ଧୋନିଙ୍କ କ୍ରେଜ ଚେନ୍ନାଇ ସୁପର କିଙ୍ଗସକୁ କ୍ଷତି ପହଞ୍ଚାଉଛି?

ଧୋନି ୨୦୧୯ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଫ୍ୟାନ୍ସ ତାଙ୍କୁ କେବଳ ଆଇପିଏଲରେ ହିଁ ଦେଖିବାକୁ ପାଉଛନ୍ତି। କାରଣ ଧୋନି ଆଉ କୌଣସି ଫର୍ମାଟର କ୍ରିକେଟ ଖେଳୁ ନାହାନ୍ତି।

Dhoni

ମହେନ୍ଦ୍ର ସିଂହ ଧୋନି

Hemant Lenka
  • Published: Friday, 28 March 2025
  • , Updated: 28 March 2025, 04:30 PM IST

ଆଇପିଏଲ ପ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ବା ସିଏସକେ କହିଲେ ମହେନ୍ଦ୍ର ସିଂହ ଧୋନିଙ୍କୁ ବୁଝାଏ। ସିଏସକେ ଫ୍ୟାନ୍ସଙ୍କ ପାଇଁ ଧୋନି ହେଉଛନ୍ତି ଭଗବାନ। ଆଇପିଏଲ ଆରମ୍ଭ ହେବା ଦିନ ଠାରୁ ଧୋନି କହିଲେ ସିଏସକେ ଓ ସିଏସକେ କହିଲେ ଧୋନିଙ୍କୁ ବୁଝାଉଛି। ଆଇପିଏଲର ୨୦୨୪ ସଂସ୍କରଣ ବେଳେ ଧୋନିଙ୍କ କ୍ରେଜ ଆହୁରି ଅଧିକ ଦେଖିବାକୁ ମିଳିଥିଲା। ସିଏସକେ ନିଜ ହୋମ ଗ୍ରାଉଣ୍ଡ ଚେପକ ବାହାରେ ମ୍ୟାଚ୍‌ ଖେଳିବା ବେଳେ ମଧ୍ୟ ସେଠାକାର ଘରୋଇ ଦଳ ବଦଳରେ ଚେନ୍ନାଇ ଜର୍ସିରେ ଅଧିକ ଲୋକ ଷ୍ଟାଡିୟମକୁ ଆସୁଥିଲେ। ସିଏସକେ ପ୍ରତି ଲୋକଙ୍କ ଏତେ ଭଲ ପାଇବା ଦେଖି ସମସ୍ତେ ଚକିତ ହୋଇଥିଲେ। କିନ୍ତୁ ବାସ୍ତବରେ ଏପରି ଭିଡ଼ ପଛରେ କେବଳ ଧୋନି ଫ୍ୟାକ୍ଟର ହିଁ ରହିଛି।

ଧୋନି ୨୦୧୯ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ଫ୍ୟାନ୍ସ ତାଙ୍କୁ କେବଳ ଆଇପିଏଲରେ ହିଁ ଦେଖିବାକୁ ପାଉଛନ୍ତି। କାରଣ ଧୋନି ଆଉ କୌଣସି ଫର୍ମାଟର କ୍ରିକେଟ ଖେଳୁ ନାହାନ୍ତି।

ଧୋନିଙ୍କ ଏପରି କ୍ରେଜ ସିଏସକେର କ୍ଷତି ଘଟାଇ ଚାଲିଥିବା ଚର୍ଚ୍ଚା ହେଉଛି। ଚେନ୍ନାଇ ଜର୍ସି ପିନ୍ଧୁଥିବା ଫ୍ୟାନ୍ସ ପ୍ରଥମେ କେବଳ ଧୋନିଙ୍କ ସମର୍ଥକ। ସେମାନେ ଧୋନିଙ୍କ ପାଇଁ ଯେତିକି ଭଲ ପାଇବା ରଖିଛନ୍ତି, ବାସ୍ତବରେ ସେତିକି ବିଶ୍ୱସ୍ତ ଆଦୌ ପ୍ରାଞ୍ଚାଇଜ ପାଇଁ ନାହାନ୍ତି। ଧୋନି ଯଦି ଏବେ ଆଇପିଏଲରୁ ଅବସର ନେଇଯିବେ, ତା’ହେଲେ ସିଏସକେର ଫ୍ୟାନ୍ସ ମଧ୍ୟ ଅନେକାଂଶରେ ହ୍ରାସ ପାଇବେ। ଏହା ଆଦୌ ସିଏସକେର ମ୍ୟାନେଜମେଣ୍ଟ ପାଇଁ ସକାରାତ୍ମକ ଖବର ନୁହେଁ।

ସିଏସକେ ମ୍ୟାଚ୍‌ରେ ଭିଡ଼ କେବଳ ଧୋନିଙ୍କ ପାଇଁ ହେଉଛି। ଚେନ୍ନାଇକୁ ଫ୍ୟାନ୍ସ ଧୋନିଙ୍କ ପାଇଁ ସମର୍ଥନ କରୁଛନ୍ତି। ଧୋନିଙ୍କୁ ସେମାନେ ପଡ଼ିଆରେ ଦେଖିବାକୁ ଷ୍ଟାଡିୟମ ଆସୁଛନ୍ତି। ମ୍ୟାଚ୍‌ର ରେଜଲ୍ଟ ଯାହା ହେଲେ ବି ସେମାନଙ୍କର କୌଣସି ଫରକ ପଡ଼ୁ ନାହିଁ। ହଳଦିଆ ଜର୍ସି ପିନ୍ଧିଥିବା ଅନେକ ଫ୍ୟାନ୍ସ କେବଳ ଧୋନିଙ୍କ ଟିକିଏ ଝଲକ ଦେଖିବାକୁ ଷ୍ଟାଡିୟମରେ ଭିଡ଼ କରୁଛନ୍ତି। ଏହା କହିବା ଯଥାର୍ଥ। କାରଣ ଯଦି ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ହଳଦିଆ ଜର୍ସି ପିନ୍ଧିଥିବା ଲୋକ ସିଏସକେର ସମର୍ଥକ, ତା’ହେଲେ ସେମାନେ କେବେ ହେଲେ ନିଜ ଦଳର ଖେଳାଳି ଆଉଟ ହେଲେ ଚିୟର କରନ୍ତି ନାହିଁ। ସେମାନେ ସିଏସକେ ବ୍ୟାଟର ଆଉଟ ହେଲେ ଏଥିପାଇଁ ଚିୟର କରୁଛନ୍ତି, କାରଣ ଧୋନି ବ୍ୟାଟିଂ କରିବାକୁ ଆସିବେ। 

ଏକଥାରେ ସିଏସକେର ପୂର୍ବତନ ଖେଳାଳି ତଥା କ୍ରିକେଟରୁ ଅବସର ନେବା ପରେ ଭାଷ୍ୟକାର ସାଜିଥିବା ଅମ୍ବାତି ରାୟୁଡୁ ମଧ୍ୟ ଏକମତ ହୋଇଛନ୍ତି। ସେ କହିଛନ୍ତି, “ଏହା ନିଶ୍ଚିତ ଭାବେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା। ଏହା ଖେଳ ପ୍ରତି ଆଦୌ ଭଲ ସଙ୍କେତ ନୁହେଁ। ଯଦି ଆପଣ ଜଣେ ନୂଆ ଖେଳାଳି, ତା’ହେଲେ ଏପରି ସ୍ଥିତି ଆପଣଙ୍କ ପାଇଁ ବେଶ କଷ୍ଟକର। ଷ୍ଟାଡିୟମର ପରିବେଶ ବେଶ ଉତ୍ସାହନ ଜନକ। ସମର୍ଥନରେ କୌଣସି ପ୍ରକାରର ଅଭାବ ନାହିଁ।

କିନ୍ତୁ ଆପଣ ଯେତେବେଳେ ଷ୍ଟାଡିୟମକୁ ଓହ୍ଲାଇବେ ଓ ଖେଳିବେ ସେତେବେଳେ ଅନୁଭବ କରିବେ ଯେ ସମସ୍ତେ ଧୋନିଙ୍କ ଫ୍ୟାନ। ପ୍ରଥମେ ସେମାନେ ଧୋନିଙ୍କ ଫ୍ୟାନ୍ସ, ତା’ପରେ ସିଏସକେର ସମର୍ଥକ। ଏହା ମଧ୍ୟ ଏକ ସ୍ୱାଭାବିକ ଘଟଣା। କାରଣ ଏହି ଢାଞ୍ଚାରେ ହିଁ ଟିମକୁ ବର୍ଷବର୍ଷ ଧରି ତିଆରି କରାଯାଇଛି ଓ ଆଗକୁ ନିଆଯାଇଛି। ତାଙ୍କୁ ଥାଲା ଭାବେ ନାମିତ କରିବା ଠିକ ଓ ସେ ସିଏସକେର କମାଣ ସମ୍ଭାଳିଛନ୍ତି। ତାଙ୍କ ପାଇଁ ସମସ୍ତେ ପାଗଳ।”

ଚେନ୍ନାଇର ମ୍ୟାଚ୍‌ ବେଳେ ବିପୁଳ ସଂଖ୍ୟାରେ ଲୋକ ସିଏସକେ ଜର୍ସିରେ ଷ୍ଟାଡିମୟକୁ ଆସନ୍ତି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଛି ଯେ ହଳଦିଆ ଜର୍ସିରେ ଥିବା ଫ୍ୟାନ୍ସ ନିଜ ଦଳର ଅନ୍ୟ ଖେଳାଳି ଆଉଟ ହେବା ପରେ ବେଶ ଚିୟର କରନ୍ତି। କାରଣ ସିଏସକେର ଅନ୍ୟ ଖେଳାଳିମାନେ ଆଉ ହେଲେ ଧୋନିଙ୍କୁ ସେମାନେ ବ୍ୟାଟିଂ କରୁଥିବା ଦେଖିବାକୁ ପାଇବେ ବୋଲି ଆଶାରେ ଏମିତି କରନ୍ତି।

ଗତ ସପ୍ତାହରେ ଚେପକରେ ସିଏସକେ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ହେଉଥିଲା। ଏହି ସମୟରେ ୧୫୬ ରନର ପିଛା କରୁଥିବା ଚେନ୍ନାଇ ଭଲ ଆରମ୍ଭ ପରେ ଏକାଧିକ ୱିକେଟ ହରାଇଥିଲା। କିନ୍ତୁ ନିଜ ଦଳର ଖେଳାଳି ଆଉଟ ହେବା କ୍ଷଣି ସିଏସକେ ଫ୍ୟାନ୍ସ ତାଳି ମାରି ଚାଲିଥିଲେ। ଖେଳାଳି ଆଉଟ ହେଉଥିବାରୁ ଧୋନି ଆସିବା ଆଶାରେ ସେମାନେ ଏମିତି କରୁଥିଲେ। ଚେନ୍ନାଇ ସହ ପୂର୍ବରୁ ଥିବା ଖେଳାଳିମାନେ ମଧ୍ୟ ଫ୍ୟାନ୍ସଙ୍କ ଏପରି ହରକତ ଦେଖି ଅନେକ ସମୟରେ ଚକିତ ହୋଇଛନ୍ତି।

ବେଶ କିଛି ବର୍ଷ ହେଲାଣି ଧୋନିଙ୍କୁ ଛାଡ଼ି ସିଏସକେର ଅନ୍ୟ ଖେଳାଳିମାନଙ୍କ ସହ ଏପରି ଘଟଣା ଘଟି ଚାଲିଛି। ଏ ସମ୍ପର୍କରେ ରାୟୁଡୁ କହିଛନ୍ତି, “କିଛି ଖେଳାଳି ଏହାକୁ ବେଶ କିଛି ବର୍ଷ ହେଲା ସାମ୍ନା କରୁଛନ୍ତି। ସେମାନେ ଅବଶ୍ୟ ସାମ୍ନାକୁ ଆସି ଏ ସମ୍ପର୍କରେ କିଛି ବି କହିନାହାନ୍ତି। ହେଲେ ମନ ଭିତରେ ସେମାନେ ଫ୍ୟାନ୍ସଙ୍କ ହରକତ ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଆମେ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କୁ ଭଲ ପାଉ ଓ ସେମାନେ ମଧ୍ୟ ଧୋନିଙ୍କୁ ଭଲ ପାଆନ୍ତି। ତଥାପି ଜଣେ କ୍ରିକେଟର ହିସାବରେ ଏକଥା ସାମାନ୍ୟ ଦୁଃଖ ଦିଏ। ଖେଳାଳି ହିସାବରେ ବ୍ୟାଟିଂ କରିବାକୁ ଯିବା ବେଳେ ନିଜ ଦଳର ଫ୍ୟାନ୍ସ ନାରା ଦିଅନ୍ତି। ଆପଣ କେମିତି ଶୀଘ୍ର ଆଉଟ ହୋଇ ଯାଆନ୍ତୁ ସେମାନେ କୁହନ୍ତି। ନଚେତ ଆପଣ ଆଉଟ ହୋଇ ଫେରି ଆସନ୍ତୁ ବୋଲି ସେମାନେ ଆଶା କରନ୍ତି।”

ଏପରି ସମସ୍ୟାର ସମାଧାନ କେବଳ ଧୋନି ହିଁ କରିପାରିବେ। ଏଥିସହ ପ୍ରାଞ୍ଚାଇଜ ମଧ୍ୟ ୫ଥରର ଆଇପିଏଲ ବିଜେତା ଅଧିନାୟକ ଧୋନିଙ୍କୁ ଛାଡ଼ି କିଛି କାର୍ଯ୍ୟକ୍ରମ ହାତକୁ ନେବା ଦରକାର। ଯଦି ଧୋନି ଏପରି ସମସ୍ୟାକୁ ବନ୍ଦ କରିବାକୁ ଚାହାନ୍ତି, ତା’ହେଲେ ସେ ସାମ୍ନାକୁ ଆସନ୍ତୁ ଓ କୁହନ୍ତୁ ଯେ ‘ସମସ୍ତେ ସିଏସକେର ଖେଳାଳି। ମୋ ଭଳି ସେମାନେ ମଧ୍ୟ ଦଳ ପାଇଁ ବ୍ୟାଟିଂ କରୁଛନ୍ତି। ମୋ ଭଳି ସେମାନଙ୍କୁ ମଧ୍ୟ ଫ୍ୟାନ୍ସଙ୍କ ସମର୍ଥନ ଆବଶ୍ୟକ।’ କିମ୍ବା ଫ୍ୟାନ୍ସଙ୍କୁ ସିଏସକେର ଅନ୍ୟ ଖେଳାଳିଙ୍କ ପ୍ରତି ଆକୃଷ୍ଟ କରିବା ପାଇଁ ଧୋନି ଆଉ କିଛି ପଦକ୍ଷେପ ନେଲେ ମଧ୍ୟ ଭଲ।

ଏହା ସିଏସକେର ଅନ୍ୟ ଖେଳାଳିଙ୍କ ପାଇଁ ବେଶ ସକାରାତ୍ମକ ପରିବେଶ ସୃଷ୍ଟି କରିବ। କେବଳ ଚେନ୍ନାଇ କିମ୍ବା ଖେଳାଳିମାନଙ୍କ ପାଇଁ ନୁହେଁ ବରଂ ପ୍ରାଞ୍ଚାଇଜ ପାଇଁ ଚ୍ୟାଲେଞ୍ଜିଂ। କାରଣ ସେମାନେ ଧୋନିଙ୍କୁ ବାଦ ଦେଲେ ଏତେ ଭିଡ଼ ସୃଷ୍ଟି କରିପାରିବେ ନାହିଁ। କାର୍ଯ୍ୟ ଦିବସରେ ମ୍ୟାଚ୍‌ ହେଲେ ମଧ୍ୟ ଏବେ ଭିଡ଼ ହେଉଛି। ଚେନ୍ନାଇ ସମର୍ଥକଙ୍କ ଭିଡ଼ ଜମୁଛି। ଏହା ପଛରେ କେବଳ ଧୋନି। ତାଙ୍କୁ ଟକ୍କର ଦେବା ଭଳି କୌଣସି କ୍ରିକେଟର ନାହାନ୍ତି ସତ। ଧୋନିଙ୍କ ବିନା ଚେନ୍ନାଇ କିଛି ନୁହେଁ। ଏକଥା ପ୍ରାଞ୍ଚାଇଜ ମଧ୍ୟ ଭଲ ଭାବେ ଜାଣିଛି।

କାରଣ ବର୍ଷବର୍ଷ ଧରି ସେମାନେ ଧୋନିଙ୍କୁ ଆଗରେ ରଖି ଟିମ ଗଠନ କରିଛନ୍ତି। ପ୍ରାଞ୍ଚାଇଜ ପ୍ରତି ଫ୍ୟାନ୍ସଙ୍କୁ ଆକୃଷ୍ଟ କରିବା ପାଇଁ ସେମାନେ ଆଉ କୌଣସି ଖେଳାଳିଙ୍କୁ ଗଢ଼ି ନାହାନ୍ତି। ସମ୍ଭବତଃ ପ୍ରାଞ୍ଚାଇଜର ଏପରି ଆଭିମୁଖ୍ୟ ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ବ୍ରାଣ୍ଡିଂର ପ୍ରମୋସନ ଓ ପ୍ରାଞ୍ଚାଇଜ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା କଷ୍ଟକର ହୋଇଯିବ। ତେଣୁ ଏବେ ଠାରୁ ପ୍ରାଞ୍ଚାଇଜ ଧୋନିଙ୍କୁ ବାଦ ଦେଇ କେମିତି ସିଏସକେକୁ ଆଗକୁ ନେବ, ତା’ ଉପରେ ଏବେ ଠାରୁ ବିଚାର ଆରମ୍ଭ କରିବା ଦରକାର।

Related story