ମୋହଶୀନ ନକଭୀ
ଭାରତ ଠାରୁ କ୍ରିକେଟ(Cricket)ରେ କ୍ରମାଗତ ହାରି ଆସୁଥିବା ପାକିସ୍ତାନକୁ ଏବେ ଖୁସି ହେବାର ମଉକା ମିଳିଛି। ଏସିଆ କପରେ ଭାରତ ଠାରୁ ୩ଥର ହାରିଥିବା ପାକିସ୍ତାନର ସିନିୟର ଟିମକୁ ଜୁନିୟରମାନେ ଉତ୍ସବ ମନାଇବାର ସୁଯୋଗ ଦେଇଛନ୍ତି। କାରଣ ଦୋହାରେ ଅନୁଷ୍ଠିତ ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍ରେ ପାକିସ୍ତାନ ଶାହୀନ୍ସ (ପାକିସ୍ତାନ ଏ) ୮ ୱିକେଟରେ ଭାରତ ଏକୁ ହରାଇ ଦେଇଛି।
ପାକିସ୍ତାନ ଶାହୀନ୍ସ ଦମଦାର ପ୍ରଦର୍ଶନ କରି ଭାରତକୁ ପ୍ରଥମେ ୧୩୬ ରନରେ ଅଲଆଉଟ କରି ଦେଇଥିଲା। ଏହାପରେ ଧାର୍ଯ୍ୟ ୧୩୭ ରନର ଟାର୍ଗେଟକୁ ୪୦ ବଲ ପୂର୍ବରୁ ୨ ୱିକେଟ ହରାଇ ହାସଲ କରି ନେଇଥିଲା। ଏସିଆ କପ ରାଇଜିଂରେ ଏହା ପାକିସ୍ତାନ ଶାହୀନ୍ସର ଦ୍ୱିତୀୟ ବିଜୟ। ଏହି ବିଜୟ ସହ ଦଳ ସେମି ଫାଇନାଲକୁ ମଧ୍ୟ ଯୋଗ୍ୟତା ଅର୍ଜନ କରି ନେଇଛି।
ଭାରତ ଏ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ହାରିଛି। ତୃତୀୟ ମ୍ୟାଚ୍ ଓମାନ ସହ ରହିଛି। ଏହି ମ୍ୟାଚ୍ ଜିତି ଭାରତ ଏ ମଧ୍ୟ ସେମିକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।
କିନ୍ତୁ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଶାହୀନ୍ସ ଭାରତ ଏ ବିପକ୍ଷରେ ବିଜୟ ହାସଲ କରିଥିବାରୁ ଏହାକୁ ଟ୍ରଫି ହାସଲ କରିବା ଭଳି ସେଲିବ୍ରେଟ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହଶୀନ ନକଭୀ। ଭାରତର ସିନିୟର ଟିମ ଏସିଆ କପ ଫାଇନାଲରେ ପାକିସ୍ତାନକୁ ହରାଇଥିଲା।
ଏହାପରେ ନକଭୀ ବିଜୟ ଟ୍ରଫି ଭାରତକୁ ନ ଦେଇ ନିଜ ସହ ନେଇ ଯାଇଥିଲେ। ଏଯାଏ ମଧ୍ୟ ଭାରତୀୟ ଟିମକୁ ଏସିଆ କପ ମିଳିନାହିଁ। କିନ୍ତୁ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଶାହୀନ୍ସର ବିଜୟ ପରେ ସୋଶାଲ ମିଡିଆରେ ବେଶ ଉତ୍ସାହିତ ହୋଇ ପୋଷ୍ଟ କରିଛନ୍ତି ନକଭୀ।
ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ “ପାକିସ୍ତାନ ଓ ବୋର୍ଡ ପାଇଁ ଆଜି ଗୋଟିଏ ଗୌରବର ମୁହୂର୍ତ୍ତ। ଆମ ପାକିସ୍ତାନ ଶାହୀନ୍ସ ୮ ୱିକେଟରେ ଭାରତ ଏକୁ ପରାସ୍ତ କରିଛନ୍ତି। ଟାର୍ଗେଟକୁ ମାତ୍ର ୧୩.୨ ଓଭରରେ ହାସଲ କରି ନେଇଛନ୍ତି। ଦୋହାରେ ଚାଲିଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ପ୍ରଭାବଶାଳୀ, ଭୟ ନଥିବା ଓ ଅବିସ୍ମରୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ଆମର ୟଙ୍ଗ ଗନ୍ସଙ୍କ ଚମତ୍କାର କ୍ରିକେଟ। ପାକିସ୍ତାନର ଭବିଷ୍ୟତ ବେଶ ଉଜ୍ଜ୍ୱଳ। ପୂରା ଦେଶକୁ ଶୁଭେଚ୍ଛା।”
ସିନିୟର ଟିମ ଭଳି ଇଣ୍ତିଆ ଏର ଅଧିନାୟକ ଜିତେଶ ଶର୍ମା କିମ୍ବା ଦଳର କୌଣସି ଖେଳାଳି ମ୍ୟାଚ ପୂର୍ବରୁ କିମ୍ବା ପରେ ପାକିସ୍ତାନୀଙ୍କ ସହ ହାତ ମିଳାଇ ନାହାନ୍ତି। ୨୦୨୫ ଏସିଆ କପରେ ସୂର୍ଯ୍ୟ କୁମାର ଯାଦବଙ୍କ ଦଳ ମଧ୍ୟ ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇ ନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/17/naqvi-2025-11-17-17-16-40.jpg)