/odisha-reporter/media/post_attachments/uploadimage/library/16_9/16_9_0/Siraj_1686230925.jpg)
Siraj
ଇଂଲଣ୍ଡର ଓଭାଲରେ ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବିଶାଳ ୪୬୯ ରନ କରି ଅଲଆଉଟ ହୋଇଯାଇଛି। ମ୍ୟାଚ୍ର ପ୍ରଥମ ଦିନରେ ଭାରତୀୟ ଟିମ କେବଳ ୩ଟି ୱିକେଟ ନେଇଥିବା ବେଳେ ଆଜି ୭ ୱିକେଟ ନେଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଛି।
ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରେ ଟ୍ରାଭିସ ହେଡ ୧୬୩ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୧୨୧ ରନର ଇନିଂସ ଖେଳିଛନ୍ତି।
ପ୍ରଥମ ଦିନରେ ୩ ୱିକେଟ ହରାଇ ୩୨୭ ରନ କରିଥିବା ଅଷ୍ଟ୍ରେଲିଆ ପାଇଁ ଆଜି ସ୍ମିଥ ଓ ହେଡ୍ ଦମଦାର ବ୍ୟାଟିଂ କରିଥିଲେ। ସ୍ମିଥ ଶତକ ହାସଲ କରିଥିବା ବେଳେ ହେଡ ୧୫୦ ରନ ପୂରଣ କରିଥିଲେ। ତେବେ ଦଳୀୟ ସ୍କୋର ୩୬୧ ଥିବା ବେଳେ ୧୬୩ ରନ କରିଥିବା ହେଡଙ୍କୁ ମହମ୍ମଦ ସିରାଜ ଆଉଟ କରି ଭାରତକୁ ଦ୍ୱିତୀୟ ଦିନରେ ପ୍ରଥମ ସଫଳତା ଦେଇଥିଲେ।
ଭଲ ଲୟରେ ଥିବା ସ୍ମିଥ ଅଲରାଉଣ୍ଡର କାମେରନ ଗ୍ରୀନଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ଗ୍ରୀନ(୬)ଙ୍କୁ ଆଉଟ କରି ମହମ୍ମଦ ଶାମି ସବୁ ଓଲଟପାଲଟ କରିଦେଇଥିଲେ। ସ୍ମିଥ ୧୨୧ ରନ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁର ତାଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ।
ଆଲେକ୍ସ କେରୀ ୪୮ ରନର ଇନିଂସ ଖେଳିଥିଲେ ମଧ୍ୟ ବଡ଼ ଶଟ ଖେଳିବା ଲୋଭରେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ମିଚେଲ ଷ୍ଟାର୍କ କେବଳ ୫ ରନ କରି ରନ ଆଉଟ ହୋଇଯାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ପାଟ କମିନ୍ସ ୯ ରନ ଓ ନାଥନ ଲାୟନ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ଦୁଇ ବ୍ୟାଟରଙ୍କୁ ସିରାଜ ଆଉଟ କରି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
ଭାରତ ପକ୍ଷରୁ ସିରାଜ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶାମି ଓ ଠାକୁର ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ଜାଡେଜାଙ୍କ ଖାତକୁ ଗୋଟିଏ ୱିକେଟ ଯାଇଛି। ଉମେଶ ଯାଦବ ଏକମାତ୍ର ବୋଲର ଭାବେ ୱିକେଟ ପାଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
