/odisha-reporter/media/post_attachments/uploads/2021/06/NZ-WIN.jpg)
NZ-WIN
ସାଉଥମ୍ପଟନ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଟ୍ରଫି ଜିତିଛି ନ୍ୟୁଜିଲ୍ୟାଣ୍ଡ। ସାଉଥମ୍ପଟନ୍ର ଏଜିସ୍ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟାଇଟଲ ମୁକାବିଲାରେ କିଓ୍ୱି ଟିମ୍ ୮ ଓ୍ୱିକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଏଥିସହ ଦୁଇ ବର୍ଷ ଧରି ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ସଂସ୍କରଣ ଶେଷ ହୋଇଛି।
ଫାଇନାଲ ମୁକାବିଲାରେ ଭାରତ ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ୧୩୯ ରନର ଲକ୍ଷ୍ୟ ରଖିଥିଲା। ଯାହାକୁ କିଓ୍ୱି ଟିମ୍ ଦୁଇ ଓ୍ୱିକେଟ ହରାଇ ହାସଲ କରି ନେଇଛି। ଏଥିସହ ନ୍ୟୁଜିଲ୍ୟାଣ୍ଡ ୨୧ ବର୍ଷ ପରେ ଆଇସିସିର କୌଣସି ଟ୍ରଫି ଜିତିଛି। ୨୦୦୦ ମସିହାରେ ନ୍ୟୁଜିଲ୍ୟାଣ୍ଡ ଆଇସିସି ନକ ଆଉଟ୍ ଟ୍ରଫି ଜିତିଥିଲା। ୨୦୧୯ ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ ଇଂଲଣ୍ଡଠାରୁ ଫାଇନାଲରେ ପରାସ୍ତ ହୋଇଥିଲା। କିନ୍ତୁ ଏଥର ସେ ପରାଜୟ ଧାରାକୁ ଭାଙ୍ଗି ନ୍ୟୁଜିଲ୍ୟାଣ୍ଡ ଦେଶବାସୀଙ୍କ ପାଇଁ ଏହି ବଡ଼ ସଫଳତା ଆଣିଛି କିଓ୍ୱି ଟିମ୍।
ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଏହି ପରାଜୟ ସହ ବିରାଟ କୋହଲିଙ୍କ ପ୍ରଥମ ଥର ଆଇସିସି ଟ୍ରଫି ଜିତିବାର ସ୍ୱପ୍ନ ପୁଣିଥରେ ଧୂଳିସାତ ହୋଇଯାଇଛି।
୧୩୯ ରନର ଟାର୍ଗେଟ ପିଛା କରୁଥିବା କିୱି ଟିମ୍ ୪୪ ରନରେ ଦୁଇ ଓପନରକୁ ହରାଇଥିଲା। ଉଭୟ ଟମ୍ ଲାଥମ (୯) ଓ ଡେଭନ କୋନଓ୍ୱେ (୧୯)ଙ୍କୁ ଆର୍ ଅଶ୍ୱୀନ ଆଉଟ୍ କରିଥିଲେ। ଏହି ସମୟରେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚକୁ କମ୍ ବ୍ୟାକ କରିବାର ଭଲ ସୁଯୋଗ ଥିଲା କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଟିମର ଦୁଇ ଅଭିଜ୍ଞ କେନ୍ ଓ୍ୱିଲିୟମ ସନ ଓ ରସ ଟେଲର ବିରାଟ ବାହିନୀଙ୍କୁ ଏହି ସୁଯୋଗ ଦେଇନଥିଲେ। ଦୁହେଁ ତୃତୀୟ ଓ୍ୱିକେଟ ପାଇଁ ୯୬ ରନର ପାର୍ଟନରସିପ୍ କରି ଟିମକୁ ଜିତାଇଥିଲେ। ଅଧିନାୟକ କେନ୍ ୱିଲିୟମସନ ୫୨ ରନ୍ ଓ ରସ୍ ଟେଲର ୪୭ ରନ୍ କରିଥିଲେ।
ମ୍ୟାଚର ଅନ୍ତିମ ତଥା ଷଷ୍ଠ ଦିନରେ ଟିମ୍ ଇଣ୍ଡିଆ ତା'ର ଦ୍ୱିତୀୟ ଇନିଂସ ଦୁଇ ଓ୍ୱିକେଟରେ ୬୪ ରନରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ଟିମ୍ ନିୟମିତ ବ୍ୟବଧାନରେ ଓ୍ୱିକେଟ୍ ହରାଇଥିଲା। ଯାହା ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୧୭୦ ରନରେ ଅଲ ଆଉଟ୍ ହୋଇଯାଇଥିଲା। ଋଷଭ ପନ୍ତ ସର୍ବାଧିକ ୪୧ ଓ ରୋହିତ ଶର୍ମା ୩୦ ରନ୍ କରିଥିଲେ। ବିରାଟ କୋହଲି (୧୩) ଦ୍ୱିତୀୟ ଇନିଂସରେ ମଧ୍ୟ କାଇଲ ଜେମିସନଙ୍କ ଶିକାର ହୋଇଥିଲେ। ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ୧୫ ରନ୍ ଲେଖାଏଁ କରିଥିଲେ। ରବୀନ୍ଦ୍ର ଜାଡେଜା (୧୬), ଅଶ୍ୱୀନ୍ (୭), ମହମ୍ମଦ ସାମି (୧୩) ଓ ଈଶାନ୍ତ ଶର୍ମା (୧) ରନ୍ କରି ଅପରାଜିତ ଥିଲେ।
ଭାରତ ତାର ଶେଷ ୮ ଓ୍ୱିକେଟ ମାତ୍ର ୯୯ ରନରେ ହିଁ ହରାଇଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ୩, ମ୍ୟାନ୍ ଅଫ୍ ଦ ମ୍ୟାଚ କାଇଲ୍ ଜେମିସନ ୨ଟି ଓ୍ୱିକେଟ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
