାଆନ୍ତେ। ଯଦି ଆପଣ ଚାହିଁଥାଆନ୍ତେ, ତା’ହେଲେ ରବୀନ୍ଦ୍ର ଜାଡେଜାଙ୍କୁ ବାଦ ଦେଇ ସ୍କ୍ୱାଡରେ ମହମ୍ମଦ ସିରାଜଙ୍କୁ ରଖିପାରି ଥାଆନ୍ତେ।

କାରଣ ସିରାଜଙ୍କ ଗୁରୁତ୍ୱ ବେଶ ଅଧିକ। ସେ ଅଧିକାଂଶ ସମୟରେ ବ୍ୟବହାର ଉପଯୋଗୀ ହୋଇପାରିଥାଆନ୍ତେ। ଚୂଡ଼ାନ୍ତ ଏକାଦଶରେ ଜାଡେଜା ସୁଯୋଗ ପାଇବାର ସମ୍ଭାବନା ବେଶ କ୍ଷୀଣ। ତାଙ୍କର ଆବଶ୍ୟକ ଅଧିକାଂଶ ସ୍ଥାନରେ ନ ପଡ଼ିପାରେ। ସତ କହିବାକୁ ଗଲେ ଜାଡେଜା ପୂରା ଟୁର୍ଣ୍ଣାମେଣ୍ଟରେ ସୁଯୋଗ ପାଇ ନପାରନ୍ତି। ତେଣୁ ଜାଡେଜା ଯଦି ନ ଖେଳିବେ, ତା’ହେଲେ ଆପଣଙ୍କୁ ଏମିତି ଜଣେ ଖେଳାଳି ସ୍କ୍ୱାଡରେ ରଖିବାର ଥିଲା, ଯାହାଙ୍କର ଖେଳିବାର ସମ୍ଭାବନା ଅଧିକ ରହିଛି।”

ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୈସୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜା ଅଛନ୍ତି।

ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିବାରୁ ଯଶସ୍ୱୀ ଜୈସୱାଲଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ସ୍ୱାଡ୍‌ରେ ସ୍ଥାନ ଦିଆଯାଇଛି। ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍‌ରେ ସାମିଲ କରାଯାଇଛି।  ୨୦୨୪ରେ ସେ ଟେଷ୍ଟରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସବୁଠୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଏଯାବତ୍ ୧୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଯଶସ୍ୱୀ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ସହାୟତାରେ ୧୭୬୬ ରନ୍ କରିଛନ୍ତି।

ସେଥିରୁ କେବଳ ୨୦୨୪ରେ ସେ ୧୫ଟି ଟେଷ୍ଟରେ ୧୪୭୮ ରନ୍ କରିଥିଲେ। ସେହିପରି ୨୩ଟି ଟି-ଟ୍ୱେଣ୍ଟିରୁ ଯଶସ୍ୱୀ ୭୨୩ ରନ୍ କରିଛନ୍ତି। ଆଶା କରାଯାଉଛି ଚାମ୍ପିୟନ୍ସ ଟ୍ରଫିରେ ସେ ରୋହିତ ଶର୍ମା ଅବା ଶୁବମନ ଗିଲ୍‌ଙ୍କ ସହିତ ଓପନିଂ କରିବାକୁ ଆସିବେ।

Ravindra Jadeja Mohammed Siraj Champions Trophy