Advertisment

ବାଂଲାଦେଶକୁ ହରାଇଲା ନେଦରଲ୍ୟାଣ୍ଡ୍ସ, ୧୦ ନମ୍ବରକୁ ଖସିଲା ଇଂଲଣ୍ଡ

ଏହି ବିଜୟ ସହ ନେଦରଲ୍ୟାଣ୍ଡ୍ସ ପଏଣ୍ଟ ଟେବୁଲର ୧୦ ନମ୍ବର ସ୍ଥାନରୁ ଉଠି ୮ ନମ୍ବରେ ପହଞ୍ଚି ଯାଇଛି। ବାଂଲାଦେଶ ୯ ନମ୍ବରକୁ ଖସିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୦ ନମ୍ବର ଅର୍ଥାତ ସବୁଠାରୁ ଶେଷରେ ରହିଛି।

author-image
Hemant Lenka
BAN

BAN

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି। ପ୍ରଥମେ ଆଫଗାନିସ୍ତାନ କମାଲ କରିଥିବା ବେଳେ ଏବେ ନେଦରଲ୍ୟାଣ୍ଡ୍ସ ନିଜର ଜଲୱା ଦେଖାଇଛି। ଆଜି ଡଚ୍‌ ଟିମ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୮୭ ରନରେ ହରାଇ ଦେଇଛି। ଏଥିସହ ବିଶ୍ୱକପ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛି।

Advertisment

ପ୍ରଥମଥର ପାଇଁ ନେଦରଲ୍ୟାଣ୍ଡ୍ସ କୌଣସି ବିଶ୍ୱକପରେ ଏକରୁ ଅଧିକ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଚଳିତ ବିଶ୍ୱକପରେ ଡଚ ଟିମ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଆଜି ଦଳ ବାଂଲା ଟାଇଗରକୁ ଧୂଳି ଚଟାଇଛି।

ଏହି ବିଜୟ ସହ ନେଦରଲ୍ୟାଣ୍ଡ୍ସ ପଏଣ୍ଟ ଟେବୁଲର ୧୦ ନମ୍ବର ସ୍ଥାନରୁ ଉଠି ୮ ନମ୍ବରେ ପହଞ୍ଚି ଯାଇଛି। ବାଂଲାଦେଶ ୯ ନମ୍ବରକୁ ଖସିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ୧୦ ନମ୍ବର ଅର୍ଥାତ ସବୁଠାରୁ ଶେଷରେ ରହିଛି। ପ୍ରଥମଥର ପାଇଁ କୌଣସି ବିଶ୍ୱକପରେ ଇଂଲଣ୍ତ ୫ ମ୍ୟାଚ୍‌ ଖେଳି ସାରିବା ପରେ ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି। 

Advertisment

୨୦୧୧ ବିଶ୍ୱକପରେ ବାଂଲାଦେଶ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ କୌଣସି ଦିନିକିଆ ମ୍ୟାଚ୍‌ ହେଇ ନଥିଲା। ୧୨ ବର୍ଷରେ ଦୁଇ ଦଳ ମୁହାଁମୁହିଁ ହେଉଥିବା ବେଳେ ଏଥିରେ ଡଚ୍‌ ଟିମ ବାଜିମାରିଛି। ୨୦୧୧ ବିଶ୍ୱକପରେ ବାଂଲାଦେଶ ୬ ୱିକେଟରେ ନେଦରଲ୍ୟାଣ୍ଡ୍ସକୁ ହରାଇଥିଲା। ସେହିପରି ୨୦୧୦ ଜୁନ ମାସରେ ଦୁଇ ଦଳ ଗ୍ଲାସଗୋରେ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଡଚ୍‌ ଟିମ ସମାନ ୬ ୱିକେଟରେ ବାଂଲାଦେଶକୁ ହରାଇଥିଲା।

ଆଜିର ମ୍ୟାଚ ପୂର୍ବରୁ ଦୁଇ ଦଳ ପରସ୍ପର ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଥିଲେ। ହେଲେ ଆଜି ନେଦରଲ୍ୟାଣ୍ଡ୍ସ ମ୍ୟାଚ୍‌ ଜିତି ସ୍ଥିତିକୁ ୨-୧ କରି ଦେଇଛି।

ଇଡେନ ଗାର୍ଡେନ୍ସରେ ଆଜି ଟସ୍‌ ଜିତି ନେଦରଲ୍ୟାଣ୍ଡ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୨୯ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସ୍କଟ ଏଡୱାର୍ଡସ ସର୍ବାଧିକ ୬୮ ରନ କରିଥିବା ବେଳେ ୱେସଲେ ବାରେସି ୪୧ ଓ ସାୟବ୍ରାଣ୍ଡ ୩୫ ରନର ଇନିଂସ ଖେଳିଥିଲେ।

ଏହାର ଜବାବରେ ବାଂଲାଦେଶ ୪୨.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୪୨ ରନ କରିବାକୁ ସକ୍ଷମ ହୋଇଛି। ନେଦରଲ୍ୟାଣ୍ଡ୍ସର ସବୁ ବୋଲର ଆଜି ବେଶ ମାପିଚୁପି ବୋଲିଂ କରିଥିଲେ। ବିଶେଷ କରି ପଲ ଭାନ ମିକେରନ ଦମଦାର ବୋଲିଂ କରିବା ସହ ୪ ୱିକେଟ ନେଇଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି। ବାଂଲାଦେଶ ପକ୍ଷରୁ ମେହିଦୀ ହାସନ ମିରାଜ ୩୫ ରନ କରିଥିବା ବେଳେ ମହମ୍ମଦୁଲ୍ଲା ୨୦ ଓ ଶେଷ ଭାଗରେ ମୁସ୍ତାଫିଜୁର ୨୦ ରନର ଇନିଂସ ଖେଳିଛନ୍ତି।

୨୩୦ ରନର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ପାଇଁ ଲିଟନ ଦାସ ୩, ତାଞ୍ଜିଦ ହାସନ ୧୫, ନଜମୁଲ ହୁସେନ ସାଣ୍ଟୋ ୯, ସାକିବ ଅଲ ହାସନ ୫ ଓ ମୁସଫିକର ରହିମ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ମିରାଜ ୩୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ୭୦ ରନରେ ୬ ୱିକେଟ ହରାଇ ବାଂଲାଦେଶ ସଙ୍କଟରେ ପଡ଼ିଥିଲା। ବାଂଲାଦେଶକୁ ପଲ ଭାନ ମିକେରନ ଘାଇଲା କରିଥିଲେ।

ଏତିକି ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ମହମ୍ମଦୁଲ୍ଲାଙ୍କ ସହ ମାହେଦି ହାସନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୭ମ ୱିକେଟ ପାଇଁ ୩୮ ରନ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ଦଳୀୟ ସ୍କୋର ୧୦୮ ଥିବା ବେଳେ ବ୍ୟକ୍ତିଗତ ୧୭ ରନ କରି ହାସନ ରନ ଆଉଟ ହୋଇଯାଇଥିଲେ।

ଏହାପରେ ମହମ୍ମଦୁଲ୍ଲା ୨୦ ରନ କରି ବାସ ଡେ ଲିଡେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସେ ଆଉଟ ହେବା ପରେ ବାଂଲାଦେଶ ହାରିବା ଏକ ପ୍ରକାରର ସୁନିଶ୍ଚିତ ହୋଇ ଯାଇଥିଲା। କେବଳ ଔପଚାରିକତା ବାକି ଥିଲା। ତସ୍କିନ ଅହମଦ ଓ ମୁସ୍ତାଫିଜୁର ରହମାନ କେବଳ ୱିକେଟ ରଖିବାକୁ ଚେଷ୍ଟା କରିଥିଲେ। ଉଭୟ ୩୫ଟି ଲେଖାଏ ବଲ ଖେଳି ଡଚ ଟିମର ବିଜୟକୁ ବିଳମ୍ବିତ କରିଥିଲେ।

କିନ୍ତୁ ଦଳୀୟ ସ୍କୋର ୧୪୨ ଥିବାର ବେଳେ କୋଲିନ ଆକରମାନ ୨୦ ରନ କରିଥିବା ମୁସ୍ତାଫିଜୁରଙ୍କୁ ବୋଲ୍ଡ କରି ବାଂଲାଦେଶକୁ ୯ମ ଝଟକା ଦେଇଥିଲେ। ପରବର୍ତ୍ତୀ ଓଭର୍‌ରେ ମିକେରନ ୧୧ ରନ କରିଥିବା ତସ୍କିନଙ୍କୁ ଆଉଟ କରି ବାଂଲାଦେଶ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ବାଂଲାଦେଶ ୪୨.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୧୪୨ ରନ କରିଛି। ଡଚ୍‌ ଟିମ ୮୭ ରନରେ ମ୍ୟାଚ୍‌ ଜିତି ଚଳିତ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup