Advertisment

ଡେବ୍ୟୁ ମ୍ୟାଚ୍‌ରେ ମ୍ୟାକେଞ୍ଜିଙ୍କ ୱିକେଟ ନେଲେ ମୁକେଶ, ୱେଷ୍ଟଇଣ୍ଡିଜ ୨୨୯/୫

ଗତକାଲି ୱେଷ୍ଟଇଣ୍ଡିଜ ୮୬/୧ରୁ ଖେଳ ଆରମ୍ଭ କରିଥିଲେ। ଯଥାକ୍ରମେ ୩୭ ଓ ୧୪ ରନ୍ କରି ଅପରାଜିତ ରହିଥିବା କ୍ରେଗ ବ୍ରାଥୱେଟ ଓ କିର୍କ ମ୍ୟାକେଞ୍ଜି ଇନିଂସକୁ ଆଗେଇ ନେଇଥିଲେ।

author-image
Jitendra Garnayak
Mukesh Kumar

Mukesh Kumar

ପୋର୍ଟ ଅଫ୍ ସ୍ପେନ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳା ଯାଉଥିବା ବେଳେ ଘରୋଇ ଦଳ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୨୯ ରନ୍ କରିଛି।

Advertisment

ଗତକାଲି ୱେଷ୍ଟଇଣ୍ଡିଜ ୮୬/୧ରୁ ଖେଳ ଆରମ୍ଭ କରିଥିଲେ। ଯଥାକ୍ରମେ ୩୭ ଓ ୧୪ ରନ୍ କରି ଅପରାଜିତ ରହିଥିବା କ୍ରେଗ ବ୍ରାଥୱେଟ ଓ କିର୍କ ମ୍ୟାକେଞ୍ଜି ଇନିଂସକୁ ଆଗେଇ ନେଇଥିଲେ।

ମ୍ୟାକେଞ୍ଜି ୩୨ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ମୁକେଶ କୁମାର ତାଙ୍କ ୱିକେଟ୍ ନେଇଥିଲେ। ମୁକେଶଙ୍କ ବଲରେ ୱିକେଟ କିପର ଈଶାନ କିଶନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ମ୍ୟାକେଞ୍ଜି।

Advertisment

ଏହା ପରେ କ୍ରିଜ୍‌କୁ ଆସିଥିଲେ ଜର୍ମେନ ବ୍ଲାକଉଡ୍‌। ତାଙ୍କୁ ସାଥୀ କରି ଅଧିନାୟକ କ୍ରେଗ୍ ବ୍ରାଥୱେଟ ଏକ ବଡ଼ ସ୍କୋର ଲକ୍ଷ୍ୟରେ ଖେଳୁଥିଲେ। ତେବେ ସେ ୭୫ ରନ୍ କରିଥିବା ବେଳେ ତାଙ୍କ ବାଟ ଓଗାଳିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ଅଶ୍ୱିନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ୨୩୫ଟି ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ କ୍ରେଗ ବ୍ରାଥୱେଟ ୭୫ ରନ୍ କରିଥିଲେ।

ଦଳୀୟ ସ୍କୋର ୧୫୭ରେ ପହଞ୍ଚିଥିବା ବେଳେ ବ୍ରାଥୱେଟ ଆଉଟ୍ ହୋଇଥିଲେ। ସେହିପରି ଦଳର ସ୍କୋର ୧୭୮ରେ ପହଞ୍ଚିଥିବା ବେଳେ ପଡ଼ିଥିଲା ଆଉ ଏକ ୱିକେଟ୍। ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଆଜିଙ୍କ୍ୟ ରାହାଣେଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବ୍ଲାକଉଡ୍‌। ସେ ୯୨ଟି ବଲ୍‌ର ସମ୍ମୁଖୀନ ହୋଇ ୨ଟି ଚୌକା ସହାୟତାରେ କରିଥିଲେ ମାତ୍ର ୨୦ ରନ୍। ଜୋଶୁଆ ଡା ସିଲଭା ୨୬ଟି ବଲରୁ ୧୦ ରନ୍ କରିଥିବା ବେଳେ ମହମ୍ମଦ ସିରାଜଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

ଆଲିକ ଆଥାଞ୍ଜି ୩୭ (୧୧୧ ବଲ୍‌, ୩ ଚୌକା) ଓ ଜାଶନ ହୋଲ୍ଡର ୧୧ (୩୯ ବଲ୍‌, ୧ ଚୌକା) ରନ୍ କରି ଅପରାଜିତ ଅଛନ୍ତି। ଏଦୁହେଁ ଆଜି ପୁଣି ଦଳର ପ୍ରଥମ ଇନିଂସକୁ ଆଗେଇ ନେବେ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ମୁକେଶ କୁମାର ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୪୩୮ ରନ୍ କରିଛି। ତା’ ମଧ୍ୟରେ ରହିଛି ବିରାଟ କୋହଲିଙ୍କ ୧୨୧ ରନ୍‌। ସେହିପରି ଯଶସ୍ୱୀ ଜୈସ୍ୱାଲ ୫୭, ରୋହିତ ଶର୍ମା ୮୦, ରବୀନ୍ଦ୍ର ଜାଡ଼େଜା ୬୧ ଓ ରବିଚନ୍ଦ୍ରନ ଅଶ୍ୱିନ ୫୬ ରନ୍ କରିଛନ୍ତି।

INDvsWI