siraj
ଭାରତୀୟ ଟିମ ଲର୍ଡସରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସିରାଜ ଲର୍ଡସ ଟେଷ୍ଟର ୪ର୍ଥ ଦିନରେ ଆଇସିସିର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫି’କୁ ୧୫% କାଟ କରାଯାଇଛି।
ଇଂଲଣ୍ଡନ ଓପନର ବେନ ଡକେଟଙ୍କୁ ଆଉଟ କରିବା ପରେ ସିରାଜ ‘ସୀମା ବାହାରକୁ ଯାଇ’ ସେଲିବ୍ରେସନ କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ଇଂଲଣ୍ଡ ଟିମର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ ମଧ୍ୟ ସିରାଜଙ୍କ ବିରୋଧରେ ବଡ଼ଧରଣର ଜୋରିମାନା ଲାଗୁ କରାଯିବା ଦରକାର ବୋଲି କହିଥିଲେ।
ଆଇସିସି କୁକଙ୍କ କଥାକୁ ବିଚାରକୁ ନେବା ସହ ସୋମବାର ସିରାଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିରାଜଙ୍କ ମ୍ୟାଚ ଫି’ ୧୫% କଟିଥିବା ବେଳେ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ମିଳିଛି।
ପୂରା ଘଟଣା ୪ର୍ଥ ଦିନର ଲଞ୍ଚ ପୂର୍ବରୁ ଘଟିଥିଲା। ଘାତକ ବୋଲିଂ କରୁଥିବା ସିରାଜ ୪ର୍ଥ ଦିନ ନିଜର ପ୍ରଥମ ସ୍ପେଲରେ ଡକେଟ ଓ ଓଲି ପୋପଙ୍କ ୱିକେଟ ଦଖଲ କରିଥିଲେ। ତେବେ ଡକେଟଙ୍କୁ ଆଉଟ କରିବା ପରେ ସିରାଜ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ଏପରି କି ଡକେଟ ଚାଲି ଚାଲି ଲର୍ଡସର ଲମ୍ବା ରୁମକୁ ଫେରୁଥିବା ବେଳେ ସିରାଜଙ୍କ କାନ୍ଧ ମଧ୍ୟ ତାଙ୍କ ଦେହରେ ମାଡ଼ ହୋଇଥିଲା।
ଏପରି ଆଚରଣ ଆଇସିସି ଆଚରଣ ବିଧିର ଧାରା ୨.୫କୁ ଉଲ୍ଲଙ୍ଘନ କରିଛି। ଏଥିପାଇଁ ତାଙ୍କ ମ୍ୟାଚ୍ ଫି’କୁ ୧୫%କୁ କଟା ଯାଇଛି। ଅତିରିକ୍ତ ଭାବେ ସିରାଜଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟକୁ ଯୋଡ଼ା ଯାଇଛି।
୨୪ ମାସ ମଧ୍ୟରେ ସିରାଜଙ୍କ ଏହା ଦ୍ୱିତୀୟ ଡିମେରିଟ ପଏଣ୍ଟ। ଯଦି ୨୪ ମାସ ମଧ୍ୟରେ ଡିମେରିଟ ପଏଣ୍ଟ ୪ କିମ୍ବା ତା’ ଠାରୁ ଅଧିକ ରହିବ, ତା’ହେଲେ ଖେଳାଳିଙ୍କୁ ଗୋଟିଏ ମ୍ୟାଚ୍କୁ ବ୍ୟାନ କରାଯିବାର ପ୍ରାବଧାନ ରହିଥିବା ଆଇସିସି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/siraj_1752484490.jpg)