ଅର୍ଦ୍ଧଶତକ ପରେ ଲିଡେ
ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଚମତ୍କାର ବିଜୟ ହାସଲ କରିଛି ନେଦରଲ୍ୟାଣ୍ଡ୍ସ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଠାରୁ ଜିତୁ ଜିତୁ ହାରିଥିବା ଡଚ ଟିମ ଆଜି ଅପେକ୍ଷାକୃତ ଦୁର୍ବଳ ନାମିବିୟାକୁ ଏକତରଫା ଭାବେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଗେରହାର୍ଡ ଇରାସମସ ନାମିବିୟା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୬ ରନ କରିଥିଲା।
ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ମାତ୍ର ୩ ୱିକେଟ ହରାଇ ୧୨ ବଲ ପୂର୍ବର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ଡଚ ଟିମ ପକ୍ଷରୁ ଅଲରାଉଣ୍ଡର ବାସ ଡେ ଲିଡେ ବୋଲିଂରେ ୨ଟି ୱିକେଟ ନେଇଥିବା ବେଳେ ବ୍ୟାଟିଂରେ ଖେଳିଛନ୍ତି ୪୮ ବଲରେ ଅପରାଜିତ ୭୨ ରନର ଇନିଂସ। ତାଙ୍କର ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ନେଦରଲ୍ୟାଣ୍ଡ୍ସ ଜିତିଥିବାରୁ ସେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି।
ଦିଲ୍ଲୀରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନାମିବିୟା ଜାନ ଫ୍ରାଏଲିଙ୍କ ୩୦, ଜାନ ନିକୋଲ ଲୋଫ୍ଟି ଇଟନଙ୍କ ୪୨, ଅଧିନାୟକ ଇରାସମସଙ୍କ ୧୮ ଓ ଜେଜେ ସ୍ମିଟଙ୍କ ୨୨ ରନ ବଳରେ ୮ ୱିକେଟ ହରାଇ ୧୫୬ ରନ କରିଥିଲା। ଡଚ ଟିମ ପକ୍ଷରୁ ଲୋଗାନ ଭାନ ବିକ ଓ ଲିଡେ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଫ୍ରେଡ କ୍ଲାସେନ ଓ ଆର୍ଯ୍ୟନ ଦତ୍ତ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ବାକି ଦୁଇଟି ୱିକେଟ ରନ ଆଉଟରୁ ମିଳିଥିଲା।
୧୫୭ ରନର ଟାର୍ଗେଟକୁ ପିଛା କରୁଥିବା ନେଦରଲ୍ୟାଣ୍ଡ୍ସ ପାଇଁ ଓପନର ମ୍ୟାକ୍ସ ଓଡୱଡ ମାତ୍ର ୭ ରନ କରି ଆଉଟ ହୋଇଥିଲେ। କିନ୍ତୁ ଅନ୍ୟତମ ଓପନର ମାଇକେଲ ଲେଭିଟ୍ଟ ଓ ଲିଡେ ଦ୍ୱିତୀୟ ୱିକେଟ ପାଇଁ ୩୦ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୪୬ ଥିବା ବେଳେ ବ୍ୟକ୍ତିଗତ ୨୮ ରନ କରି ରୁବେନ ଟ୍ରମ୍ପେଲମାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ ଲେଭିଟ୍ଟ।
ଏତିକି ବେଳେ ଲିଡେଙ୍କୁ ସାଥ ଦେବାକୁ ଆସିଥିଲେ ଅଭିଜ୍ଞ କୋଲିନ ଆକେର୍ମନ। ଉଭୟ ଦମଦାର ବ୍ୟାଟିଂ କରି ନାମିବିୟାକୁ ଆଉ କମବ୍ୟାକର ସୁଯୋଗ ଦେଇ ନଥିଲେ। ଲିଡେ ମଧ୍ୟ ଚଳିତ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଆକେର୍ମନ ମଧ୍ୟ ନିଜ ଅର୍ଦ୍ଧଶତକ ଆଡକୁ ବଢ଼ିଥିଲେ। କିନ୍ତୁ ସେ ବ୍ୟକ୍ତିଗତ ୩୨ ରନ କରିଥିବା ବେଳେ ଲୋଫ୍ଟି ଇଟନଙ୍କ ବଲରେ ଆଉଟ ହୋଇ ଯାଇଥିଲେ।
ଏହି ସମୟରେ ଡଚ ଟିମର ସ୍କୋର ୧୧୬ ରହିଥିଲା। ବାକି ୪୭ ରନକୁ ଲିଡେଙ୍କ ସହ ମିଶି ଅଧିନାୟକ ସ୍କଟ ଏଡୱାର୍ଡସ ହାସଲ କରି ନେଇଥିଲେ। ଲିଡେ ଶେଷ ଯାଏ ୪୮ ବଲରେ ୭୨ ରନ ଓ ଏଡୱାର୍ଡସ ୯ ବଲରେ ୧୮ ରନ କରି ଅପରାଜିତ ରହିବା ସହ ଦଳକୁ ୧୨ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଲିଡେ ତାଙ୍କ ମ୍ୟାଚ ବିଜୟ ଇନିଂସରେ ୫ଟି ଚୌକା ଓ ୪ଟି ଛକା ମାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/leede-2026-02-10-14-54-39.jpg)