Advertisment

ଭାରତରେ ପ୍ରଥମଥର ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ଡ, ୧୨ ବର୍ଷ ପରେ ହାରିଲା ଟିମ ଇଣ୍ଡିଆ

୧୯୫୫ରୁ ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ସେଇଟା ଏବେ ପୁଣେରେ ପୂରଣ ହୋଇଛି।

ଅଦ୍ୟତନ ହୋଇଛି
New Zealand

New Zealand

Advertisment

ନିଜ ଗଡ଼ରେ ମାଟି କାମୁଡ଼ିଛି ଟିମ ଇଣ୍ଡିଆ। ଦୀର୍ଘ ୧୨ ବର୍ଷ ହେଲା ଲାଗି ରହିଥିବା ବିଜୟ ଧାରାରେ ଲାଗିଛି ବ୍ରେକ। ଘରୋଇ ମାଟିରେ କ୍ରମାଗତ ୧୮ଟି ଟେଷ୍ଟ ସିରିଜ ବିଜୟ ପରେ ଟିମ ଇଣ୍ଡିଆକୁ ଧୂଳି ଚଟାଇଛି ନ୍ୟୁଜିଲ୍ୟାଣ୍ଡ।

Advertisment

୧୯୫୫ରୁ ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ସେଇଟା ଏବେ ପୁଣେରେ ପୂରଣ ହୋଇଛି। ପୁଣେ ଟେଷ୍ଟକୁ କ୍ୱିୱି ଟିମ ୧୧୩ ରନରେ ଜିତି ଭାରତ ମାଟିରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇଛି।

ଭାରତୀୟ ଟିମ ୨୦୧୨ ଠାରୁ କ୍ରମାଗତ ଭାବେ ଘରୋଇ ମାଟିରେ ଟେଷ୍ଟ ସିରିଜ ଜିତି ଆସୁଥିଲା। ଦଳ ଶେଷ ଥର ପାଇଁ ୧-୨ରେ ଇଂଲଣ୍ଡ ଠାରୁ ଘରୋଇ ପରିବେଶରେ କୌଣସି ଟେଷ୍ଟ ସିରିଜ ହାରିଥିଲା। ହେଲେ ଏବେ ୧୨ ବର୍ଷ ପରେ ଇତିହାସ ବଦଳିଛି। ଭାରତ ୪୩୩୧ ଦିନ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିବାର ଲଜ୍ଜା ମୁଣ୍ଡାଇଛି। 

Advertisment

ନ୍ୟୁଜିଲ୍ୟାଣ୍ଡ ନିଜ ସ୍ପିନ ଯାଦୁ ବଳରେ ଭାରତକୁ ମାତ ଦେଇଛି। ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ୦-୧ରେ ଭାରତ ଠାରୁ ହାରି ସ୍ୱଦେଶ ଫେରିଥିଲା। ଏବେ ଦଳ କିନ୍ତୁ ସମସ୍ତଙ୍କୁ ଚକିତ କରି ପ୍ରଥମେ ବେଙ୍ଗାଲୁରୁ ଓ ଆଜି ପୁଣେ ଟେଷ୍ଟରେ ବିଜୟ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତକୁ ଆସିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୦-୨ରେ ଶ୍ରୀଲଙ୍କା ଠାରୁ ହାରିଥିଲା। ଦଳ ବାଉନ୍ସ ବ୍ୟାକ କରି ଭାରତ ଭଳି ଗୋଟିଏ ଶକ୍ତିଶାଳୀ ଦଳକୁ ଘରୋଇ ମାଟିରେ ମାତ ଦେଇଛି। 

ଦଳର ଷ୍ଟାର ଅଲରାଉଣ୍ଡର ମିଚେଲ ସାଣ୍ଟନର ପୁଣେ ଟେଷ୍ଟରେ କମାଲ କରିଛନ୍ତି। ପ୍ରଥମ ଇନିଂସରେ ସେ ୭ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହାପୂର୍ବରୁ ସେ କେବେ ବି ଟେଷ୍ଟରେ ୫ ଫର ଦଖଲ କରି ନେଇଥିଲେ। ଭାରତ ବିପକ୍ଷରେ ସେ ଜବରଦସ୍ତ ପ୍ରଦର୍ଶନ କରିବାରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଐତିହାସିକ ବିଜୟ ହାସଲ କରିଛି। 

ପୁଣେର ଟର୍ଣ୍ଣିଂ ଟ୍ରାକ୍‌ରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ ଲାଥମ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ପକ୍ଷରୁ ୧୩୨୫ ଦିନ ପରେ ଖେଳୁଥିବା ୱାଶିଂଟନ ସୁନ୍ଦର ୭ ୱିକେଟ ଦଖଲ କରିବାରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୨୫୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଭାରତୀୟ ଟିମ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମ ଇନିଂସରେ ୧୦୩ ରନର ଲିଡ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଟମ ଲାଥମଙ୍କ ୮୬ ରନ ବଳରେ ଦ୍ୱିତୀୟ ଇନିଂସରେ ୨୫୫ ରନ କରିଥିଲା। ଫଳରେ ମ୍ୟାଚ୍‌ ସହ ସିରିଜ ବଞ୍ଚାଇବାକୁ ଭାରତକୁ ୩୫୯ ରନର ଟାର୍ଗେଟ ମିଳିଥିଲା। ତୃତୀୟ ଦିନର ଲଞ୍ଚ ପୂର୍ବରୁ ଏହି ଟାର୍ଗେଟକୁ ପିଛା କରୁଥିବା ଭାରତକୁ ଯଶସ୍ୱୀ ଜୈସୱାଲ ଦମଦାର ଆରମ୍ଭ ଦେଇଥିଲେ।

ସେ ଏକାକୀ ୭୭ ରନ କରିଥିଲେ ହେଁ ତାଙ୍କୁ ମଧ୍ୟକ୍ରମରେ କେହି ବି ସାଥ ଦେଇ ନଥିଲେ। ରୋହିତ ଶର୍ମା ୮, ଶୁବମନ ଗିଲ ୨୩, ବିରାଟ କୋହଲି ୧୭, ଋଷଭ ପନ୍ତ ୦, ୱାଶିଂଟନ ସୁନ୍ଦର ୨୧, ସର୍ଫରାଜ ଖାନ ୯ ସମସ୍ତଙ୍କୁ ନିରାଶ କରିଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା କିଛି ସମୟ ଲଢ଼େଇ କରିବାରୁ ଭାରତ ୨୪୦ ରନ ପାର କରିବାକୁ ସକ୍ଷମ ହୋଇଥିଲା।

ତାଙ୍କୁ କିଛି ସମୟ ପାଇଁ ରବି ଅଶ୍ୱିନ(୧୭) ଓ ଆକାଶ ଦୀପ(୨୪ ବଲରେ ୧) ସାଥ ଦେଇଥିଲେ। ହେଲେ ଭାରତ ୨୨୯ ରନରେ ତା’ର ୯ମ ୱିକେଟ ହରାଇଥିଲା। ଶେଷ ବ୍ୟାଟର ଭାବେ ଯଶପ୍ରୀତ ବୁମ୍ରାଙ୍କୁ ସାଥୀ କରି ଜାଡେଜା କିଛି ରନ ହାସଲ କରିବାକୁ ଚେଷ୍ଟା କରିଥିଲେ। ହେଲେ ଦଳୀୟ ସ୍କୋର ୨୪୫ ଥିବା ବେଳେ ସେ ବଡ଼ ଶଟ ଖେଳିବାକୁ ଯାଇ ୪୨ ରନରେ ଏଜାଜ ପଟେଲଙ୍କ ବଲରେ ଆଉଟ ହୋଇଥିଲେ। 

ଭାରତ ୨୪୫ ରନରେ ଅଲଆଉଟ ହେବାକୁ ନ୍ୟୁଜିଲ୍ୟାଣ୍ଡ ୧୧୩ ରନରେ ମ୍ୟାଚ୍‌କୁ ଜିତି ଐତିହାସିକ ଟେଷ୍ଟ ସିରିଜ କବଜା କରିଛି।

New Zealand Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe