ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪ ଜିତିଥିବା ବେଳେ ଏହାର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ତେଲଙ୍ଗାନା ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ଘୋଷଣା କରିଛନ୍ତି।
ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମିତ୍ତ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି।
ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ହେବା ପରେ ଗତ ସପ୍ତାହରେ ହାଇଦ୍ରାବାଦ ଫେରିଥିବା ମହମ୍ମଦ ସିରାଜ ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ମହମ୍ମଦ ସିରାଜ ଦେଶ ପାଇଁ ଗୌରବ ଆଣିବା ସହିତ ତେଲଙ୍ଗାନା ପାଇଁ ବହୁ ସମ୍ମାନ ଆଣିଛନ୍ତି।