MSD
ପୁଣିଥରେ ଛୋଟ ଧରଣର ବିସ୍ଫୋରଣ କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଶେଷ ଭାଗରେ ଧୋନି ଖେଳିଛନ୍ତି ୯ ବଲରେ ଅପରାଜିତ ୨୮ ରନର ଇନିଂସ। ମୁମ୍ବାଇ ବିପକ୍ଷରେ ୪ ବଲରେ ଅପରାଜିତ ୨୦ ରନର ଇନିଂସ ଖେଳିଥିବା ଧୋନି ଆଜି ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିରୋଧରେ କମାଲ କରିଛନ୍ତି।
ଧୋନିଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଅପରାଜିତ ୫୭ ରନ କରିଛନ୍ତି। ଏହି ଦୁଇ ଇନିଂସ ବଳରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଛି। ଏବେ ଲକ୍ଷ୍ନୌକୁ ମ୍ୟାଚ୍ ଜିତିବା ପାଇଁ ୧୭୭ ରନର ଟାର୍ଗେଟ ମିଳିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ଓଭରରେ ଓପନର ରଚିନ ରବୀନ୍ଦ୍ର(୦)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମୋହଶିନ ଖାନ ନେଇଥିଲେ। ୫ମ ଓଭରେ ଦଳ ଅଧିନାୟକ ଋତୁରାଜ ଗାଏକ୍ୱାଡ(୧୩)ଙ୍କୁ ହରାଇଥିଲା। ଦଳୀୟ ସ୍କୋର ୬୮ ଥିବା ବେଳେ ଓପନର ଅଜିଙ୍କ୍ୟ ରାହାଣେ ବ୍ୟକ୍ତିଗତ ଭାବେ ୩୬ ରନ କରି କୃନାଲ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇ ଯାଇଥିଲେ।
ଇନଫର୍ମ ଶିବମ ଦୁବେ ଆଜି କେବଳ ୧ ରନ କରିଛନ୍ତି। ରାହାଣେଙ୍କ ବଦଳରେ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟାଟିଂ କରିବାକୁ ଆସିଥିବା ସମୀର ରିଜଭୀ(୧) କୃନାଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୯୦ ରନରେ ଦଳ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଗୋଟିଏ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ରବୀନ୍ଦ୍ର ଜାଡେଜା ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ମୋଇନ ଅଲୀଙ୍କୁ ସାଥୀ କରି ସେ ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ମୋଇନ ମଧ୍ୟ ରବି ବିଷ୍ଣୋଇଙ୍କୁ ଲଗାତର ୩ଟି ଛକା ମାରି ଦଳୀୟ ସ୍କୋରକୁ ୧୪୧ରେ ପହଞ୍ଚାଇ ଦେଇଥିଲେ।
କିନ୍ତୁ ପୁଣି ବଡ଼ ଶଟ ମାରିବାକୁ ଚେଷ୍ଟା କରି ସେହି ବିଷ୍ଣୋଇଙ୍କ ବଲରେ ମୋଇନ ଅଲୀ ଆଉଟ ହୋଇ ଯାଇଥିଲେ। ସେ ୨୦ ବଲରେ ୩୦ ରନର ଇନିଂସ ଖେଳିଥିଲେ।
ଦଳୀୟ ସ୍କୋର ୧୭.୫ ଓଭରରେ ୧୪୧ ଥିବା ବେଳେ ମହେନ୍ଦ୍ର ସିଂହ ଧୋନି କ୍ରିଜ୍କୁ ଆସିଥିଲେ। ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ମାତ୍ର ୪ ବଲରେ ୨୦ ରନ କରିଥିବା ଧୋନି ଆଜି ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
ଶେଷ ୧୩ ବଲରୁ ଏକାକୀ ୯ ବଲ ଖେଳିଥିବା ଧୋନି ଅପରାଜିତ ୨୮ ରନ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୭୬ ରନରେ ପହଞ୍ଚାଇ ଦେଇଥିଲେ। ଧୋନି ତାଙ୍କ ଇନିଂସରେ ୨ଟି ଛକା ଓ ୩ଟି ଚୌକା ମାରିଛନ୍ତି। ଜାଡେଜା ଶେଷ ଯାଏ ୪୦ ବଲରେ ୫୭ ରନ କରି ଅପରାଜିତ ରହିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ କୃନାଲ ପାଣ୍ଡ୍ୟା ୨ଟି ୱିକେଟ ନେଇଥିବା ବେଳେ ମୋହଶିନ, ୟାଶ ଠାକୁର, ରବି ବିଷ୍ଣୋଇ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MSD_1713542090.jpg)