Advertisment

T20 World Cup ଫାଇନାଲ: ଟସ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ସୂର୍ଯ୍ୟ କୁମାର ଯାଦବ କେବଳ ୩ ଥର ହିଁ ଟସ୍‌ ଜିତିଛନ୍ତି। କିନ୍ତୁ ଏଯାଏ ୮ଟି ମ୍ୟାଚ୍‌ରୁ ଭାରତ ସପକ୍ଷରେ ୭ଟି ମ୍ୟାଚ୍‌ର ରେଜଲ୍ଟ ଯାଇଛି। ଏବେ ଫାଇନାଲ ରେଜଲ୍ଟ ଉପରେ ସମସ୍ତଙ୍କ ନଜର ରହିଛି।

author-image
Hemant Lenka
Toss

ଟସ ବେଳର ଦୃଶ୍ୟ

ଟି-୨୦ ବିଶ୍ୱକପ ଫାଇନାଲରେ ବି ଟସ୍‌ ହାରିଛି ଭାରତ। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରିବ। 

Advertisment

ଫାଇନାଲ ଭଳି ହାଇ ପ୍ରେସର ମ୍ୟାଚ୍‌ରେ ଭାରତ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲା। କାକର ମଧ୍ୟ ଆସିପାରେ। ତେଣୁ ଭାରତ ପ୍ରଥମେ ବୋଲିଂ କରିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ସୂର୍ଯ୍ୟ କୁମାର ଯାଦବ ଟସ୍‌ ହାରି ଯାଇଛନ୍ତି।

 ଚଳିତ ବିଶ୍ୱକପରେ ଭାରତ ଫାଇନାଲକୁ ମିଶାଇ ୯ ନମ୍ବର ମ୍ୟାଚ୍‌ ଖେଳିବାକୁ ଯାଉଛି। ସୂର୍ଯ୍ୟ କୁମାର ଯାଦବ କେବଳ ୩ ଥର ହିଁ ଟସ୍‌ ଜିତିଛନ୍ତି। କିନ୍ତୁ ଏଯାଏ ୮ଟି ମ୍ୟାଚ୍‌ରୁ ଭାରତ ସପକ୍ଷରେ ୭ଟି ମ୍ୟାଚ୍‌ର ରେଜଲ୍ଟ ଯାଇଛି। ଏବେ ଫାଇନାଲ ରେଜଲ୍ଟ ଉପରେ ସମସ୍ତଙ୍କ ନଜର ରହିଛି।  

Advertisment

ଇଂଲଣ୍ଡ ବିପକ୍ଷ ସେମିରେ ମଧ୍ୟ ଭାରତ ଟସ୍‌ ହାରିଥିଲା। ହେଲେ ଦଳ ୭ ରନରେ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଥିଲା। ଭାରତ ବିଶ୍ୱର ପ୍ରଥମ ଦଳ ଭାବେ ୪ର୍ଥ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଥର ପାଇଁ ଟ୍ରଫି ପାଇଁ ଟକ୍କର କରୁଛି।

୨୦୨୧ରେ ଦଳ ଫାଇନାଲକୁ ଯାଇଥିବା ବେଳେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏବେ ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦଳ ଭାରତ ସହ ଟ୍ରଫି ପାଇଁ ଟକ୍କର କରିବ। ନ୍ୟୁଜିଲ୍ୟାଣ୍ଡ କେବେ ହେଲେ ବି ଟି-୨୦ ବିଶ୍ୱକପରେ ଭାରତ ଠାରୁ ହାରି ନାହିଁ। ଏଯାଏ ୨ ଦଳ ୩ଥର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିବା ବେଳେ ସବୁଥର ନ୍ୟୁଜିଲ୍ୟାଣ୍ଡ ବାଜି ମାରିଛି। 

ଏଯାଏ କୌଣସି ଦଳ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତ ୨୦୦୭ ଓ ୨୦୨୪ରେ ଟି-୨୦ ବିଶ୍ୱକପ ଜିତିଥିଲା। ସେହିପରି କୌଣସି ଟିମ ଘରୋଇ ମାଟିରେ ଟ୍ରଫି ଜିତିବାର ଗୌରବ ହାସଲ କରିନାହାନ୍ତି। ଭାରତ ପାଖରେ ପ୍ରଥମଥର ଘରୋଇ ମାଟିରେ ଟ୍ରଫି ଜିତିବାର ସୁଯୋଗ ରହିଛି।

ଏଯାଏ କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନାହିଁ। ଭାରତ ୨୦୨୪ରେ ଟ୍ରଫି ଜିତିଥିବା ବେଳେ ଏବେ ୨୦୨୬ ଫାଇନାଲ ଖେଳୁଛି।

ଆଜିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କୋଲି ମ୍ୟାକୋଞ୍ଚିଙ୍କ ବଦଳରେ ଦ୍ରୁତ ବୋଲର ଜ୍ୟାବକ ଡଫୀଙ୍କୁ ଫାଇନାଲରେ ସୁଯୋଗ ମିଳିଛି। ନ୍ୟୁଜିଲ୍ୟାଣ୍ଡ ସେମିରେ ଏକତରଫା ଭାବେ ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।

ଭାରତ ୭ ରନରେ ଇଂଲଣ୍ଡ ଠାରୁ ସେମି ଜିତିଥିଲେ ହେଁ ଅଭିଷେକ ଶର୍ମା ଓ ବରୁଣ ଚକ୍ରବର୍ତ୍ତୀଙ୍କ ଫର୍ମକୁ ନେଇ ସାମାନ୍ୟ ଚିନ୍ତାରେ ରହିଛି। ତଥାପି ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ।