ପୁଣି ଗୋଟିଏ ରୋମାଞ୍ଚକର ମ୍ୟାଚ୍‌: ଶେଷ ବଲରେ ବାହାରିଲା ରେଜଲ୍ଟ

ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ୨ ରନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ହରାଇବାକୁ ସକ୍ଷମ ହୋଇଛି।

ମ୍ୟାଚ୍‌ ପରେ ଦୁଇ ଦଳର ଖେଳାଳି

  • Published: Wednesday, 12 April 2023
  • , Updated: 12 April 2023, 10:37 AM IST

ଚଳିତ ଆଇପିଏଲରେ ପ୍ରତିଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାରେ ଲାଗିଛନ୍ତି। ପୁଣିଥରେ ଗୋଟିଏ ମ୍ୟାଚ୍‌ର ରେଜଲ୍ଟ ଶେଷ ବଲରେ ବାହାରିଛି। ପ୍ରଥମେ କୋଲକାତା ନାଇଟ ରାଇଡର୍ସ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ନିଜର ମ୍ୟାଚ୍‌ ଶେଷ ବଲରେ ବେଶ ଚମତ୍କାର ଢଙ୍ଗରେ ଜିତିଥିଲେ। ଏହି ଦୁଇ ମ୍ୟାଚ୍‌ର ହ୍ୟାଙ୍ଗ ଓଭର ଲୋକଙ୍କ ମୁଣ୍ଡରୁ ଉତୁରି ନଥିବା ବେଳେ ମଙ୍ଗଳବାର ପୁଣି ଗୋଟିଏ ଛାତି ଧଡ଼ଧଡ଼ କରିଦେବା ଭଳି ମ୍ୟାଚ୍‌ ଦେଖିଛନ୍ତି କ୍ରିକେଟ ପ୍ରେମୀ।

ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ୨ ରନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ହରାଇବାକୁ ସକ୍ଷମ ହୋଇଛି। ଚଳିତ ଆଇପିଏଲରେ ମୁମ୍ବାଇର ଏହା ପ୍ରଥମ ବିଜୟ ହୋଇଥିବା ବେଳେ ଦିଲ୍ଲୀର କ୍ରମାଗତ ୪ର୍ଥ ପରାଜୟ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ୧୯.୪ ଓଭରେ ସମସ୍ତ ୱିକେଟ ହରାଇ ୧୭୨ ରନ କରିଥିଲା। ଦଳ ପକ୍ଷରୁ ଅକ୍ଷର ପଟେଲ ୨୫ ବଲରେ ବିସ୍ଫୋରକ ୫୪ ରନ ଓ ଅଧିନାୟକ ଡାଭିଡ ୱାର୍ଣ୍ଣର ୪୭ ବଲରେ ୫୧ ରନ କରିଥିଲେ।

୧୭୩ ରନର ଟାର୍ଗେଟ ପାଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ବଲ ଆରମ୍ଭ କରିଥିଲା। ନିଜେ ରୋହିତ ଓ ଈଶାନ କିଶନ ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୭.୩ ଓଭରରେ ୭୧ ରନ ଯୋଡ଼ିଥିଲେ। କିନ୍ତୁ ଈଶାନ ୩୧ ରନରେ ରନ ଆଉଟ ହେବା ପରେ ମ୍ୟାଚ୍‌ର ମୋଡ଼ ବଦଳିଥିଲା। ରୋହିତ ଓ ତିଲକ ବର୍ମା ବେଶ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ୧୩୯ରେ ପହଞ୍ଚାଇ ଦେଇଥିଲେ।

ତେବେ ୧୬ତମ ଓଭରରେ ମୁକେଶ କୁମାର ୧୬ ରନ ଦେଇଥିଲେ ହେଁ କ୍ରମାଗତ ଦୁଇଟି ବଲରେ ତିଲକ ଓ ସୂର୍ଯ୍ୟ କୁମାର ଯାଦବଙ୍କୁ ଆଉଟ କରି ମ୍ୟାଚ୍‌ରେ ଦିଲ୍ଲୀର କମବ୍ୟାକ୍‌ କରାଇଥିଲେ। ଏହାର ପରବର୍ତ୍ତୀ ଓଭରରେ ମୁସ୍ତାଫିଜୁର ରହମାନ ୬୫ ରନ କରିଥିବା ରୋହିତଙ୍କୁ ଆଉଟ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ।

ଶେଷରେ ଦଳକୁ ଜିତିବା ପାଇଁ ଶେଷ ଓଭରରେ ୫ ରନର ଆବଶ୍ୟକ ରହିଥିଲା। କ୍ରିଜ୍‌ରେ ଟିମ ଡାଭିଡ ଓ କାମେରନ ଗ୍ରୀନ ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଅନରିଚ ନୋର୍ଖିୟା। ସେ ଚମତ୍କାର ବୋଲିଂ କରିବା ସହ ଦୁଇ ବିଗ୍‌ ହିଟର ଡାଭିଡ ଓ ଗ୍ରୀନଙ୍କୁ ହାତ ଖୋଲା ଶଟ ମାରିବାକୁ ଆଦୌ ଦେଇ ନଥିଲେ।

ସ୍ଥିତି ଏପରି ହୋଇଥିଲା ଯେ ମୁମ୍ବାଇକୁ ଜିତିବା ପାଇଁ ଶେଷ ବଲରେ ୨ ରନର ଆବଶ୍ୟକ ଥିଲା। ଷ୍ଟ୍ରାଇକ କରିଥିଲେ ଡାଭିଡ୍‌। ସେ ଲଗଅପ୍‌ ଅଞ୍ଚଳରେ ବଲକୁ ମାରିବାକୁ ଚେଷ୍ଟା କରିଥିଲେ ହେଁ ବ୍ୟାଟରେ ଏହା ଠିକ ଭାବେ କନେଣ୍ଟ ହୋଇ ନଥିଲା। ତଥାପି ଡାଭିଡ ୱାର୍ଣ୍ଣର ବଲକୁ କଲେକ୍ଟ କରି କିପର ଆଡ଼କୁ ମାରିବା ବେଳକୁ ଡାଭିଡ୍‌ ଓ ଗ୍ରୀନ ଦୁଇ ରନ ପୂରା କରି ନେଇଥିଲେ।

ୱାର୍ଣ୍ଣରଙ୍କ ଥ୍ରୋ ଯଦି ଠିକ୍‌ ଭାବେ କିପରଙ୍କ ପାଖରେ ପହଞ୍ଚି ଯାଇଥାଆନ୍ତା, ତା’ହେଲେ ଦର୍ଶକମାନେ ସୁପର ଓଭରର ମଜା ଉଠାଇ ପାରି ଥାଆନ୍ତେ। ହେଲେ ୱାର୍ଣ୍ଣରଙ୍କ ଥ୍ରୋ ସାମାନ୍ୟ ହାଇ ରହିବାରୁ ଡାଭିଡ୍‌ ଡାଇଭ୍‌ ମାରି କ୍ରିଜ୍‌ରେ ପହଞ୍ଚି ଯାଇଥିଲେ। ଏଥିସହ ମୁମ୍ବାଇକୁ ୬ ୱିକେଟରେ ବିଜୟ ଭେଟି ଦେଇଥିଲେ। ମ୍ୟାଚ୍‌ରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିବା ରୋହିତଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁର ଗୋଟିଏ ସଫଳତା ପାଇଛନ୍ତି। ଈଶାନ କିଶନଙ୍କ ୱିକେଟ ଦଳକୁ ରନ ଆଉଟ ରୂପେ ମିଳିଥିଲା।

Related story