Advertisment

୨୭ ବର୍ଷ ପରେ ଇରାନୀ କପ ଜିତିଲା ମୁମ୍ବାଇ

ପ୍ରଥମ ଇନିଂସରେ ମୁମ୍ବାଇ ସର୍ଫରାଜ ଖାନଙ୍କ ଦମଦାର ଅପରାଜିତ ୨୨୨ ରନ ବଳରେ ବିଶାଳ ୫୩୭ ରନ କରିଥିଲା। ଏହାର ଜବାବରେ ରେଷ୍ଟ ଅଫ ଇଣ୍ଡିଆର ଅଭିମନ୍ୟୁ ଈଶ୍ୱରନ ୧୯୧ ରନ କରିଥିଲେ। ଧ୍ରୁବ ଜୁରେଲ ମଧ୍ୟ ୯୩ ରନର ଇନିଂସ ଖେଳିଥିଲେ।

author-image
Hemant Lenka
Mumbai

Mumbai

ରଣଜୀ ଟ୍ରଫି ବିଜେତା ମୁମ୍ବାଇ ଇରାନୀ କପରେ କମାଲ କରିଛି। ଦଳ ରେଷ୍ଟ ଅଫ ଇଣ୍ଡିଆକୁ ହରାଇ ୨୭ ବର୍ଷ ପରେ ଇରାନୀ କପ ତୋଳି ଧରିବାକୁ ସକ୍ଷମ ହୋଇଛି। ଅଜିଙ୍କ୍ୟ ରାହାଣେଙ୍କ କ୍ୟାପ୍ଟେନ୍ସିରେ ଖେଳୁଥିବା ମୁମ୍ବାଇ ପ୍ରଥମ ଇନିଂସର ଅଗ୍ରଣୀ ଆଧାରରେ ବିଜେତା ହୋଇପାରିଛି। 

Advertisment

ପ୍ରଥମ ଇନିଂସରେ ମୁମ୍ବାଇ ସର୍ଫରାଜ ଖାନଙ୍କ ଦମଦାର ଅପରାଜିତ ୨୨୨ ରନ ବଳରେ ବିଶାଳ ୫୩୭ ରନ କରିଥିଲା। ଏହାର ଜବାବରେ ରେଷ୍ଟ ଅଫ ଇଣ୍ଡିଆର ଅଭିମନ୍ୟୁ ଈଶ୍ୱରନ ୧୯୧ ରନ କରିଥିଲେ। ଧ୍ରୁବ ଜୁରେଲ ମଧ୍ୟ ୯୩ ରନର ଇନିଂସ ଖେଳିଥିଲେ।

କିନ୍ତୁ ପୂରା ଟିମ ଶାମ୍ସି ମୁଲାନୀ ଓ ତନୁଶ କୋଟିୟାନଙ୍କ ସ୍ପିନ ଜାଲରେ ଫସି ଯାଇଥିଲା। ଉଭୟ ୩ଟି ଲେଖାଏ ୱିକେଟ ନେବାରୁ ରେଷ୍ଟ ଅଫ ଇଣ୍ଡିଆ ୪୧୬ ରନରେ ଅଟକି ଯାଇଥିଲା।

Advertisment

ଫଳରେ ମୁମ୍ବାଇକୁ ୧୨୧ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ମିଳିଥିଲା। ଦ୍ୱିତୀୟ ଇନିଂସର ପୃଥ୍ୱୀ ଶ’ଙ୍କ ୭୬ ଓ ତନୁଶ କୋଟିୟାନଙ୍କ ଅପରାଜିତ ୧୧୪ ରନ ବଳରେ ମୁମ୍ବାଇ ଶେଷ ଦିନର ଚା’ ପାନ ବିରତି ଯାଏ ବ୍ୟାଟିଂ କରିଥିଲା।

ଦଳର ସ୍କୋର ୩୨୯/୮ ଥିବା ବେଳେ ରାହାଣେ ପାଳି ଘୋଷଣା କରିଥିଲେ। ତେବେ ମ୍ୟାଚ୍‌ ଡ୍ର ଆଡ଼କୁ ଯାଉଥିବାରୁ ଉଭୟ ଟିମର ସହମତି ଆଧାରରେ ଏହାକୁ ସେଇଠାରେ ବନ୍ଦ କରାଯାଇଥିଲା। ପ୍ରଥମ ଇନିଂସ ଲିଡ ଆଧାରରେ ମୁମ୍ବାଇ ଇରାନୀ ଟ୍ରଫି ଚାମ୍ପିୟନ ହୋଇଥିଲା।

ମୁମ୍ବାଇ ଏଥରକୁ ମିଶାଇ ୧୫ଥର ପାଇଁ ଇରାନୀ କପ ଜିତିଛି। କିନ୍ତୁ ଏଥର ଦଳକୁ ଟ୍ରଫି ପାଇଁ ୨୭ ବର୍ଷ ଅପେକ୍ଷା କରିବାକୁ ପଡ଼ିଛି। ଦଳ ଶେଷଥର ପାଇଁ ୧୯୯୭/୯୮ରେ ଇରାନୀ କପ ଜିତିଥିଲା। ଏହା ପରଠାରୁ ଇରାନୀ କପ ଜିତିବାକୁ ଦଳ ସୌଭାଗ୍ୟ ପାଇ ନଥିଲା।

ଚଳିତ ବର୍ଷ ରଣଜୀ ଟ୍ରଫି ଜିତିବା ପରେ ମୁମ୍ବାଇ ଇରାନୀ କପ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ମୁମ୍ବାଇ ସାମ୍ନାରେ ଭାରତର ବଛା ବଛା ଖେଳାଳି ରହିଥିଲେ। କିନ୍ତୁ ରାହାଣେଙ୍କ ମୁମ୍ବାଇ ଚମତ୍କାର ପ୍ରଦର୍ଶନ କରି ଋତୁରାଜ ଗାଏକ୍ୱାଡଙ୍କ ରେଷ୍ଟ ଅଫ ଇଣ୍ଡିଆକୁ ହରାଇ ଇରାନୀ କପ ହାତେଇଛି।

Mumbai Ranji Trophy Irani Cup