Advertisment

ୟୁଜି ଚହଲଙ୍କ ନୂଆ ରେକର୍ଡ

ଦମଦାର ବୋଲିଂ ଯୋଗୁ ସେ କେବଳ ପଞ୍ଜାବକୁ ଗୋଟିଏ ଲୋ ସ୍କୋରିଂ ମୁକାବିଲାରେ ଐତିହାସିକ ବିଜୟ ଦେଇ ନାହାନ୍ତି ବରଂ ଆଇପିଏଲ ଇତିହାସରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ନାରିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

author-image
Hemant Lenka
Chahal

Chahal

ୟୁଜଭେନ୍ଦର ଚହଲଙ୍କ ନୂଆ ରେକର୍ଡ। ଇତିହାସ ରଚିଛନ୍ତି ଚହଲ। ଆଇପିଏଲରେ ଲେଗ ସ୍ପିନର ଚହଲଙ୍କ ନୂଆ କୀର୍ତ୍ତିମାନ। ମଙ୍ଗଳବାର ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଚହଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ କମାଲ କରିଛନ୍ତି। ଦମଦାର ବୋଲିଂ ଯୋଗୁ ସେ କେବଳ ପଞ୍ଜାବକୁ ଗୋଟିଏ ଲୋ ସ୍କୋରିଂ ମୁକାବିଲାରେ ଐତିହାସିକ ବିଜୟ ଦେଇ ନାହାନ୍ତି ବରଂ ଆଇପିଏଲ ଇତିହାସରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ନାରିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

Advertisment

ନାରିନଙ୍କ ଭଳି ଏବେ ଚହଲ ମଧ୍ୟ ଆଇପିଏଲ ଇତିହାସରେ ସର୍ବାଧିକ ଥର ୪ କିମ୍ବା ତା’ଠାରୁ ଅଧିକ ୱିକେଟ ନେବାର ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। କେକେଆର ବିପକ୍ଷ ମୁଲ୍ଲାନପୁର ମ୍ୟାଚ୍‌ରେ ଚହଲ ଏପରି ସଫଳତା ପାଇଛନ୍ତି। ପଞ୍ଜାବ କିଙ୍ଗସ ୧୧୧ ରନକୁ ଡିଫେଣ୍ଡ କରୁଥିବା ବେଳେ ଚହଲ ୪ ଓଭରରେ ୨୮ ରନ ଦେଇ ୪ ୱିକେଟ ଦଖଲ କରିଥିଲେ।

ଏଥିଯୋଗୁ ପଞ୍ଜାବ ୧୬ ରନରେ କେକେଆରକୁ ହରାଇ ଦେଇଛି। କେକେଆର ୧୦୦ ରନ କରି ନ ପାରି ଅଲଆଉଟ ହୋଇଯାଇଥିଲା। ଚହଲ ତାଙ୍କ ମ୍ୟାଚ ବିଜୟୀ ପ୍ରଦର୍ଶନରେ ପ୍ରଥମେ ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରିଶ ରଘୁବଂଶୀ, ରିଙ୍କୁ ସିଂହ ଓ ଶେଷରେ ରମଣଦୀପ ସିଂହଙ୍କ ୱିକେଟ ନେଇଛନ୍ତି। କେକେଆର ଏକଦା ୬୨ ରନରେ ୨ଟି ୱିକେଟ ହରାଇଥିବା ବେଳେ ୯୫ ରନରେ ଅଲଆଉଟ ହୋଇ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି।

Advertisment

ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୮ମ ଥର ପାଇଁ ୪ ୱିକେଟ ଦଖଲ କରିଛନ୍ତି। ଏପରି କରି ସେ ନାରିନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେହିପରି ଚହଲ କେକେଆର ବିପକ୍ଷରେ ୩୩ ୱିକେଟ ସହ ତୃତୀୟ ସଫଳ ବୋଲର ହୋଇପାରିଛନ୍ତି। କେକେଆର ବିପକ୍ଷରେ ଚହଲ ତୃତୀୟ ଥର ପାଇଁ ୪ ୱିକେଟ ନେଇଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଟିମ ବିପକ୍ଷରେ ଏପରି ସଫଳତା ହାସଲ କରିବା ଆଇପିଏଲ ଇତିହାସରେ ପ୍ରଥମ ଘଟଣା।

ଚଳିତ ଆଇପିଏଲରେ ଚହଲ ୬ଟି ମ୍ୟାଚ୍‌ରେ ୬ଟି ୱିକେଟ ନେଇଛନ୍ତି। କେକେଆର ବିପକ୍ଷ ମ୍ୟାଚ୍‌ ପୂର୍ବରୁ ତାଙ୍କ ବୋଲିଂରେ ସେତେଟା ପ୍ରଭାବ ନଥିଲା। କିନ୍ତୁ କେକେଆର ବିପକ୍ଷ ମ୍ୟାଚ୍‌ରେ ସେ ଲୟକୁ ଫେରିଛନ୍ତି। ଟି-୨୦ ଇତିହାସରେ ସର୍ବାଧିକ ୱିକେଟ ନେବା ତାଲିକାରେ ମହମ୍ମଦ ନବି(୩୬୯ ୱିକେଟ) ଓ ମହମ୍ମଦ ଆମୀର(୩୬୬ ୱିକେଟ)ଙ୍କୁ ପଛରେ ପକାଇ ଚହଲ ୧୧ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଏଯାଏ ୩୧୮ ମ୍ୟାଚ୍‌ରେ ୩୭୦ ୱିକେଟ ଦଖଲ କରିଛନ୍ତି। ଟି-୨୦ କ୍ରିକେଟରେ ଚହଲ ଭାରତର ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର।

ଟି-୨୦ରେ ସର୍ବାଧିକ ୱିକେଟ ଦଖଲ କରିଥିବା ଖେଳାଳିଙ୍କ ତାଲିକାର ୧ନଂ ସ୍ଥାନରେ ଆଫଗାନିସ୍ତାନର ରାଶିଦ ଖାନ ରହିଛନ୍ତି। ସେ ୪୬୮ଟି ମ୍ୟାଚ୍‌ରେ ରେକର୍ଡ ୬୩୮ ୱିକେଟ ପାଇଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗସ ପ୍ରିୟାଂଶ ଆର୍ଯ୍ୟଙ୍କ ୧୨ ବଲରେ ୨୨ ଓ ପ୍ରବଶିମରନ ସିଂହଙ୍କ ୧୫ ବଲରେ ୩୦ ରନ ଯୋଗୁ ଭଲ ଷ୍ଟାର୍ଟ ପାଇଥିଲା। କିନ୍ତୁ ହର୍ଷିତ ରାଣା(୨୫/୩) ଯୋଗୁ ପଞ୍ଜାବ ପାୱାର ପ୍ଲେ ଶେଷ ବେଳକୁ ୫୪ ରନରେ ୪ ୱିକେଟ ହରାଇ ସାରିଥିଲା। ସୁନିଲ ନାରିନ(୧୪/୨) ଓ ବରୁଣ ଚକ୍ରବର୍ତ୍ତୀ(୨୧/୨) ନିୟମିତ ଚାପ ପକାଇ ପଞ୍ଜାବକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲେ। ଶେଷରେ ପଞ୍ଜାବ ୧୫.୩ ଓଭରରେ ସମସ୍ତ ୱିକେଟ ହରାଇ ୧୧୧ ରନ କରିଥିଲା।

୧୧୨ ରନର ପିଛା କରୁଥିବା କେକେଆର ଆରମ୍ଭରୁ କ୍ୱିଣ୍ଟନ ଡି’କକ ଓ ନାରିନଙ୍କୁ ହରାଇଥିଲା। ଏହାପରେ ଦଳ ୬୨/୨ରେ ପହଞ୍ଚି ଯାଇଥିଲା। କିନ୍ତୁ ଚହଲ ଆସିବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ରଘୁବଂଶୀ ୨୮ ବଲରେ ୩୭ ଓ ଆନ୍ଦ୍ରେ ରସେଲ ୧୧ ବଲରେ ଦ୍ରୁତ ୧୭ ରନ କରିଥିଲେ ହେଁ ଦଳକୁ ବିଜୟ କରାଇ ପାରି ନଥିଲା। ଚହଲ ୨୮ ରନରେ ୪ ୱିକେଟ ଦଖଲ କରିବାରୁ କେକେଆର ୧୫.୧ ଓଭରରେ ୯୫ ରନ କରି ଅଲଆଉଟ ହୋଇଯାଇଥିଲା।

IPL Yuzvendra Chahal KKR PBKS IPL 2025