/odisha-reporter/media/post_attachments/uploadimage/library/16_9/16_9_0/NZ_1729168721.jpg)
NZ
ଘରୋଇ ମାଟିରେ ରାଜ କରୁଥିବା ଭାରତୀୟ ଟିମକୁ ଘାଣ୍ଟିଛି ନ୍ୟୁଜିଲ୍ୟାଣ୍ଡ। ବେଙ୍ଗାଲୁରୁର ଏମ ଚିନାସ୍ୱାମୀରେ ନ୍ୟୁଜିଲ୍ୟାଣ୍ଡ ଦେଖାଇଛି ଦବଦବା। ଭାରତ ଘରୋଇ ପରିବେଶରେ ହୋଇଛି ଘାଇଲା।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ମାତ୍ର ୪୬ ରନ କରି ଅଲଆଉଟ ହୋଇଛି। ଏହା ଘରୋଇ ମାଟିରେ ଭାରତର ସର୍ବନିମ୍ନ ଟେଷ୍ଟ ସ୍କୋର। ବ୍ୟାଟିଂରେ ଫ୍ଲପ ହେବା ପରେ ବୋଲିଂରେ ମଧ୍ୟ ଭାରତୀୟ ଟିମ ସମସ୍ତଙ୍କୁ ନିରାଶ କରିଛି।
ନ୍ୟୁଜିଲ୍ୟାଣ୍ଡର ୩ ପେସ ବୋଲର ଭାରତର ୧୦ ୱିକେଟ ଦଖଲ କରିଥିଲେ। ଦଳ ୪୬ ଓଭର ହିଁ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲା। ହେଲେ ଭାରତର ଦୁଇ ଷ୍ଟାର ଦ୍ରୁତ ବୋଲରଙ୍କ ସମେତ ୩ ସ୍ପିନର ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରି ନାହାନ୍ତି।
ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ଆଜି ୫୦ ଓଭର ବ୍ୟାଟିଂ କରିବା ସହ ୩ ୱିକେଟ ହରାଇ ୧୮୦ ରନ କରି ନେଇଛି। ଏଥିସହ ପ୍ରଥମ ଇନିଂସରେ ୧୩୪ ରନର ଲିଡ ମଧ୍ୟ ହାସଲ କରିଛି।
ଖରାପ ଆଲୁଅ ପାଇଁ ଦ୍ୱିତୀୟ ଦିନର ଖେଳ ବନ୍ଦ ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ ୩୯ ବଲରେ ୧୪ ଓ ରଚିନ ରବୀନ୍ଦ୍ର ୩୪ ବଲରେ ୨୨ ରନ କରି ଅପରାଜିତ ରହିଥିଲେ। ଆସନ୍ତାକାଲି ପୁଣି ଏମାନେ ଏହି ସ୍କୋରରୁ ବ୍ୟାଟିଂ କରିବେ। ଭାରତ ଆଜି ୫୦ ଓଭର ବୋଲିଂ କରିଥିବା ବେଳେ କେବଳ ୩ ଜଣ ବ୍ୟାଟରଙ୍କୁ ଆଉଟ କରିବାକୁ ସକ୍ଷମ ହୋଇଛନ୍ତି। ଡେଭନ କନୱେ ମଧ୍ୟ ଏହା ମଧ୍ୟରେ ୯୧ ରନର ଜବରଦସ୍ତ ଇନିଂସ ଖେଳିଛନ୍ତି।
ବର୍ଷା ଯୋଗୁ ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଦିନ ବାତିଲ ହୋଇଥିଲା। ଆଜି ଦ୍ୱିତୀୟ ଦିନରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ମ୍ୟାଟ ହେନରୀ ଓ ୱିଲିୟମ ଓ’ରୁରକି ଭାରତୀୟ ବ୍ୟାଟରଙ୍କୁ ଘାଇଲା କରିଥିଲେ। ହେନରୀ ୧୫ ରନରେ ୫ ୱିକେଟ ନେଇଥିବା ବେଳେ ଓ‘ରୁରକି ୨୨ ରନରେ ୪ ୱିକେଟ ନେଇ ବିପର୍ଯ୍ୟୟ ଘଟାଇଥିଲେ।
ଟିମ ସାଉଦିଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। ୬ ଜଣ ଭାରତୀୟ ବ୍ୟାଟର ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବା ବେଳେ ଦୁଇ ଜଣ ବ୍ୟାଟର କେବଳ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ଦଳ ପାଇଁ ସବୁଠାରୁ ଅଧିକ ରନ ଋଷଭ ପନ୍ତ(୨୦) କରିଛନ୍ତି।
ଦ୍ୱିତୀୟ ଦିନର ଲଞ୍ଚ ସୁଦ୍ଧା ଭାରତ ମାତ୍ର ୩୪ ରନ କରିଥିବା ବେଳେ ୬ ଜଣ ବ୍ୟାଟର ପ୍ୟାଭିଲିୟନ ଫେରି ସାରିଥିଲେ। ରୋହିତ(୨), ବିରାଟ କୋହଲି(୦), ସର୍ଫରାଜ ଖାନ(୦), କେଏଲ ରାହୁଲ(୦), ଯଶସ୍ୱୀ ଜୈସୱାଲ(୧୩) ଓ ରବୀନ୍ଦ୍ର ଜାଡେଜା(୦) ଆଉଟ ହୋଇଥିଲେ। ଲଞ୍ଚ ପରେ ରବିଚନ୍ଦ୍ରନ ଅଶ୍ୱିନ(୦), ଋଷଭ ପନ୍ତ(୨୦), ଯଶପ୍ରୀତ ବୁମ୍ରା(୧) ଓ ଶେଷ ବ୍ୟାଟର ଭାବେ କୁଲଦୀପ ଯାଦବ(୨) ଆଉଟ ହୋଇଥିଲେ।
ଭାରତୀୟ ଟିମ ୪୬ ରନରେ ଅଲଆଉଟ ହେବା ପରେ ନ୍ୟୁଜିଲ୍ୟାଣ୍ଡ ଇନିଂସ ଆରମ୍ଭ କରିଥିଲା। ଆରମ୍ଭରୁ କନୱେ ଓ ଟମ ଲାଥମ ଭାରତୀୟ ବୋଲରଙ୍କୁ କୌଣସି ପ୍ରକାରର ବିପର୍ଯ୍ୟୟ ଘଟାଇବାକୁ ଦେଇନଥିଲେ। କନୱେ କାଉଣ୍ଟର ଆଟାକ କରି ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ଟେଷ୍ଟ କ୍ୟାରିୟରର ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। ଲାଥମ ଓ କନୱେ ପ୍ରଥମ ୱିକେଟ ପାଇଁ ୬୭ ରନ ଯୋଡ଼ି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ତେବେ ଏତିକି ବେଳେ ଲାଥମ ୧୫ ରନ କୁଲଦୀପଙ୍କ ବଲରେ ଆଉଟ ହୋଇଥିଲେ।
ଏହାପରେ ୱିଲ ୟଙ୍ଗ ଓ କନୱେ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଆଉ ୭୫ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୪୨ ଥିବା ବେଳେ ୟଙ୍ଗ ୩୩ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏସବୁ ଭିତରେ ଶତକ ଆଡ଼କୁ ଦ୍ରୁତଗିତିରେ ମାଡ଼ି ଚାଲିଥିଲେ କନୱେ। କିନ୍ତୁ ସେ ୯୧ ରନ କରିଥିବା ବେଳେ ଘଟିଥିଲା ବିପର୍ଯ୍ୟୟ। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ରିଭର୍ସ ମାରିବାକୁ ଯାଇ ସେ କ୍ଲିନବୋଲ୍ଡ ହୋଇ ଯାଇଥିଲେ।
ଲାଗୁଥିଲା ଭାରତ ଆଉ କିଛି ବିପର୍ଯ୍ୟୟ ଘଟାଇବ। କିନ୍ତୁ ମିଚେଲ ଓ ରଚିନ କୌଣସି କ୍ଷତି ଘଟାଇ ନଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ନିଷ୍ପ୍ରଭ କରି ନ୍ୟୁଜିଲ୍ୟାଣ୍ଡର ସ୍କୋରକୁ ୧୮୦ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ଖରାପ ଆଲୁଅ ଯୋଗୁ ଦିବସର ଖେଳକୁ ଦୁଇ ଅମ୍ପାୟାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
