Siraj
ପ୍ରତଟି କ୍ରିକେଟ ଟୁର ପୂର୍ବରୁ ଓ ପରେ ବାପାଙ୍କ କବର ପାଖକୁ ଯିବା ଭାରତୀୟ ଟିମର ମହମ୍ମଦ ସିରାଜଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ଅଭ୍ୟାସ। କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯିବା ପୂର୍ବରୁ ସେ ବାପାଙ୍କ କବର ପାଖକୁ ଯାଆନ୍ତି ଓ ସେଠାରେ ପ୍ରାର୍ଥନା କରି ଆଶୀର୍ବାଦ ଆଣନ୍ତି। ଏହାପରେ ଟୁର୍ଣ୍ଣାମେଣ୍ଟରୁ ଫେରିବା ପରେ ସେ ଘରକୁ ଆସିବା ବଦଳରେ ଏୟାରପୋର୍ଟରୁ ସିଧା ବାପାଙ୍କ କବର ପାଖକୁ ଯାଆନ୍ତି। ସେଠାରୁ ଘରକୁ ଆସନ୍ତି।
୨୦୨୧ରେ ସିରାଜ ତାଙ୍କ ବାପା ମହମ୍ମଦ ଗୌସେଙ୍କୁ ହରାଇ ଥିଲେ। ବାପାଙ୍କ ଦେହାନ୍ତ ବେଳେ ସିରାଜ ଅଷ୍ଟ୍ରେଲିଆ ଟୁରରେ ଯାଇଥିଲେ। ସେବେଠାରୁ କବରସ୍ଥାନକୁ ଯିବା ଓ ଆସିବା ସିରାଜଙ୍କ ଜୀବନରେ ଗୋଟିଏ ନିୟମରେ ପରିଣତ ହୋଇଯାଇଛି। ସିରାଜଙ୍କ ବାପା ଜଣେ ଅଟୋ ଚାଳକ ରହିଥିଲେ। କିନ୍ତୁ ସିରାଜଙ୍କ କ୍ରିକେଟ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିରାଜ ସବୁବେଳେ ତାଙ୍କ ବାପାଙ୍କ ସହ ଯୋଡ଼ି ହୋଇ ରହିବାକୁ ଚାହୁଁଥିବାରୁ ଗସ୍ତ ଆରମ୍ଭରୁ ଓ ପରେ କବରସ୍ଥାନ ଯାଆନ୍ତି।
ଜୁନ ମାସରେ ଇଂଲଣ୍ଡ ଟୁରରେ ଯିବା ପୂର୍ବରୁ ସେ ତାଙ୍କ ମା’ଙ୍କୁ କୁଣ୍ଢାଇ ଥିଲେ। ଏହି ସମୟରେ କହିଥିଲେ, “ଅମ୍ମି, ମୋ ପାଇଁ ପ୍ରାର୍ଥନା କରିବୁ। ମୁଁ ଭଲ କରିବାକୁ ଓ ଭାରତକୁ ଜିତାଇବାକୁ ଚାହେଁ।” ନିଜର ପରମ୍ପରା ଅନୁସାରେ ଏହାପରେ ସେ ବାପାଙ୍କ କବର ପାଖକୁ ଯାଇ ପ୍ରାର୍ଥନା କରିଥିଲେ ଓ ସେଠାରୁ ସିଧା ଏୟାରପୋର୍ଟ ଯାଇଥିଲେ।
ସିରାଜଙ୍କ ମା’ ଶବନା ବେଗମ କହିଛନ୍ତି, “ସେ ତା’ ଅବୁଙ୍କୁ ବହୁତ ଭଲ ପାଏ। ତା’ ବାପା ମଧ୍ୟ ତା’କୁ ସେତିକି ଭଲ ପାଉଥିଲେ। ତାଙ୍କ ପାଇଁ ଏ ପିଲା କିଛି ବି କରିପାରିବ। ମୋ ପ୍ରାର୍ଥନା ସବୁବେଳେ ସିରାଜ ସହ ରହିଛି। ମୋ ଛୁଆକୁ ଆଲ୍ଲା ସବୁବେଳେ ଆଶୀର୍ବାଦ କରନ୍ତୁ। ସେ ସବୁ ସଫଳତା ପାଉ।” ସିରାଜ ଖେଳୁଥିବା କୌଣସି ମ୍ୟାଚ୍ କେବେ ହେଲେ ଶବନା ମିସ୍ କରି ନାହାନ୍ତି। ଇଂଲଣ୍ଡରେ ଶେଷ ହୋଇଥିବା ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପ୍ରତିଟି ମ୍ୟାଚ୍ ସେ ଦେଖିଥିଲେ। ସେ ତାଳି ମାରିବା ସହ ଦୈନିକ ୫ଥର ପ୍ରାର୍ଥନା କରିଥିଲେ।
ଇସଲାମରେ ଏହି ଦୈନନ୍ଦିନ ପ୍ରାର୍ଥନା ଭୋର(ଫଜର), ମଧ୍ୟାହ୍ନ(ଧୁହର), ଅପରାହ୍ନ(ଅସର), ସୂର୍ଯ୍ୟାସ୍ତ(ମଘରିବ) ଓ ରାତି(ଇଶା)ରେ କରାଯାଏ। ଇଂଲଣ୍ଡ ଟୁର ବେଳେ ଶବନା କୌଣସି ପ୍ରାର୍ଥନା ଛାଡ଼ି ନଥିଲେ। ସମ୍ଭବତଃ ଏହି ପ୍ରାର୍ଥନା ପୂରା ଟୁରରେ ସିରାଜଙ୍କ ସହ ରହିଥିଲା।
ଦ ଓଭାଲରେ ଖେଳା ଯାଉଥିବା ୫ମ ଟେଷ୍ଟରେ ଭାରତର ନାଟକୀୟ ବିଜୟରେ ସିରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଅସମ୍ଭବକୁ ସମ୍ଭବ କରିବାରୁ ଭାରତ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିକୁ ୨-୨ରେ ଶେଷ କରି ସମ୍ମାନ ରଖିଛି। ପ୍ରଥମ ଇନିଂସରେ ୪ ଓ ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇଥିବା ସିରାଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସିରାଜ ଏକମାତ୍ର ଦ୍ରୁତ ବୋଲର ଯିଏ ଇଂଲଣ୍ଡ ବିପକ୍ଷ ସମସ୍ତ ୫ଟି ଯାକ ଟେଷ୍ଟ ଖେଳି ନିଜର ଦମ ଦେଖାଇଛନ୍ତି।
ସିରାଜଙ୍କ ଭାଇ ମହମ୍ମଦ ଇସ୍ମାଇଲ୍ କହିଛନ୍ତି, “ଅମ୍ମି ସବୁବେଳେ ଭାଇ ପାଇଁ ପ୍ରାର୍ଥନା କରେ। ମା’ଙ୍କ ପ୍ରାର୍ଥନାରେ ବହୁତ ଶକ୍ତି ଥାଏ। ମୁଁ ଏଥିରେ ବିଶ୍ୱାସ କରେ। କାରଣ ଆମ ବାପା ମା’ଙ୍କ ଆଶୀର୍ବାଦ ପାଇଁ ଭାଇ ଭଲ ଖେଳୁଛି ଓ ଭାରତ ପାଇଁ ଭଲ କରୁଛି। ସେ ସବୁଦିନ ଭିଡିଓ କଲେ ଅମ୍ମିର ଆଶୀର୍ବାଦ ନିଏ। ଅମ୍ମି ସବୁବେଳେ ଭାଇକୁ କୁହେ, ସବୁବେଳେ ଆଗକୁ ଯିବୁ ନାଁ ରଖିବୁ। ଅବୁ ସବୁବେଳେ କହୁଥିଲେ ପୁଅ ତତେ ଗୋଟିଏ ଦିନ ନାଁ ଅର୍ଜନ କରିବାର ଅଛି। ଭାରତ ପାଇଁ ତତେ ଖେଳିବାର ଅଛି। ସେ ଯେତେବେଳେ ଚାଲିଗଲେ ଭାଇ ସେତେବେଳେ ଅଷ୍ଟ୍ରେଲିଆ ଟୁରରେ ଥିଲା। ଖବର ଶୁଣି ସେ ପୂରା ଭାଙ୍ଗି ପଡ଼ିଥିଲା। କିନ୍ତୁ ଅମ୍ମି ତା’କୁ କହିଥିଲା ଯେ ଯାହା ହେବା କଥା ହୋଇଗଲାଣି। ଏବେ ଖେଳ ଉପରେ ଧ୍ୟାନ ଦେ।”
ସିରାଜ ଅଷ୍ଟ୍ରେଲିଆ ଟୁରରେ ଥିବା ବେଳେ ବିରାଟ କୋହଲି ଓ ରବି ଶାସ୍ତ୍ରୀ ଏହି ଦୁଃଖଦ ଖବର ଦେଇଥିଲେ। ଭାଙ୍ଗି ପଡ଼ିଥିବା ସିରାଜଙ୍କୁ ଦଳର ପ୍ରତି ସଦସ୍ୟ ମାନସିକ ସମର୍ଥନ ଦେଇଥିଲେ। ଶେଷରେ ସେ ୩ଟି ଟେଷ୍ଟରେ ୧୩ଟି ୱିକେଟ ଦଖଲ କରି ନିଜ ଜଲୱା ଦେଖାଇଥିଲେ। ଏହା ମଧ୍ୟରେ ଗୋଟିଏ ୫ ୱିକେଟ ସଫଳତା ଥିଲା। ଏହାକୁ ସେ ନିଜ ପ୍ରିୟ ବାପାଙ୍କୁ ଉତ୍ସର୍ଗ କରିଥିଲେ।
ଇଂଲଣ୍ଡ ଟୁର ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ୱାର୍କ ଲୋଡ ମ୍ୟାନେଜମେଣ୍ଟ ଫୋକସରେ ରହିଥିଲା ଓ ସେ ୩ଟି ମ୍ୟାଚ ଖେଳିବେ ବୋଲି ସ୍ଥିର ହୋଇଥିଲା। ଏହି ସମୟରେ ସିରାଜଙ୍କ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ୨୦୨୦ ପରଠାରୁ ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଶୁବମନ ଗିଲ ଓ ବୁମ୍ରାଙ୍କ ଠାରୁ ସିରାଜ ଭାରତ ପାଇଁ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଛନ୍ତି।
ଯୋଜନା ଅନୁସାରେ ବୁମ୍ରା ଇଂଲଣ୍ଡରେ ୩ଟି ମ୍ୟାଚ୍ ଖେଳିଥିଲେ। ସିରାଜ ନିଜର ଫିଟନେସର ପ୍ରମାଣ ଦେଇ ସମସ୍ତ ୫ ମ୍ୟାଚ ଖେଳିବା ସହ ବ୍ୟାଟରଙ୍କୁ ଘାଇଲା କରି ଚାଲିଥିଲା। ବ୍ୟାଟରଙ୍କୁ ଅଡ଼ୁଆରେ ପକାଇ ସେ କେତେବେଳେ ହୁ ଓ ଆଃ ବାହାର କରି ଦେଉଥିଲେ।
ପୂରା ସିରିଜରେ ସିରାଜ ୧୧୧୩ ବଲ(୧୮୫.୩ ଓଭର) ବୋଲି କରିଛନ୍ତି। ଏହା ଅନ୍ୟ ବୋଲରଙ୍କ ତୁଳନାରେ ସବୁଠାରୁ ଅଧିକ। ସିରାଜ ସର୍ବାଧିକ ୱିକେଟ ଦଖଲକାରୀ(୨୩ ୱିକେଟ) ସହ ଇଂଲଣ୍ଡ ଟୁରକୁ ବାଏବାଏ କହିଛନ୍ତି।
ଅବୁଙ୍କ ପାଇଁ ଖେଳିବାର ଅଛି ଓ ତାଙ୍କ ସ୍ୱପ୍ନକୁ ମୁଁ ପୂରଣ କରିବି। ସବୁବେଳେ ସିରାଜ ଏକଥା କୁହନ୍ତି। ତାଙ୍କ ପାଇଁ ଫିଟନେସ ସ୍ତରରେ ପହଞ୍ଚିଛି। ଏସବୁ ବିରାଟ କୋହଲିଙ୍କ ପାଇଁ ସମ୍ଭବ ହୋଇଛି। ସେ ସବୁବେଳେ ବିରାଟ କୋହଲିଙ୍କୁ ଅନୁସରଣ କରନ୍ତି। ବିରାଟଙ୍କ ପାଖରେ ଥିବା ଉତ୍ସାହ ଓ ଖେଳିବାର ଭୋକ ଦେଖି ସିରାଜ ମଧ୍ୟ ସେଭଳି ଆଚରଣ କରନ୍ତି। ୨୦୧୮ରେ ସିରାଜଙ୍କ ଆଇପିଏଲ ଭଲ ଯାଇ ନଥିଲା।
ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ସେହି ସମୟରେ ବିରାଟ କୋହଲି ତାଙ୍କ ପାଖରେ ଛିଡ଼ା ହୋଇଥିଲେ। ତାଙ୍କୁ ସମର୍ଥନ କରିଥିଲେ। ସିରାଜଙ୍କ ପାଖରେ ଥିବା ଦକ୍ଷତାକୁ ସେ ବୁଝିଥିଲେ। ଭାରତୀୟ ଟିମ ଓ ଆରସିବିରେ ତାଙ୍କୁ ବହୁତ ସୁଯୋଗ ବିରାଟ କୋହଲି ଦେଇଥିଲେ। ସବୁ ଶ୍ରେୟ ବିରାଟ କୋହଲିଙ୍କୁ ଯାଉଛି। ସିରାଜ ବିରିୟାନୀ ଖାଇବାକୁ ବେଶ ଭଲ ପାଆନ୍ତି। ଏବେ ସେ ବେଳେବେଳେ ବିରିୟାନୀ ଅଧିକ ମାତ୍ରାରେ ଖାଆନ୍ତି ବୋଲି ତାଙ୍କ ଭାଇ ଇସ୍ମାଇଲ୍ କହିଛନ୍ତି।
ସେ କହିଛନ୍ତି, “ଏବେ ସିରାଜ ଜଣେ ଭିନ୍ନ ଖେଳାଳି। ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚୟନ ନ ହେବାରୁ ସିରାଜ ପୂରା ଭାଙ୍ଗି ପଡ଼ିଥିଲେ। କିନ୍ତୁ ଏହା ତାଙ୍କୁ ଭିନ୍ନ ରୂପରେ ଗଢ଼ିଥିଲା। ସେ ଅଧିକରୁ ଅଧିକ ଅଭ୍ୟାସ କରିଥିଲେ।
ଅନେକ କଷ୍ଟକର ଟ୍ରେନିଂ କରିଥିଲେ। ଏହାର ଫଳ ଆପଣମାନଙ୍କ ସାମ୍ନାରେ ରହିଛି। ଚାମ୍ପିୟନ୍ସ ଟ୍ରଫି ଓ ଆଇପିଏଲ ମଧ୍ୟରେ ଥିବା ଗ୍ୟାପ ତାଙ୍କୁ ଉଭୟ ଶାରିରୀକ ଓ ମାନସିକ ଭାବେ ସଶକ୍ତ କରିଥିଲା। ଏହାପରେ ସେ ଆଇପିଏଲ ଖେଳିଥିଲେ। ସେଠାରେ ଭଲ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଇଂଲଣ୍ଡ ଟୁରରେ ତାଙ୍କ ଜଲୱା ଦେଖିବାକୁ ମିଳିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Siraj_1754394090.jpg)