Advertisment

ଏସିଆ କପ ଫାଇନାଲରେ ସିରାଜଙ୍କ କମାଲ, ଶ୍ରୀଲଙ୍କା ୫୦ ରନରେ ଅଲଆଉଟ୍‌

ଶ୍ରୀଲଙ୍କା ଫାଇନାଲରେ କେବଳ ୫୦ ରନ କରିଥିବାରୁ ଭାରତକୁ ୮ମ ଥର ଏସିଆ କପ ଟ୍ରଫି ଜିତିବାକୁ ୫୧ ରନର ଟାର୍ଗେଟ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Srilanka

Srilanka

ଭାରତୀୟ ବୋଲରଙ୍କ ସୁଇଂରେ ଘାଇଲା ହୋଇଛି ଘରୋଇ ଶ୍ରୀଲଙ୍କା ଟିମ। ଆର ପ୍ରେମାଦାସାରେ କମାଲ କରିଛନ୍ତି ମହମ୍ମଦ ସିରାଜ। ତାଙ୍କର ଘାତକ ବୋଲିଂକୁ ସମ୍ମୁଖୀନ ନ ହୋଇ ପାରି ଶ୍ରୀଲଙ୍କା ଟିମ ମାତ୍ର ୫୦ ରନରେ ଅଲଆଉଟ ହୋଇ ଯାଇଛି।

Advertisment

ଏହା ଦିନିକିଆରେ ଶ୍ରୀଲଙ୍କାର ଦ୍ୱିତୀୟ ସର୍ବନିମ୍ନ ସ୍କୋର। ୨୦୧୨ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ ରନରେ ଅଲଆଉଟ ହୋଇଥିଲା। ଆଜି ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ୫୦ ରନ କରି ଅଲଆଉଟ ହୋଇଛି। ଭାରତ ବିପକ୍ଷରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର। କୌଣସି ଫାଇନାଲରେ ମଧ୍ୟ ଏହା ସବୁଠାରୁ କମ ସ୍କୋର। 

ଭାରତ ପାଇଁ ସିରାଜ ୭ ଓଭରରେ ୨୧ ରନ ଦେଇ ୬ଟି ୱିକେଟ ନେଇଛନ୍ତି। ଏସିଆ କପରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ତାଙ୍କ ପୂର୍ବରୁ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ ମଧ୍ୟ ସମାନ ୬ଟି ୱିକେଟ ନେଇଥିଲେ। ଏବେ ସିରାଜ ତାଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। 

Advertisment

ଶ୍ରୀଲଙ୍କା ଫାଇନାଲରେ କେବଳ ୫୦ ରନ କରିଥିବାରୁ ଭାରତକୁ ୮ମ ଥର ଏସିଆ କପ ଟ୍ରଫି ଜିତିବାକୁ ୫୧ ରନର ଟାର୍ଗେଟ ମିଳିଛି। ସିରାଜଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ସଫଳତା ପାଇଛନ୍ତି। ଶ୍ରୀଲଙ୍କା କେବଳ ୫୦ ଓଭରରୁ ୧୫.୨ ଓଭର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ପ୍ରଥମ ଓଭର୍‌ରେ ହିଁ ଝଟକା ପାଇଥିଲା। ପ୍ରଥମ ଓଭରରେ ଯଶପ୍ରୀତ ବୁମ୍ରା ଖାତା ଖୋଲିବା ପୂର୍ବରୁ କୁଶଲା ପେରରାଙ୍କୁ ପ୍ୟାଭିଲିୟନପ ପଠାଇ ଦେଇଥିଲେ।

୨ୟ ଓଭର ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମ୍ରା ମାତ୍ର ୧ ରନ ଦେଇଥିଲେ। ୪ର୍ଥ ଓଭର ପୁଣି ସିରାଜ ବୋଲିଂ କରିବାକୁ ଆସିଥିଲେ। ସେହି ଏହି ଓଭର୍‌ରେ ୬ଟି ବଲ୍‌ ପକାଇ ୪ ୱିକେଟ ଦଖଲ କରିଛନ୍ତି। ପ୍ରଥମ ବଲରେ ସେ ପଥୁନ ନିଶାଙ୍କା(୨)ଙ୍କୁ ଆଉଟ କରିଥିଲେ।

ଦ୍ୱିତୀୟ ବଲ ଡଟ୍‌ ହୋଇଥିଲା। ତୃତୀୟ ବଲରେ ସେ ସଦୀରା ସମରାବିକ୍ରମା(୦)ଙ୍କୁ ଆଉଟ କରିଥିଲେ। ୪ର୍ଥ ବଲରେ ସେ ଚାରିଥା ଅସଲଙ୍କାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ୫ମ ବଲକୁ ଧନଞ୍ଜୟ ଡି’ସଲଭା ଚୌକା ମାରିଥିଲେ। ୫ମ ବଲରେ ସେ ଧନଞ୍ଜୟ(୪)ଙ୍କୁ ଆଉଟ କରି ଶ୍ରୀଲଙ୍କା ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ। ଏହାର ପରବର୍ତ୍ତୀ ଓଭର୍‌ରେ ସିରାଜ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା(୦)ଙ୍କୁ କ୍ଲିନବୋଲ୍ଡ କରିଥିଲେ। 

୧୨ ରନରେ ୬ ୱିକେଟ ହରାଇ ଶ୍ରୀଲଙ୍କା ବିପର୍ଯ୍ୟୟରେ ପଡ଼ିଥିଲା। ଦଳକୁ ଏଥିରୁ ଉଦ୍ଧାର କରିବା ପାଇଁ କୁଶଲ ମେଣ୍ଡିସ ଓ ଦୁନିଥ ୱେଲାଲାଗେ ଚେଷ୍ଟା କରିଥିଲେ। କିନ୍ତୁ ସିରାଜ ଏହା କରାଇ ଦେଇ ନଥିଲେ। ସେ ୧୭ ରନ କରିଥିବା ମେଣ୍ଡିସଙ୍କୁ ବୋଲ୍ଡ କରି ଶ୍ରୀଲଙ୍କାକୁ ୭ମ ଝଟକା ଦେଇଥିଲେ। ଏଥିସହ ନିଜର ୬ଷ୍ଠ ୱିକେଟ ହାସଲ କରିଥିଲେ। 

ସିରାଜଙ୍କ ବିପର୍ଯ୍ୟୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଟାକ୍‌କୁ ଆସିଥିଲେ। ସେ ୱେଲାଲାଗେ(୮)ଙ୍କୁ ପ୍ରଥମେ ଆଉଟ କରିଥିଲେ। ୧୬ତମ ଓଭର୍‌ର ପ୍ରଥମ ଓ ଦ୍ୱିତୀୟ ବଲରେ ସେ ଶ୍ରୀଲଙ୍କାର ବାକି ୨ଟି ୱିକେଟ ନେଇ ଘରୋଇ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଶ୍ରୀଲଙ୍କା ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନରେ ଅଟକି ଯାଇଥିଲା।  

India Vs Sri Lanka Asia Cup Cricket Asia Cup 2023