Advertisment

T20 World Cup: ବାଂଲାଦେଶ ବଦଳରେ ବିଶ୍ୱକପ ଖେଳୁଥିବା ସ୍କଟଲ୍ୟାଣ୍ଡକୁ ମିଳିଲା ପ୍ରଥମ ବିଜୟ

୨୦୮ ରନର ପିଛା କରୁଥିବା ଇଟାଲୀ ୧୩୪ ରନରେ ଅଲଆଉଟ ହୋଇଯାଇଛି। ବ୍ୟାଟିଂରେ ୫ ବଲରେ ଅପରାଜିତ ୨୨ ରନ ଓ ବୋଲିଂରେ ୪ ୱିକେଟ ନେଇଥିବା ସ୍କଟଲ୍ୟାଣ୍ଡର ମାଇକେଲ ଲିସ୍କ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।

author-image
Hemant Lenka
Scotland

ସର୍ବାଧିକ ୪ ୱିକେଟ ନେଇଥିବା ଲିସ୍କଙ୍କ ସହ ଅଧିନାୟକ ବେରିଙ୍ଗଟନ

ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ବାଂଲାଦେଶ ବଦଳରେ ଶେଷ ମୁହୂର୍ତ୍ତରେ ସୁଯୋଗ ପାଇଥିବା ସ୍କଟଲ୍ୟାଣ୍ଡ ହାସଲ କରିଛି ପ୍ରଥମ ବିଜୟ। କୋଲାକତାର ଇଡେନ ଗାର୍ଡେନ୍ସରେ ଦଳ ଡେବ୍ୟୁଟାଣ୍ଟ ଇଟାଲୀ ବିପକ୍ଷରେ ହାସଲ କରିଛି ଦମଦାର ବିଜୟ। ଆଜି ଇଟାଲୀକୁ ଏକତରଫା ଭାବେ ୭୩ ରନରେ ପରାସ୍ତ କରିଛି। ୨୦୮ ରନର ପିଛା କରୁଥିବା ଇଟାଲୀ ୧୩୪ ରନରେ ଅଲଆଉଟ ହୋଇଯାଇଛି। ବ୍ୟାଟିଂରେ ୫ ବଲରେ ଅପରାଜିତ ୨୨ ରନ ଓ ବୋଲିଂରେ ୪ ୱିକେଟ ନେଇଥିବା ସ୍କଟଲ୍ୟାଣ୍ଡର ମାଇକେଲ ଲିସ୍କ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। 

Advertisment

ଚଳିତ ବିଶ୍ୱକପରେ ଏହା ସ୍କଟଲ୍ୟାଣ୍ଡର ଦ୍ୱିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ। ଫେବୃଆରୀ ୭ରେ ଦଳ ଇଡେନ ଗାର୍ଡେନ୍ସରେ ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲା। ହେଲେ ଦଳକୁ ୩୫ ରନରେ ମ୍ୟାଚ୍ ହାରିବାକୁ ପଡ଼ିଥିଲା। କିନ୍ତୁ ଆଜି ଇଟାଲୀ ବିପକ୍ଷ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦମାର ପ୍ରଦର୍ଶନ କରି ଚମତ୍କାର ବିଜୟ ହାସଲ କରିଛି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସ୍କଟଲ୍ୟାଣ୍ଡ ପାଇଁ ଦୁଇ ଓପନର ଜର୍ଜ ମୁନସୀ ଓ ମାଇକେଲ ଜୋନ୍ସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୨୬ ରନ ଯୋଡ଼ି ଇଟାଲୀକୁ ଆରମ୍ଭରୁ ହିଁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ମୁନସୀ ୫୪ ବଲରେ ୮୪ ରନ କରିଥିବା ବେଳେ ତାଙ୍କ ବ୍ୟାଟରୁ ବାହାରିଛି ୧୩ଟି ଚୌକା ଓ ୨ଟି ବିଶାଳ ଛକା। ସେହିପରି ଜୋନ୍ସ ୨ଟି ଛକା ଓ ଗୋଟିଏ ଚୌକା ବଳରେ ୩୭ ରନ କରିଛନ୍ତି।

Advertisment

ଅଲରାଉଣ୍ଡର ବ୍ରାଣ୍ଡନ ମ୍ୟାକମୁଲାନ ୧୮ ବଲରେ ଅପରାଜିତ ୪୧ ରନ, ଅଧିନାୟକ ରିଚି ବେରିଙ୍ଗଟନ ୧୧ ବଲରେ ୧୫ ଓ ଶେଷ ଭାଗରେ ମାଇକେଲ ଲିସ୍କ ୫ ବଲରେ ୨୨ ରନର ଅପରାଜିତ ଇନିଂସ ଖେଳିବାରୁ ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୭ ରନ କରିଥିଲା। ଚଳିତ ବିଶ୍ୱକପରେ ଏହା ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ଦଳଗତ ସ୍କୋର। ଇଟାଲୀ ପକ୍ଷରୁ ଅଲୀ ହାସନ, ଗ୍ରାଣ୍ଟ ସେଟୱାର୍ଟ, ଥୋମାସ ଡାରକା ଓ ଜେଜେ ସ୍ମୁଟ୍ସ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି। 

ବିଶ୍ୱକପର ଡେବ୍ୟୁ ମ୍ୟାଚରେ ବିଶାଳ ୨୦୮ ରନର ପିଛା କରୁଥିବା ଇଟାଲୀ ପ୍ରଥମ ବଲରେ ହିଁ ଜଷ୍ଟିନ ମୋସ୍କାଙ୍କୁ ହରାଇଥିଲା। ଲିସ୍କ ତାଙ୍କୁ ଆଉଟ କରିଥିଲେ। ଆନ୍ଥୋନୀ ମୋସ୍କା ୧୩ ଓ ଜେଜେ ସ୍ମୁଟ୍ସ ୧୧ ବଲରେ ୨୨ ମଧ୍ୟ ବେଶୀ କିଛି କରିପାରି ନଥିଲେ। ତେବେ ମଧ୍ୟକ୍ରମରେ ହ୍ୟାରୀ ମାନେଣ୍ଟି ଓ ବେନ ମାନେଣ୍ଟି ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ।

ଏପରି କି ବେନଙ୍କ ବ୍ୟାଟରୁ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା। ସେ ୩୧ ବଲରେ ୫୨ ଓ ହ୍ୟାରୀ ୨୫ ବଲରେ ୩୭ ରନ କରି ଆଉଟ ହେବା ପରେ ଇଟାଲୀର ବ୍ୟାଟିଂ ଲାଇନ ଅପ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା। 

ଗ୍ରାଣ୍ଟ ସେଟୱାର୍ଟ ୨ ରନ, ୱିକେଟ କିପର ଜିଆନ ମେଆଡ ୦, ଥୋମାସ ଡ୍ରାକା କେବଳ ୨ ରନ କରିବାକୁ ସକ୍ଷମ ହୋଇଥିଲେ। ୧୬ ଓଭର ସୁଦ୍ଧା ଇଟାଲୀ ୮ ୱିକେଟ ହରାଇ କେବଳ ୧୩୩ ରନ କରି ପାରିଥିଲା। ତେବେ ୧୭ତମ ଓଭର ବୋଲିଂ କରିବାସୁ ଆସିଥିବା ବ୍ରାଡ ହ୍ୱିଲ ୪ର୍ଥ ବଲରେ ଖାତା ଖୋଲିବା ପୂର୍ବରୁ ଅଲୀ ହାସନଙ୍କୁ ଆଉଟ କରି ଇଟାଲୀ ଇନିଂସକୁ ୧୩୪ ରନରେ ଶେଷ କରି ଦେଇଥିଲେ।

ଫିଲ୍ଡିଂ ବେଳେ ଆହତ ହୋଇଥିବା ଇଟାଲୀ ଅଧିନାୟକ ୱୟନେ ମାଡସେନ ଆଜିର ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ସକ୍ଷମ ହୋଇ ନାହାନ୍ତି। ସ୍କଟଲ୍ୟାଣ୍ଡ ପକ୍ଷରୁ ମାଇକେଲ ଲିସ୍କ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମାର୍କ ୱାଟ୍ଟ ୨ଟି, ବ୍ରାଡ କୁରିଏ, ବ୍ରାଡ ହ୍ୱିଲ ଓ ଓଲିଭର ଡାଭିସନ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। 

T20 World Cup