Advertisment

ବିଶ୍ୱକପରେ ବିପର୍ଯ୍ୟୟ ସହ ଇତିହାସ ରଚିଲା ନେଦରଲ୍ୟାଣ୍ଡ୍ସ, ହାରିଲା ଦକ୍ଷିଣ ଆଫ୍ରିକା

ଏକଦା ଦକ୍ଷିଣ ଆଫ୍ରିକା ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ରୋଲଫ ଭାନ ଡେର ମେରୱେ ନେଦରଲ୍ୟାଣ୍ଡ୍ସର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

NED

NED

Advertisment

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ପୁଣି ଘଟିଛି ବିପର୍ଯ୍ୟୟ। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି ନେଦରଲ୍ୟାଣ୍ଡ୍ସ। ଏଥିସହ ଦିନିକିଆ କ୍ରିକେଟରେ ଡଚ୍‌ ଟିମ ଇତିହାସ ରଚିଛି। କାରଣ ଆଜି ଯାଏ ନେଦରଲ୍ୟାଣ୍ଡ୍ସ କେବେ ବି ଦକ୍ଷିଣ ଆଫ୍ରିକାକୁ ଦିନିକିଆରେ ହରାଇ ନଥିଲା।

Advertisment

ଏହାପୂର୍ବରୁ ଦୁଇ ଦଳ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ଦକ୍ଷିଣ ଆଫ୍ରିକା ବିଜୟ ହୋଇଥିଲା। କିନ୍ତୁ ୨୦୨୩ରେ ଇତିହାସ ବଦଳିଛି। ଖାଲି ସେତିକି ନୁହେଁ, ସମସ୍ତଙ୍କର ୨୦୨୨ ଟି-୨୦ ବିଶ୍ୱକପ କଥା ମଧ୍ୟ ମନେପଡ଼ି ଯାଇଛି।

ଟି-୨୦ ବିଶ୍ୱକପର କର ବା ମର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଡଚ୍‌ ଟିମ ୧୩ ରନରେ ହରାଇଥିଲା। ଏହି ପରାଜୟ ସହ ବିଶ୍ୱକପରୁ ଦକ୍ଷିଣ ଆଫ୍ରିକା ବାଦ ପଡ଼ିଥିଲେ। ଆଜି ପୁଣି ଡଚ୍‌ ଟିମ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଛି।

Advertisment

ଏକଦା ଦକ୍ଷିଣ ଆଫ୍ରିକା ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ରୋଲଫ ଭାନ ଡେର ମେରୱେ ନେଦରଲ୍ୟାଣ୍ଡ୍ସର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବ୍ୟାଟିଂରେ ୨୯ ରନ କରିଥିବା ବେଳେ ବୋଲିଂରେ ୨ଟି ୱିକେଟ ମଧ୍ୟ ନେଇଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେଦରଲ୍ୟାଣ୍ଡ୍ସ ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ଅପରାଜିତ ୭୮ ରନ ବଳରେ ନିର୍ଦ୍ଧାରିତ ୪୩ ଓଭର୍‌ରେ ୮ ୱିକେଟ ହରାଇ ୨୪୫ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଆଫ୍ରିକା ଏହାପୂର୍ବରୁ ଚଳିତ ବିଶ୍ୱକପରେ କ୍ରମାଗତ ଦୁଇଟି ବିଜୟ ହାସଲ କରିଥିଲା। ସେହିପରି ଡଚ୍‌ ଟିମ ଦୁଇଟି ମ୍ୟାଚ୍‌ ହାରିଥିଲା।

ବର୍ଷା ଯୋଗୁ ୪୩ ଓଭର ବିଶିଷ୍ଟ ମ୍ୟାଚରେ ୨୪୬ ରନର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକାଦ ଦଳ ୪୪ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମେ ଇନଫର୍ମ କ୍ୱିଣ୍ଟନ ଡି’କକ ୨୦ ରନ କରି ଆଉଟ ହୋଇଥିଲେ। ତାଙ୍କ ୱିକେଟ କୋଲିନ ଆକରମାନ ନେଇଥିଲେ। 

ଅଧିନାୟକ ବଭୂମା ୧୬ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ବିଶ୍ୱକପ ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଏଡେନ ମାର୍କରମ ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। 

ଡି’କକ ଓ ବଭୂମା ସ୍ପିନ ବଲରେ ଆଉଟ ହୋଇଥିବା ବେଳେ ମାର୍କରମଙ୍କ ୱିକେଟ ଦ୍ରୁତ ବୋଲର ପଲ ଭାନ ମିକେରନ ନେଇଥିଲେ। ରସି ଭାନ ଡେର ଡୁସେନ(୪)ଙ୍କ ୱିକେଟ ରୋଲଫ ଭାନ ଡେର ମେରୱେଙ୍କ ଖାତାକୁ ଯାଇଥିଲା। ଏହାପୂର୍ବରୁ ସେ ବଭୂମାଙ୍କ ୱିକେଟ ମଧ୍ୟ ନେଇଥିଲେ। ୪୪ ରନରେ ୪ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ଡାଭିଡ ମିଲର ଓ ହେନରିଚ୍‌ କ୍ଲାସେନ ସମ୍ଭାଳିବାକୁ ଚେଷ୍ଟା କରିଥିଲେ।

ଉଭୟ ଦମଦାର ଶଟ ମାରିବା ସହ ଦଳୀୟ ସ୍କୋରକୁ ୪୪ରୁ ନେଇ ୮୯ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ଏତିକି ବେଳେ ଲୋଗାନ ଭାନ ବିକଙ୍କ ବଲକୁ ପୁଲ ମାରିବାକୁ ଯାଇ କ୍ଲାସେନ(୨୮) ଫାଇନ ଲେଗ୍‌ରେ ଧରା ପଡ଼ି ଯାଇଥିଲେ। ଏହାପରେ କ୍ରିଜକୁ ଆସିଥିଲେ ମାର୍କୋ ୟାନେସନ। ସେ ମିଲରଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ।

କିନ୍ତୁ ୟାନେସନ(୯)ଙ୍କୁ କ୍ଲିନବୋଲ୍ଡ କରି ମିକେରନ ଦକ୍ଷିଣ ଆଫ୍ରିକାକୁ ୬ଷ୍ଠ ଝଟକା ଦେଇଥିଲେ। ୭ମ ୱିକେଟ ପାଇଁ ମିଲର ଓ ଗେରାଲ୍ଡ କୋଏଜେ ୩୪ ରନ ଯୋଡ଼ିଥିଲେ। ମିଲର କ୍ରିଜ୍‌ରେ ଥିବାରୁ ଦକ୍ଷିଣ ଆଫ୍ରିକା ମଧ୍ୟ ବିଜୟ ଆଶା ରଖିଥିଲା। ସେ ବ୍ୟକ୍ତିଗତ ୨୩ ରନ କରିଥିବା ବେଳେ ମେରୱେଙ୍କ ବଲରେ ବାସ ଲିଡେ ତାଙ୍କ କ୍ୟାଚ୍‌ ବି ଛାଡ଼ି ଥିଲେ।

ଲାଗୁଥିଲା ମିଲର ମ୍ୟାଚ୍‌ ଶେଷ କରି ଯିବେ। କିନ୍ତୁ ଭାନ ବିକ ଏହା କରାଇ ଦେଇ ନଥିଲେ। ଦଳୀୟ ସ୍କୋର ୧୪୫ ଥିବା ବେଳେ ମିଲର ୪୩ ରନ କରି ବିକ୍‌ଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପରେ କୋଏଜେ ମଧ୍ୟ ୨୨ ରନ କରି ଲିଡେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଦକ୍ଷିଣ ଆଫ୍ରିକା ୧୪୭ ରନରେ ୮ମ ୱିକେଟ ହରାଇଥିଲା।

ଏତିକି ବେଳେ କାଗିସୋ ରବାଡା କାଉଣ୍ଟର ଆଟାକ ଆରମ୍ଭ କରି ଦେଇଥିଲେ। ତାଙ୍କୁ କେଶବ ମହାରାଜ ଭରପୂର ସାଥ ଦେଇଥିଲେ। ଉଭୟ ୯ମ ୱିକେଟ ପାଇଁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ଡଚ୍‌ ଟିମ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ୩୬ତମ ଓଭରର ପ୍ରଥମ ବଲରେ ଲିଡେ ୯ ରନ କରିଥିବା ରବାଡାଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ୯ମ ଝଟକା ଦେଇଥିଲେ। 

୧୧ ନଂ ବ୍ୟାଟର ଭାବେ କେଶବ ମହାରାଜଙ୍କୁ ସାଥ ଦେବା ପାଇଁ ଆସିଥିଲେ ଲୁଙ୍ଗି ଏନଗିଡି। ହେଲେ ସେମାନେ ବେଶୀ କିଛି କରି ପାରି ନଥିଲେ। କେବଳ ନେଦରଲ୍ୟାଣ୍ଡ୍ସର ବିଜୟକୁ ବିଳମ୍ବିତ କରିଥିଲେ। ଅବଶ୍ୟ ମହରାଜଙ୍କ ବ୍ୟାଟ୍‌ରୁ କିଛି ଚୌକା ଦେଖିବାକୁ ମିଳିଥିଲା। ହେଲେ ଏହା କେବଳ ସମୁଦ୍ରକୁ ଶଙ୍ଖେ ଭଳି ଥିଲା। ଶେଷରେ ମହରାଜ(୪୦ ରନ)ଙ୍କୁ ଆଉଟ କରି ବିକ୍‌ ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଦକ୍ଷିଣ ଆଫ୍ରିକା ୨୦୭ ରନରେ ଅଟକି ଯାଇଥିଲା।

ନେଦରଲ୍ୟାଣ୍ଡ୍ସ ପକ୍ଷରୁ ବିକ ୩ଟି ୱିକେଟ ନେଇଥିବା ବେଳେ ମିକେରନ, ମେରୱେ ଓ ଲିଡେ ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଆରମାନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe