Advertisment

ଛାତି ଧଡ଼ଧଡ଼ କରିଦେବା ଭଳି ମ୍ୟାଚ୍‌ : ମାତ୍ର ୧ ରନରେ ଟେଷ୍ଟ ମ୍ୟାଚ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ

ଇଂଲଣ୍ତ ଫୋଲଅନ ଦେବା ପରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ପୂର୍ବତନ ଅଧିନାୟକ କେନ ୱିଲିୟମସନଙ୍କ ଦମଦାର ୧୩୨, ଡାର୍ଲି ମିଚେଲଙ୍କ ୫୪ ଓ ଟମ ବ୍ଲଣ୍ଡେଲଙ୍କ ୯୦ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୪୮୩ ରନ କରିଥିଲା।

New Zealand

New Zealand

Advertisment

ଟେଷ୍ଟ ମ୍ୟାଚ୍‌ ଆଦୌ ବୋରିଂ ନୁହେଁ। ଏହା ଟି-୨୦ ଓ ଦିନିକିଆ ଠାରୁ ମଧ୍ୟ ଆହୁରି ରୋମାଞ୍ଚକର। ଏହାର ଜ୍ୱଳନ୍ତ ଉଦାହରଣ ୱେଲିଂଟନରେ ଶେଷ ହୋଇଥିବା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପ୍ରମାଣିତ ହୋଇଛି। ଏହି ମ୍ୟାଚ୍‌ଟିରେ ରୋମାଞ୍ଚ ଏତେ ମାତ୍ରାରେ ଥିଲା ଯେ ଏହାକୁ ଦର୍ଶକମାନେ ଦୀର୍ଘ ବର୍ଷ ଯାଏ ଆଦୌ ଭୁଲି ପାରିବେ ନାହିଁ।

Advertisment

କାରଣ ଦ୍ୱିତୀୟ ଟେଷ୍ଟକୁ ମାତ୍ର ୧ ରନରେ ଜିତିଛି ନ୍ୟୁଜିଲ୍ୟାଣ୍ଡ। ପ୍ରଥମ ଇନିଂସରେ ଫଲୋଅନ ଖାଇଥିବା ଘରୋଇ କ୍ୱିୱି ଟିମ୍‌ ଜବରଦସ୍ତ କମବ୍ୟାକ୍‌ କରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୧-୧ରେ ଡ୍ର ରଖିବାକୁ ବି ସକ୍ଷମ ହୋଇଛି। ମ୍ୟାଚ୍‌ ଜିତିବାକୁ ୨୫୮ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

୮୦ ରନ ଭିତରେ ଦଳ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ବେନ ଷ୍ଟୋକ୍ସ ଓ ଜୋ ରୁଟ ନ୍ୟୁଜିଲ୍ୟାଣ୍ଡ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ଉଭୟ ୬ଷ୍ଠ ୱିକେଟ ପାଇଁ ୧୨୧ ରନର ଭାଗିଦାରୀ କରି ଦଳୀୟ ସ୍କୋରକୁ ୨୦୧ରେ ପହଞ୍ଚାଇ ଦେଇଥିଲେ। ତେବେ ୧ ରନ ଭିତରେ ଷ୍ଟୋକ୍ସ(୩୩) ଓ ରୁଟ (୯୫) ଆଉଟ ହେବା ପରେ ମ୍ୟାଚ୍‌ର ମୋଡ଼ ବଦଳି ଯାଇଥିଲା।

Advertisment

ଅବଶ୍ୟ ବେନ ‍ଫୋକ୍ସ କ୍ରିଜ୍‌ରେ ଥିବାରୁ ଦଳ ବେଶ ଆରାମରେ ମ୍ୟାଚ୍‌ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ଆଜି ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଦିନ ଥିବା ବେଳେ ଇଂଲଣ୍ଡ ହାତରେ ଅନେକ ଓଭର ରହିଥିଲା। ଇଂଲଣ୍ଡ ମଧ୍ୟ ସେହି ଅନୁସାରେ ଖେଳିଥିଲା। ଫୋକ୍ସ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୫୧ ରନରେ ପହଞ୍ଚାଇ ଦେଇଥିଲେ।

ଦଳକୁ ଜିତିବା ପାଇଁ ମାତ୍ର ୭ ରନ ଦରକାର ଥିବା ବେଳେ ଟିମ ସାଉଦିଙ୍କ ବଲରେ ୩୫ ରନ କରି ଆଉଟ ହୋଇଯାଇଥିଲେ। ଫୋକ୍ସଙ୍କ ପୂର୍ବରୁ ଷ୍ଟୁଆର୍ଟ ବ୍ରଡ(୧୧) ଆଉଟ ହୋଇଥିଲେ। ଶେଷ ବ୍ୟାଟର ଭାବେ ଜେମ୍ସ ଆଣ୍ଡରସନ କ୍ରିଜ୍‌ ଆସି ସୁନ୍ଦର ଚୌକା ମାରିଥିଲେ। ଜିତିବାକୁ ୨ ରନ ଦରକାର ଥିବା ବେଳେ ନେଲ ୱାଗନର ବୋଲିଂ କରିବାକୁ ଆସିଥିଲେ।

ଇଂଲଣ୍ଡକୁ ଜିତିବା ପାଇଁ ୨ ରନ ଓ ନ୍ୟୁଜିଲ୍ୟାଣ୍ଡକୁ ଗୋଟିଏ ୱିକେଟ ଦରକାର ଥିଲା। ଷ୍ଟାଡିୟମ ଓ ଟିଭିରେ ମ୍ୟାଚ୍‌ ଦେଖୁଥିବା ଦର୍ଶକଙ୍କ ଛାତି ମଧ୍ୟ ଧଡ଼ଧଡ଼ ହେବାରେ ଲାଗିଥିଲା। 

ଏସବୁ ଭିତରେ ୱାଗନର ନିଜର ଦ୍ୱିତୀୟ ବଲ ଲେଗ ସାଇଡ୍‌ରେ ପକାଇଥିଲେ। ଏହାକୁ ଫ୍ଲିକ କରିବାକୁ ଚେଷ୍ଟା କରିଥିଲେ ଆଣ୍ଡରସନ। ହେଲେ ଏହା ବ୍ୟାଟରେ ବାଜି ସିଧା ୱିକେଟକିପରଙ୍କ ହାତରେ ପଡ଼ିଥିଲା। ବାସ ଏହି ଗୋଟିଏ କ୍ୟାଚ୍‌ ଘରୋଇ ଟିମକୁ ବିଜୟ କରାଇ ପୂରା ଷ୍ଟାଡିୟମରେ ଉତ୍ସାହ ଭରି ଦେଇଥିଲା। ଆଣ୍ଡରସନ ଓ ନନଷ୍ଟ୍ରାଇକରେ ଥିବା ଜ୍ୟାକ ଲିଚ୍‌ କିଛି ସମୟ ପାଇଁ ପୂରା ସ୍ତବ୍ଧ ହୋଇଯାଇଥିଲେ। ହେଲେ ଉଭୟଙ୍କୁ ଶେଷରେ ନିରାଶ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ଏହି ବିଜୟ ପରେ ନ୍ୟୁଜିଲ୍ୟାଣ୍ଡର ନାଁ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି। ପ୍ରଥମ ଇନିଂସରେ ଫୋଲଅନ ହେବା ପରେ ବିଶ୍ୱର ତୃତୀୟ ଦଳ ଭାବେ କ୍ୱିୱି ଟିମ କୌଣସି ଟେଷ୍ଟ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଭାରତ ଓ ଇଂଲଣ୍ଡ ଏପରି କୀର୍ତ୍ତିମାନ କରିଥିଲେ। ସେହିପରି ୪ର୍ଥ ଥର ପାଇଁ ଏପରି ଫୋଲଅନ ପରେ କୌଣସି ଦଳ ମ୍ୟାଚ ଜିତିଛି। ଇଂଲଣ୍ଡ ଏପରି କାରନାମା ୨ ଥର ୧୮୯୪ ଓ ୧୯୮୧ରେ କରିଥିଲା। ଭାରତ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଫୋଲଅନ ହେବା ପରେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଥିଲା।

ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଜିତିବା ପାଇଁ ଇଂଲଣ୍ଡକୁ ୨୫୮ ରନର ଟାର୍ଗେଟ ଦେଇଥିଲା। ହେଲେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ କେବଳ ୨୫୬ ରନ କରିବାକୁ ସକ୍ଷମ ହୋଇଛି। ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୩୫ ରନ କରିବା ପରେ ପାଳି ଘୋଷଣା କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୨୦୯ ରନରେ ଅଲଆଉଟ ହୋଇଯାଇଥିଲା। ଇଂଲଣ୍ତ ଫୋଲଅନ ଦେବା ପରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ପୂର୍ବତନ ଅଧିନାୟକ କେନ ୱିଲିୟମସନଙ୍କ ଦମଦାର ୧୩୨, ଡାର୍ଲି ମିଚେଲଙ୍କ ୫୪ ଓ ଟମ ବ୍ଲଣ୍ଡେଲଙ୍କ ୯୦ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୪୮୩ ରନ କରିଥିଲା।

ଫଳରେ ଇଂଲଣ୍ଡକୁ ୨୫୮ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଦଳ ୧ ୱିକେଟ ହରାଇ ୪୮ ରନ କରିଥିଲା। ହେଲେ ଆଜି ଦଳ ମ୍ୟାଚ୍‌ ଜିତିବାର ଅତି ନିକଟରେ ପହଞ୍ଚି ଏହାକୁ ହାରି ଯାଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୱାଗନର ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଅଧିନାୟକ ସାଉଦି ୩ଟି ଓ ମ୍ୟାଟ୍‌ ହେନରୀ ୨ଟି ସଫଳତା ପାଇଛନ୍ତି।

Cricket England New Zealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe