Advertisment

ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ, ପୁଣି ହାରିଲା ନେଦରଲ୍ୟାଣ୍ଡ୍ସ

ହାଇଦ୍ରାବାଦରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୨୨ ରନ କରିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
NZ

NZ

ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଧାରା ଜାରି ରହିଛି। ଉଦଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିବା ବେଳେ ଆଜି ଅପେକ୍ଷାକୃତ ନେଦରଲ୍ୟାଣ୍ଡ୍ସକୁ ମାତ ଦେଇଛି।

Advertisment

ହାଇଦ୍ରାବାଦରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୨୨ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୪୭.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୨୨୩ ରନ କରିବାକୁ ସକ୍ଷମ ହୋଇଛି।

ଫଳରେ ଟମ ଲାଥମଙ୍କ ନ୍ୟୁଜିଲ୍ୟାଣ୍ଡ ୯୯ ରନରେ ମ୍ୟାଚ୍ ଜିତି ନେଇଛି। ଏହା ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଡଚ୍‌ ଟିମର ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନ ଠାରୁ ହାରିଥିଲା।

Advertisment

ଟସ୍‌ ହାରି ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ୱିକେଟରେ ଡେଭୋନ କନୱେ ଓ ୱିଲ ୟଙ୍ଗ ୬୭ ରନ ଯୋଡ଼ିଥିଲେ। କନୱେ ୩୨ ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୭୦ ରନର ଇନିଂସ ଖେଳିଥିଲେ। ୩ନଂରେ ବ୍ୟାଟିଂ କରିଥିବା ରଚିନ ରବୀନ୍ଦ୍ର ୫୧ ବଲରେ ୫୧, ଡାର୍ଲି ମିଚେଲ ୪୭ ବଲରେ ୪୮, ଅଧିନାୟକ ଟମ ଲାଥମ ୪୬ ବଲରେ ୫୩, ଗ୍ଲେନ ଫିଲିପ୍ସ ୪, ମାର୍କ ଚାମ୍ପମାନ ୫ ରନ କରିଥିଲେ।

ଶେଷ ଭାଗରେ ମିଚେଲ ସାଣ୍ଟନର ୧୭ ବଲରେ ବିସ୍ଫୋରକ ୩୬ ଓ ମ୍ୟାଟ ହେନରୀ ୪ ବଲରେ ୧୦ ରନ କରିବାରୁ କିୱି ଟିମ ୫୦ ଓଭର୍‌ରେ ୭ ୱିକେଟ ହରାଇ ୩୨୨ ରନ କରିଥିଲା।

ନେଦରଲ୍ୟାଣ୍ଡସ ପକ୍ଷରୁ ଆର୍ଯ୍ୟନ ଦତ୍ତ, ପଲ ଭାନ ମୀକେରେନ ଓ ରୋଲଫ ଭାନ ଡେର ମେରୱେ ଦୁଇଟି ଲେଖାଏ ସଫଳତା ପାଇଥିଲେ। ସେହିପରି ବାସ ଡେ ଲିଡେ ଗୋଟିଏ ୱିକେଟ ନେଇଥିଲେ। 

୩୨୩ ରନର ଟାର୍ଗେଟ ପାଇଥିବା ଡଚ୍‌ ଟିମ ୨୧ ରନରେ ପ୍ରଥମ ୱିକେଟ ହରାଇଥିଲା। ବିକ୍ରମଜିତ ସିଂହ ମାତ୍ର ୧୨ ରନ କରି ହେନରୀଙ୍କ ବଲରେ ଆଉଟ ହୋଇଥିଲେ। ଏହା ପରେ ମ୍ୟାକ୍ସ ଓ’ ଡାଉଡ ୧୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ସାଣ୍ଟନରଙ୍କ ଖାତାକୁ ଯାଇଥିଲା। ଇନ ଫର୍ମ ଲିଡେ ୧୮ ରନ କରି ଆଉଟ ହେବା ପରେ ଡଚ୍‌ ଟିମର ବ୍ୟାଟିଂ ଲାଇନ ଅଫ ଛିନଛତ୍ର ହୋଇଯାଇଥିଲା।

ତେବେ କୋଲିନ ଆକେରମାନ ଓ ତେଜା ନିଦାମାନୁରୁ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦଳୀୟ ସ୍କୋରକୁ ଏହି ଦୁଇ ବ୍ୟାଟର ୬୭ରୁ ନେଇ ୧୧୭ରେ ପହଞ୍ଚାଇଥିଲେ। କିନ୍ତୁ ତେଜା ୨୧ ରନ କରିଥିବା ବେଳେ ରନ ଆଉଟ ହୋଇ ଯାଇଥିଲେ। ତଥାପି ଆକେରମାନ କାଉଣ୍ଟର ଆଟାକ କରି ନିଜର ଅର୍ଦ୍ଧଶତକ ସଲ କରିଥିଲେ।

କିନ୍ତୁ ଏହାକୁ ସେ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ଆକେରମାନ ୬୯ ରନ କରିଥିବା ବେଳେ ତାଙ୍କୁ ସାଣ୍ଟନର ଆଉଟ କରି ନେଦରଲ୍ୟାଣ୍ଡ୍ସକୁ ବଡ଼ ଝଟକା ଦେଇଥିଲେ। ଅଧିନାୟକ ସ୍କଟ ଏଡୱାର୍ଡସ କିଛି ଶଟ ଖେଳିଥିଲେ ମଧ୍ୟ ୨୭ ବଲରେ ୩୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ବି ସାଣ୍ଟନର ନେଇଥିଲେ।

ଏଡୱାର୍ଡସ ଆଉଟ ହେବା ପରେ ଡଚ୍‌ ଟିମର ପରାଜୟ ଏକପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା। ଅଭିଜ୍ଞ ରୋଲଫ ଭାନ ଡେର ମେରୱେ କେବଳ ୧ ରନ କରି ସାଣ୍ଟନରଙ୍କ ୪ର୍ଥ ଶିକାର ବନିଥିଲେ। ସେହିପରି ରାୟନ କ୍ଲେଇନ (୮ ରନ)ଙ୍କୁ ଆଉଟ କରି ସାଣ୍ଟନର ଚଳିତ ବିଶ୍ୱକପର ପ୍ରଥମ ବୋଲର ଭାବେ ୫ଟି ୱିକେଟ ଦଖଲ କରିଥିଲେ।

୯ମ ୱିକେଟ ପାଇଁ ସାୟବ୍ରାଣ୍ଡ କିଛି ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ହେଲେ ସେ କେବଳ ୨୯ ରନ କରି ହେନରୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ହେନରୀ ୪୭ତମ ଓଭର୍‌ରେ ଆର୍ଯ୍ୟନ ଦତ୍ତ(୧୧)ଙ୍କୁ ଆଉଟ କରି ଡଚ୍‌ ଟିମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

ନ୍ୟୁଜିଲ୍ୟାଣ୍ତ ପକ୍ଷରୁ ସାଣ୍ଟନର ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ହେନରୀଙ୍କୁ ୩ଟି ଓ ରବୀନ୍ଦ୍ରଙ୍କୁ ଗୋଟିଏ ସଫଳତା ମିଳିଛି।  

ICC ICC Men’s Cricket World Cup 2023 ICC World Cup 2023