Advertisment

Asia Cup: ଏସିଆ କପ ଟ୍ରଫି ଫେରାଇବାକୁ ମନାକଲେ ନକଭୀ, ବ୍ୟକ୍ତିଗତ ଭାବେ ସଂଗ୍ରହ କରିବାକୁ ସୂର୍ଯ୍ୟ କୁମାରଙ୍କୁ କହିଲେ

ନକଭୀ କହିଥିଲେ ଯେ ଯଦି ଭାରତୀୟ ଟିମ ଟ୍ରଫି ଚାହୁଁଛି, ତା’ହେଲେ ଦଳର କ୍ୟାପ୍ଟେନ ବ୍ୟକ୍ତିଗତ ଭାବେ ଏସିସି ଅଫିସକୁ ଆସି ଏହାକୁ ଗ୍ରହଣ କରନ୍ତୁ। ହେଲେ ଟ୍ରଫି କିଏ ଦେବେ, ସେକଥା ସ୍ପଷ୍ଟ ହୋଇନି।

author-image
Hemant Lenka
Asia-Cup

ଟ୍ରଫି ବିବାଦ

ଏସିଆ କପ(Asia Cup) ଟ୍ରଫି ବିଜୟୀ ଦଳ ଭାରତକୁ ହସ୍ତାନ୍ତର କରିବାକୁ ମନା କରି ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହଶିନ ନକଭୀ। ପିସିବି ମୁଖ୍ୟ ସହ ଏସିସି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ନକଭୀ ଟ୍ରଫି ଫେରାଇବା ବଦଳରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସେ ବ୍ୟକ୍ତିଗତ ଭାବେ ଏସିସି ଅଫିସକୁ ଆସି ଟ୍ରଫି ସଂଗ୍ରହ କରନ୍ତୁ ବୋଲି ନକଭୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କିନ୍ତୁ ଅଫିସରେ ଟ୍ରଫି କିଏ ସୂର୍ଯ୍ୟ କୁମାର ଯାଦବଙ୍କୁ ଦେବ, ସେକଥା ସ୍ପଷ୍ଟ ହୋଇନି। ଏବେ ଏସିସି ଦାୟିତ୍ୱରେ ନକଭୀ ଥିବାରୁ ସେ ହିଁ ସୂର୍ଯ୍ୟ କୁମାର ଯାଦବଙ୍କୁ ଅଫିସରେ ଟ୍ରଫି ହସ୍ତାନ୍ତର କରିବେ। ଏପରି ସ୍ଥିତିରେ ସୂର୍ଯ୍ୟ କୁମାର ଯାଦବ ତାଙ୍କ ଠାରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ସୂର୍ଯ୍ୟ କୁମାର ଯାଦବଙ୍କୁ ନକଭୀ ବ୍ୟକ୍ତିଗତ ଭାବେ ଏସିସି ଅଫିସରୁ ଟ୍ରଫି ସଂଗ୍ରହ କରିବାକୁ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

Advertisment

ରବିବାର ଏସିଆ କପ ଫାଇନାଲ(Cricket) ପରେ ଟ୍ରଫି ବିବାଦ ଦେଖିବାକୁ ମିଳିଥିଲା। ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଥିଲା। କିନ୍ତୁ ବିଜୟୀ ଭାରତ ନକଭୀଙ୍କ ହାତରୁ ଟ୍ରଫି ସଂଗ୍ରହ କରିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲା। ନକଭୀଙ୍କ ବଦଳରେ ୟୁଏଇ କ୍ରିକେଟ ବୋର୍ଡର ଉପାଧ୍ୟକ୍ଷଙ୍କ ହାତରୁ ଭାରତ ଟ୍ରଫି ନେବାକୁ ଚାହୁଁଥିଲା। ଷ୍ଟେଜ ଉପରେ ଏପରି ହଟହଟା ହେବା ପରେ ନକଭୀ ଟ୍ରଫି ଧରି ସିଧା ନିଜର ହୋଟେଲ ରୁମକୁ ଚାଲି ଯାଇଥିଲେ। ଜିତିବା ସତ୍ତ୍ୱେ ଭାରତ ବିନା ଟ୍ରଫିରେ ବିଜୟ ଉତ୍ସବ ପାଳିଥିଲା।

ନକଭୀ ଏସିଆ କପ ଟ୍ରଫିକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର କରିଥିବାରୁ ଏହାକୁ ବିସିସିଆଇ ତୀବ୍ର ସମାଲୋଚନା କରିଥିଲା। ଏସବୁ ଭିତରେ ମଙ୍ଗଳବାର ଅର୍ଥାତ ଫାଇନାଲ ମ୍ୟାଚ୍‌ର ଦୁଇ ଦିନ ପରେ ଏସିସି ବୈଠକ ବସିଥିଲା। ଏହି ବୈଠକରେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ଏସିଆ କପ ଟ୍ରଫି ଭାରତକୁ ହସ୍ତାନ୍ତର କରିବାକୁ ନକଭୀଙ୍କୁ କହିଥିଲେ।

ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜୀବ ଶୁକ୍ଳା ବାରମ୍ବାର ଟ୍ରଫି ଦାବି କରିବାରୁ ଏହାକୁ ବ୍ୟକ୍ତିଗତ ଭାବେ ଭାରତୀୟ ଅଧିନାୟକ ଏସିସି ଅଫିସକୁ ଆସି ସଂଗ୍ରହ କରନ୍ତୁ ବୋଲି ନକଭୀ କହିଥିବା ପାକ୍‌ ମିଡିଆରେ ଖବର ପ୍ରକାଶ ପାଇଛି। 

ମଙ୍ଗଳବାର ବୈଠକରେ ରାଜୀବ ଶୁକ୍ଳା ଟ୍ରଫି ପ୍ରସଙ୍ଗ ଉଠାଇବାରୁ ଏହାକୁ ନକଭୀ ବିରୋଧ କରିଥିଲେ। ବୈଠକର ଏଜେଣ୍ଡାରେ ଏହି ପ୍ରସଙ୍ଗ ନଥିବା କହି ସେ ପୂରା ଘଟଣାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଜୀବ ଶୁକ୍ଳା ବାରମ୍ବାର ଏହି ପ୍ରସଙ୍ଗ ଉଠାଇ ଚାଲିଥିଲେ। ଶେଷରେ ନକଭୀ କହିଥିଲେ ଯେ ଯଦି ଭାରତୀୟ ଟିମ ଟ୍ରଫି ଚାହୁଁଛି, ତା’ହେଲେ ଦଳର କ୍ୟାପ୍ଟେନ ବ୍ୟକ୍ତିଗତ ଭାବେ ଏସିସି ଅଫିସକୁ ଆସି ଏହାକୁ ଗ୍ରହଣ କରନ୍ତୁ। ହେଲେ ଟ୍ରଫି କିଏ ଦେବେ, ସେକଥା ସ୍ପଷ୍ଟ ହୋଇନି। 

ନକଭୀଙ୍କ ଏପରି ସର୍ତ୍ତକୁ ବିସିସିଆଇ ବିରୋଧ କରିଛି। ବୈଠକରେ ଉପସ୍ଥିତ ବିସିସିଆଇ ପ୍ରତିନିଧିମାନେ ଏସିଆ କପ ଟ୍ରଫିକୁ ତୁରନ୍ତ ଆଇସିସି ମୁଖ୍ୟାଳୟକୁ ପଠାଇବାକୁ ନକଭୀଙ୍କ ଉପରେ ଚାପ ପକାଇଥିଲେ। ତଥାପି ନକଭୀ ନିଜ ଜିଦରେ ଅଟଳ ରହିଛନ୍ତି। ତେଣୁ ଏହି ପ୍ରସଙ୍ଗ ବିସିସିଆଇ ପକ୍ଷରୁ ଆଇସିସିରେ ଉଠାଯିବ ବୋଲି ଜଣାପଡ଼ିଛି। 

Cricket Asia Cup