Advertisment

ଓଭାଲ ମ୍ୟାଜିକ ପରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ମହମ୍ମଦ ସିରାଜ

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ୩୦ ବର୍ଷୀୟ ସିରାଜ ମୋଟ ୨୩ ୱିକେଟ ଦଖଲ କରିଛନ୍ତି। ସେ ପୂରା ସିରିଜରେ ୧୮୫.୨ ଓଭର ବୋଲିଂ କରିଥିଲେ। ତାଙ୍କ ଠାରୁ ଆଉ କେହି ବି ଅଧିକ ବୋଲିଂ କରିପାରି ନାହାନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
siraj

siraj

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ବଡ଼ ସଫଳତା। ଆଣ୍ଡରସନ-ତେନ୍ଦୁକର ଟେଷ୍ଟ ସିରିଜରେ ସିରାଜ ନିଜ ଯାଦୁ ଦେଖାଇଥିଲେ।ବିଶେଷ କରି ସିରିଜର ଶେଷ ମ୍ୟାଚ୍‌ ଅର୍ଥାତ ଦ ଓଭାଲରେ ସିରାଜଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା। ମିଆଁ ମ୍ୟାଜିକ ପରେ ଏବେ ସିରାଜ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ଲମ୍ପ ମାରିଛନ୍ତି। ସେ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Advertisment

ଆଇସିସି ପକ୍ଷରୁ ଜାରି ତଥ୍ୟ ଅନୁସାରେ, ମହମ୍ମଦ ସିରାଜ ଏକାଥରେ ୧୨ଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧୫ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପ୍ରଥମ ଥର ପାଇଁ ସିରାଜ ତାଙ୍କ ଟେଷ୍ଟ କ୍ୟାରିୟରରେ ଏପରି ସଫଳତା ହାସଲ କରିପାରିଛନ୍ତି। ଏହାପୂର୍ବରୁ ସିରାଜ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଗୋଟିଏ ଥର ୧୬ ନମ୍ବର ସ୍ଥାନରେ ପହଞ୍ଚିଥିଲେ। ୨୦୨୪ ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ପରେ ସିରାଜ ରାଙ୍କିଙ୍ଗର ୧୬ ନମ୍ବର ସ୍ଥାନ ଦଖଲ କରିଥିଲେ। କିନ୍ତୁ ଏବେ ସେ ୬୭୪ ପଏଣ୍ଟ ସହ ରାଙ୍କିଙ୍ଗର ୧୫ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଦ ଓଭାଲରେ ଭାରତର ନାଟକୀୟ ବିଜୟର ହିରୋ ସିରାଜ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ୪ଟି ଓ ଦ୍ୱିତୀୟ ଇନିଂସରେ ସେ ୫ ୱିକେଟ ନେଇଥିଲେ। ଭାରତ ୩୭୪ ରନକୁ ଡିଫେଣ୍ଡ କରି ୬ ରନରେ ମ୍ୟାଚ୍‌ କବଜା କରିଥିଲା। ଟିମର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ସିରାଜ ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇ ଭାରତକୁ ବିଜୟ ଭେଟି ଦେଇଥିଲେ।

Advertisment

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ୩୦ ବର୍ଷୀୟ ସିରାଜ ମୋଟ ୨୩ ୱିକେଟ ଦଖଲ କରିଛନ୍ତି। ସେ ପୂରା ସିରିଜରେ ୧୮୫.୨ ଓଭର ବୋଲିଂ କରିଥିଲେ। ତାଙ୍କ ଠାରୁ ଆଉ କେହି ବି ଅଧିକ ବୋଲିଂ କରିପାରି ନାହାନ୍ତି।

ଆଇସିସିର ଟପ୍‌ ୧୫ ଟେଷ୍ଟ ବୋଲରଙ୍କ ମଧ୍ୟରେ ସିରାଜଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା ରହିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍‌ ଖେଳିଥିଲେ ହେଁ ବିଶ୍ୱ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ୩ଟି ମ୍ୟାଚ୍‌ ଖେଳି ୧୪ଟି ୱିକେଟ ନେଇଥିଲେ। ବୁମ୍ରା ୮୮୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କାଗିସୋ ରବାଡାଙ୍କ ଠାରୁ ଏହା ୩୮ ପଏଣ୍ଟ ଅଧିକ।

ଅନ୍ୟମାନଙ୍କ କଥା ବିଚାରକୁ ନେଲେ, ଓଭାଲ ଟେଷ୍ଟରେ ୮ ୱିକେଟ ନେଇଥିବା ଭାରତର ପ୍ରସିଦ୍ଧ କ୍ରିଷ୍ଣା ୨୫ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୫୯ତମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଗସ ଅଟକିନସନ ଓ ଜୋଶ ଟଙ୍ଗ ମଧ୍ୟ ନିଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିପାରିଛନ୍ତି।

ଓଭାଲ ଟେଷ୍ଟରେ ଉଭୟ ୮ଟି ଲେଖାଏ ୱିକେଟ ନେଇଥିଲେ। ଅଟକିନସନ ପ୍ରଥମଥର ପାଇଁ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍ ୧୦ରେ ପ୍ରବେଶ କରିଥିବା ବେଳେ ଟଙ୍ଗ ୧୪ଟି ସ୍ଥାନ ଉପରକୁ ଉଠି ୪୬ତମ ସ୍ଥାନରେ ପହଞ୍ଚିଛନ୍ତି।

ଟେଷ୍ଟ ବୋଲିଂ ରାଙ୍କିଙ୍ଗ

୧- ଯଶପ୍ରୀତ ବୁମ୍ରା (ଭାରତ)- ୮୮୯

୨- କାଗିସୋ ରବାଡା (ଦକ୍ଷିଣ ଆଫ୍ରିକା)- ୮୫୧

୩- ପାଟ କମିନ୍ସ (ଅଷ୍ଟ୍ରେଲିଆ) – ୮୩୮

୪- ମ୍ୟାଟ ହେନରୀ ( ନ୍ୟୁଜିଲ୍ୟାଣ୍ଡ)- ୮୧୭

୫- ଜୋଶ ହାଜେଲଉଡ (ଅଷ୍ଟ୍ରେଲିଆ) – ୮୧୫

୬- ନୋମାନ ଅଲୀ (ପାକିସ୍ତାନ)- ୮୦୬

୭- ସ୍କଟ ବୋଲାଣ୍ଡ (ଅଷ୍ଟ୍ରେଲିଆ)- ୭୮୪

୮- ନାଥନ ଲାୟନ (ଅଷ୍ଟ୍ରେଲିଆ)- ୭୬୯

୯- ମାର୍କୋ ୟାନସେନ (ଦକ୍ଷିଣ ଆଫ୍ରିକା) – ୭୬୭

୧୦- ମିଚେଲ ଷ୍ଟାର୍କ ( ଅଷ୍ଟ୍ରେଲିଆ) – ୭୬୬

୧୦- ଗସ ଅଟକିନସନ( ଇଂଲଣ୍ଡ)- ୭୬୬

ଅନ୍ୟପକ୍ଷରେ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୫କୁ ପୁଣି ଫେରିଛନ୍ତି ଭାରତର ଯଶସ୍ୱୀ ଜୈସୱାଲ। ସେ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନ ଦଖଲ କରିଛନ୍ତି। ଋଷଭ ପନ୍ତ ଟପ୍ ୧୦ରେ ଥିଲେ ହେଁ ଗୋଟିଏ ସ୍ଥାନ ତଳକୁ ଖସି ୮ମ ଓ ଅଧିନାୟକ ଶୁବମନ ଗିଲ ୪ଟି ସ୍ଥାନ ତଳକୁ ଖସି ୧୩ ନମ୍ବରେ ପହଞ୍ଚିଛନ୍ତି। ପୂର୍ବଭଳି ଜୋ ରୁଟ ୧ନଂରେ ଓ କେନ ୱିଲିୟମସନଙ୍କୁ ପଛକୁ ଠେଲି ହ୍ୟାରୀ ବ୍ରୁକ ୨ନଂ ସ୍ଥାନ ଦଖଲ କରିଛନ୍ତି।

Mohammed Siraj Test Cricket Test Match ICC Ranking