/odisha-reporter/media/media_files/2026/02/14/ms-dhoni-2026-02-14-13-45-13.jpg)
ବିରାଟ ଓ ଧୋନି (ଫାଇଲ ଫଟୋ)
ରୋହିତ ଶର୍ମାଙ୍କ ଠାରୁ କ୍ୟାପ୍ଟେନ୍ସି ପଦ ଶୁବମନ ଗିଲଙ୍କୁ ଦିଆଯିବା ଘଟଣା ୨୦୨୫ରେ ବେଶ ଚର୍ଚ୍ଚାର ବିଷୟ ଥିଲା। ଏବେ କିନ୍ତୁ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ୨୦୧୭ରେ ବିରାଟ କୋହଲି କେଉଁ ପରିସ୍ଥିତିରେ କ୍ୟାପ୍ଟେନ୍ସି ପଦ ଗ୍ରହଣ କରିଥିଲେ, ତା’ର ତଥ୍ୟ ସାର୍ବଜନୀନ ହୋଇଛି।
୨୦୧୪ରେ ମହେନ୍ଦ୍ର ସିଂହ ନିଜ ଆଡ଼ୁ ଟେଷ୍ଟ କ୍ୟାପ୍ଟେନ୍ସି ପଦ ଛାଡ଼ିଥିଲେ। ଏହାପରେ ୨୦୧୭ରେ ବିରାଟ କୋହଲି ଭାରତୀୟ କ୍ରିକେଟର ସବୁ ଫର୍ମାଟରେ କ୍ୟାପ୍ଟେନ୍ସି ଦାୟିତ୍ୱ ପାଇଥିଲେ। ସେତେବେଳେ କୁହାଯାଇଥିଲା ଯେ ଧୋନି ନିଜ ଇଚ୍ଛାରେ ସୀମିତ ଓଭର କ୍ରିକେଟରେ କ୍ୟାପ୍ଟେନ୍ସି ପଦ ଛାଡ଼ିଛନ୍ତି।
କିନ୍ତୁ ପ୍ରକୃତ କଥା ହେଉଛି ଯେ ଧୋନି ନିଜ ଇଚ୍ଛାରେ ନୁହେଁ, ବରଂ ବିସିସିଆଇ(Bcci) କଥାରେ ଏପରି ପଦକ୍ଷେପ ନେଇଥିଲେ। ବିସିସିଆଇର ଚୟନ କମିଟି ପକ୍ଷରୁ ତାଙ୍କୁ ଅଧିନାୟକ ପଦ ଛାଡ଼ିବାକୁ କୁହାଯାଇଥିଲା। ଏପରି କି ସେ ପଦ ଛାଡ଼ିବାକୁ ନିଜ ଆଡ଼ୁ ନିଷ୍ପତ୍ତି ନେଇଥିବା ଇ-ମେଲ ଯୋଗୁ ବିସିସିଆଇକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ପାଇଥିଲେ।
ଏକଥା ନିଜେ ସେହି ସମୟରେ ବିସିସିଆଇ ଚୟନ କମିଟିରେ ଥିବା ଯତୀନ ପରଞ୍ଜପେ କହିଛନ୍ତି। ସେ ଓ ତତ୍କାଳୀନ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କେମିତି ଧୋନି(MS Dhoni)ଙ୍କୁ ସବୁ କଥା କହିଥିଲେ ଓ ୨୦୧୭ରେ କ୍ୟାପ୍ଟେନ୍ସି ଛାଡ଼ିବାକୁ ପ୍ରସ୍ତାବ ଦେଇଥିଲେ, ତା’ ଉପରୁ ପରାଦ ହଟାଇଛନ୍ତି।
ଗୋଟିଏ କାର୍ଯ୍ୟକ୍ରମରେ ଯତୀନ କହିଛନ୍ତି ଯେ “ମାହି(ଧୋନି) ବ୍ୟାଟିଂ କରୁଥିଲେ। ସେ ପ୍ରାୟ ୧ ଘଣ୍ଟା ଧରି ବ୍ୟାଟିଂ କରୁଥିବା ବେଳେ ମୁଁ ଓ ଏମଏସ୍କେ କେବଳ ପରସ୍ପରକୁ ଚାହୁଁଥିଲୁ। ତାଙ୍କୁ ସବୁ କଥା କେମିତି ଅତ୍ୟନ୍ତ ସମ୍ମାନଜନକ ଭାବେ କହିବୁ, ସେଥିପାଇଁ ଆମେ ପ୍ରସ୍ତୁତ ହୋଇଥିଲୁ। ତେଣୁ ଆମେ ତାଙ୍କ ପାଖକୁ ଯାଇଥିଲୁ ଓ କହିଥିଲୁ ଯେ “ତୁମ ଜାଣିଛ ମାହି, ଆମେ ଭାବୁଛୁ ଯେ ଏବେ ଆଗକୁ ବଢ଼ିବାର ଉପଯୁକ୍ତି ସମୟ।”
ଧୋନିଙ୍କ ଜବାବରେ ଆଦୌ ବିଦ୍ରୋହ ନଥିଲା, ବରଂ ସେ ସହମତି ପ୍ରକାଶ କରିବା ଭଳି କଥା କହିଥିବା ଯତୀନ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ “ଏମଏସ୍କେଙ୍କୁ ଧୋନି କହିଥିଲେ ଯେ ‘ଆନ୍ନା ଏହା ଉପଯୁକ୍ତ ନିଷ୍ପତ୍ତି। ମୋ ଠାରୁ ଆପଣ କ’ଣ ଚାହୁଁଛନ୍ତି କୁହନ୍ତୁ।’ ଏମଏସ୍କେ ତାଙ୍କୁ କହିଥିଲେ ଯେ ତୁମେ ଆଗକୁ ବଢ଼ିବାକୁ ଚାହୁଁଥିବା ଲିଖିତ ଭାବେ ତୁମକୁ ଦେବାକୁ ପଡ଼ିବ। ଧୋନି ଠିକ ଅଛି, ମୁଁ କରିଦେବି ବୋଲି କହିଥିଲେ।
ସେହିଦିନ ବିଳମ୍ବିତ ରାତିରେ ଆମେ ଗୋଟିଏ ଇ-ମେଲ ପାଇଥିଲୁ। ଏଥିରେ ଧୋନି ଲେଖିଥିଲେ ଯେ ‘ମୁଁ କ୍ୟାପ୍ଟେନ୍ସି ପଦ ଛାଡ଼ିବାକୁ ଚାହୁଁଛି। ଆପଣମାନେ ଏବେ ଏହାର ନିଷ୍ପତ୍ତି ନିଅନ୍ତୁ।’ ଆମେ ଏଥିପାଇଁ ସମାଲୋଚନାର ଶିକାର ହୋଇଥିଲୁ। କିନ୍ତୁ ଏହି ସବୁ କଠିନ ନିଷ୍ପତ୍ତି ଆପଣଙ୍କୁ ନେବାକୁ ପଡ଼ିବ।”
ଯତୀନ ଆହୁରି କହିଛନ୍ତି ଯେ ୨୦୧୭ରେ କ୍ୟାପ୍ଟେନ୍ସି ପଦ ପାଇଥିବା ବିରାଟ କୋହଲି(Virat Kohli)ଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ ବିସିସିଆଇକୁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି, “ଧୋନି କହିଥିଲେ ଯେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ବିରାଟଙ୍କ ସହ ସଂପୂର୍ଣ୍ଣ ଭାବେ କାମ କରିବି। ସେ ମୋ ଭାଇ ଭଳି।
ମୋ ଠାରୁ ତାଙ୍କୁ ଯାହା ଆବଶ୍ୟକ, ସେସବୁ ମୁଁ କରିବି। ମୋ ପାଖରେ ଯାହା ସବୁ ଅଭିଜ୍ଞତା ରହିଛି, ସେସବୁ ମୁଁ ତାଙ୍କୁ(ବିରାଟ) ଦେବି। ଆମେ ଗୋଟିଏ ଭଲ ଟିମ ତିଆରି କରିବ।”
୨୦୧୭ରେ ଧୋନିଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ସେତେବେଳକୁ ସେ ଆଇସିସିର ସମସ୍ତ ଟାଇଟଲ କ୍ୟାପ୍ଟେନ ଭାବେ ଜିତି ସାରିଥିଲେ। ଧୋନିଙ୍କ ନେତୃତ୍ୱରେ ୨୦୦୭ରେ ଭାରତ ଟି-୨୦, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
