Advertisment

T20 World Cup: ଆରମ୍ଭ ହେବା ପୂର୍ବରୁ ଟି-୨୦ ବିଶ୍ୱକପ ଫାଇନାଲ ହାରି ସାରିଥିଲା ନ୍ୟୁଜିଲ୍ୟାଣ୍ଡ, ଏହି ଗୋଟିଏ ଭୁଲ ସ୍ୱପ୍ନକୁ କଲା ଚୂରମାର

୨୦୦୭ ଓ ୨୦୨୪ ପରେ ଭାରତ ୨୦୨୬ରେ ଜିତିଛି ଟି-୨୦ ବିଶ୍ୱକପ। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ଦୁଇଥର ଓ ମୋଟ ଉପରେ ୩ ଥର ଟି-୨୦ ବିଶ୍ୱକପ ଜିତିବାର ରେକର୍ଡ କରିଛି। ସେହିପରି ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତିବାରେ ଭାରତ ମଧ୍ୟ ବିଶ୍ୱର ପ୍ରଥମ ଦଳ ବନି ଯାଇଛି।

NZ

ପରାଜୟ ପରେ ନ୍ୟୁଜିଲ୍ୟାଣ୍ଡ ଟିମ

Advertisment

ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ବନିଛି ଟି-୨୦ କ୍ରିକେଟର ବିଶ୍ୱ ବିଜେତା। ରବିବାର ଅହମଦାବାଦରେ ଖେଳା ଯାଉଥିବା ଫାଇନାଲରେ ଘରୋଇ ଟିମ ୯୬ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ(T20 World Cup) ଟ୍ରଫି କବଜା କରିଛି।

Advertisment

୨୦୦୭ ଓ ୨୦୨୪ ପରେ ଭାରତ ୨୦୨୬ରେ ଜିତିଛି ଟି-୨୦ ବିଶ୍ୱକପ। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ଦୁଇଥର ଓ ମୋଟ ଉପରେ ୩ ଥର ଟି-୨୦ ବିଶ୍ୱକପ ଜିତିବାର ରେକର୍ଡ କରିଛି। ସେହିପରି ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତିବାରେ ଭାରତ ମଧ୍ୟ ବିଶ୍ୱର ପ୍ରଥମ ଦଳ ବନି ଯାଇଛି।

୨୦୨୧ ପରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିଲେ ହେଁ କ୍ୱିୱି ଟିମକୁ ପୁଣି ନିରାଶ ହେବାକୁ ପଡ଼ିଛି। ତେବେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ନ୍ୟୁଜିଲ୍ୟାଣ୍ଡ ଏହାକୁ ହାରି ସାରିଥିଲା। ଆପଣମାନେ ଭାବୁଥିବେ ଟସ୍ କଥା। ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ମିଚେଲ ସାଣ୍ଟନରଙ୍କ ଦଳ ପାଇଁ ଘାତକ ହେଲା ବୋଲି ସମସ୍ତେ ଚିନ୍ତା କରୁଥିବେ। କିନ୍ତୁ ବାସ୍ତବରେ ଏହା ଠାରୁ ଆଉ ଗୋଟିଏ ବଡ଼ ଭୁଲ କରିଛନ୍ତି ସାଣ୍ଟନର ଓ ନ୍ୟୁଜିଲ୍ୟାଣ୍ଡ ଟିମ ମ୍ୟାନେଜମେଣ୍ଟ। 

Advertisment

ଭାରତ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଜଣେ ସ୍ପେଶାଲିଷ୍ଟ ଅଫ ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରରୁ ନ୍ୟୁଜିଲ୍ୟାଣ୍ଡ ବାଦ ଦେବା ନିଷ୍ପତ୍ତି ଦଳକୁ ମହଙ୍ଗା ପଡ଼ିଛି। ଏହି ଗୋଟିଏ ଭୁଲ ନିଶ୍ଚିତ ଭାବେ ବଲ ପଡ଼ିବା ପୂର୍ବରୁ ଭାରତର ପଲ୍ଲାକୁ ଭାରୀ କରି ଦେଇଥିଲା। ଶେଷରେ ରେଜଲ୍ଟ ଭାରତ ସପକ୍ଷରେ ମଧ୍ୟ ଯାଇଥିଲା। 

ନ୍ୟୁଜିଲ୍ୟାଣ୍ଡ ସ୍କ୍ୱାଡରେ ଏକମାତ୍ର ସ୍ପେଶାଲିଷ୍ଟ ଅଫ ସ୍ପିନର ହେଉଛନ୍ତି କୋଲେ ମ୍ୟାକୋଞ୍ଚି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମି ଫାଇନାଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ ଜିତିଥିବା ବେଳେ ସେ ୨ଟି ପ୍ରମୁଖ ୱିକେଟ ମଧ୍ୟ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଫସି ଯାଇଥିବା ମ୍ୟାଚ୍‌ରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ।

ଲାଗୁଥିଲା ଭାରତ ବିପକ୍ଷ ଫାଇନାଲରେ ବି ସେ ଖେଳିବେ। ହେଲେ ସମସ୍ତଙ୍କୁ ଚକିତ କରି ଭାରତ ବିପକ୍ଷ ଫାଇନାଲରେ ମ୍ୟାକୋଞ୍ଚିଙ୍କୁ ଟିମ ମ୍ୟାନେଜମେଣ୍ଟ ବେଞ୍ଚରେ ବସାଇ ଦେଇଥିଲା। ତାଙ୍କ ବଦଳରେ ଜଣେ ଅତିରିକ୍ତ ଦ୍ରୁତ ବୋଲର ଭାବେ ଜ୍ୟାକବ ଡଫୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଭାରତର ବ୍ୟାଟିଂ ଲାଇନ ଅପରେ ଏକାଧିକ ବାମହାତୀ ବ୍ୟାଟର ଥିବା ସତ୍ତ୍ୱେ  ନ୍ୟୁଜିଲ୍ୟାଣ୍ଡ ଜଣେ ସ୍ପେଶାଲିଷ୍ଟ ଅଫ ସ୍ପିନରଙ୍କୁ ବାଦ ଦେବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା।

ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ମଧ୍ୟ କ୍ୱିୱି ଟିମ ବିନା ଅଫ ସ୍ପିନରେ ଆସିଥିବାରୁ ଆଶ୍ଚର୍ଯ୍ୟ ହୋଇଥିବା ସ୍ୱୀକାର କରିଥିଲେ। ମ୍ୟାକୋଞ୍ଚିଙ୍କୁ ବାଦ ଦେଇ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ରଣନୀତିରେ ଭୁଲ କରି ଦେଇଥିଲା। 

ଏହି ତ୍ରୁଟିର ସବୁଠାରୁ ବଡ଼ ଲାଭ ପାଇଥିଲେ ଭାରତୀୟ ଟିମର ଓପନର ଅଭିଷେକ ଶର୍ମା। ଅଫ ସ୍ପିନରଙ୍କ ବିରୋଧରେ ଅଭିଷେକ ଶର୍ମା ପୂରା ବିଶ୍ୱକପରେ ସଂଘର୍ଷ କରିଛନ୍ତି। ତାଙ୍କୁ ଅଫ ସ୍ପିନରମାନେ ୩ଟି ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ହେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ପାର୍ଟ ଟାଇମ ଅଫ ସ୍ପିନର ଗ୍ଲେନ ଫିଲିପ୍ସଙ୍କ ମାତ୍ର ୪ଟି ବଲ ସାମ୍ନା କରିଥିଲେ।

ଫିଲିପ୍ସଙ୍କ ବଲକୁ ମଧ୍ୟ ସାମ୍ନା କରିବାରେ ଅଭିଷେକ ସାମାନ୍ୟ ହଡ଼ବଡ଼େଇ ଯାଇଥିଲେ। ଏହା ସତ୍ତ୍ୱେ ସାଣ୍ଟନର ପରବର୍ତ୍ତୀ ଓଭରରେ ଫିଲିପ୍ସଙ୍କ ବଦଳରେ ଦ୍ରୁତ ବୋଲରଙ୍କୁ ଆଣିଥିଲେ। ବାସ୍‌ ଏହି ଠାରୁ ଭାରତର ଓପନର ଅଭିଷେକ ଶର୍ମା ସେମାନଙ୍କୁ ନିର୍ଘାତ ପ୍ରହାର କରିଥିଲେ। 

ପୂରା ବିଶ୍ୱକପରେ ଅଭିଷେକ ଶର୍ମା ବ୍ୟାଟ ଚୁପ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲରଙ୍କୁ ସେ ବଡ଼ ଶଟ ଖେଳିଥିଲେ। ଏଥିସହ ୧୮ ବଲରେ ୫୦ ରନ ହାସଲ କରିଥିଲେ। କିନ୍ତୁ ୨୧ ବଲରେ ସେ ୫୨ ରନ କରିଥିବା ବେଳେ ବାମହାତୀ ପାର୍ଟ ଟାଇମ ସ୍ପିନର ରଚିନ ରବୀନ୍ଦ୍ରଙ୍କ ବଲରେ ଆଉଟ ହୋଇଥିଲେ। ସେତେବେଳକୁ ଭାରତର ସ୍ଥିତି ପୂରା ମଜବୁତ ହୋଇ ସାରିଥିଲା। 

ନ୍ୟୁଜିଲ୍ୟାଣ୍ଡ କରିଥିବା ତ୍ରୁଟିରୁ ଭାରତ ବଡ଼ ଫାଇଦା ଉଠାଇଥିଲା। ଭାରତୀୟ ଟିମ ୭.୨ ଓଭରରେ ୧୦୦ ରନ ପୂରଣ କରିଥିଲା। ଏହା ଟି-୨୦ ବିଶ୍ୱକପର କୌଣସି ନକଆଉଟ ମ୍ୟାଚ୍‌ରେ ପ୍ରଥମ ଘଟଣା।

ଶେଷରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୨୫୫ ରନ କରି ନେଇଥିଲା। ଏହାକୁ ଚେଜ କରିବା ନ୍ୟୁଜିଲ୍ୟାଣ୍ଡ ପକ୍ଷରେ ସମ୍ଭବ ହୋଇ ନଥିଲେ। ଦଳ ୧୫୯ ରନରେ ଅଲଆଉଟ ହୋଇ ଯିବାରୁ ଭାରତ ୯୬ ରନରେ ଫାଇନାଲ ଜିତି ନେଇଛି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe