Advertisment

ଚାମ୍ପିୟନ୍ସ ଟ୍ରଫି ଫାଇନାଲ: ଦୁବାଇ ପିଚ୍‌ରୁ ଅଧିକ ଫାଇଦା ଉଠାଇବ ନ୍ୟୁଜିଲ୍ୟାଣ୍ଡ?

ଭାରତକୁ ସମସ୍ତ ପ୍ରକାରର ଫାଇଦା ମିଳିବ ବୋଲି ଚାଲିଥିବା ଚର୍ଚ୍ଚା ଓ ଆଲୋଚନା ଭିତରେ ନ୍ୟୁଜିଲ୍ୟାଣ୍ଡ ସୁପର ସଣ୍ଡେରେ ସମସ୍ତଙ୍କୁ ଜଳକା କରିବା ଲକ୍ଷ୍ୟରେ ରହିଛି।

Newzeland

Newzeland

Advertisment

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବା ଦିନ ଠାରୁ ଭାରତ ସମସ୍ତଙ୍କ ଫୋକସରେ ରହିଛି। ଏହାର କାରଣ ହେଲା ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେଇଥିବା ୮ ଦଳ ମଧ୍ୟରୁ ଭାରତ ଏକମାତ୍ର ଟିମ ଯିଏ ତା’ର ସମସ୍ତ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଧିମା ପିଚ୍‌ରେ ଭାରତ କେମିତି ତା’ର ସ୍ପିନ ବଳକୁ ବ୍ୟବହାର କରି ଫାଇଦା ହାସଲ କରିଛି, ତାହା ହିଁ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ରବିବାର ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସେହି ଦୁବାଇ ପିଚରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିବେ। ଫାଇନାଲରେ ଭାରତ ମ୍ୟାଚ୍‌ ଜିତିବାର ସମ୍ଭାବନା ଅଧିକ। କାରଣ ଦୁବାଇରେ ଭାରତ କ୍ରମାଗତ ୪ଟି ମ୍ୟାଚ୍‌ ଖେଳି ୪ଟି ଯାକ ଜିତିଛି। ଦୁବାଇର କେଉଁ ପିଚ୍‌ କେମିତି ବ୍ୟବହାର କରୁଛି, ସେକଥା ମଧ୍ୟ ଭାରତ ଭଲ ଭାବେ ବୁଝି ସାରିଥିବା କୁହାଯାଉଛି। ଭାରତକୁ ସମସ୍ତ ପ୍ରକାରର ଫାଇଦା ମିଳିବ ବୋଲି ଚାଲିଥିବା ଚର୍ଚ୍ଚା ଓ ଆଲୋଚନା ଭିତରେ ନ୍ୟୁଜିଲ୍ୟାଣ୍ଡ ସୁପର ସଣ୍ଡେରେ ସମସ୍ତଙ୍କୁ ଜଳକା କରିବା ଲକ୍ଷ୍ୟରେ ରହିଛି। ଏହାର ସମ୍ଭାବନା ହୁଏତ କ୍ଷଣ। କିନ୍ତୁ ଅସମ୍ଭବ ନୁହେଁ। ନ୍ୟୁଜିଲ୍ୟାଣ୍ଡ ସମସ୍ତଙ୍କୁ ଚକିତ କରିବା କଳାରେ ବି ବେଶ ମାହିର। ରବିବାର ନ୍ୟୁଜିଲ୍ୟାଣ୍ଡ ସବୁ ଆକଳନ ଓ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଭାରତ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଏକମାତ୍ର ଟିମ ଯିଏ ଚାମ୍ପିୟନ୍ସ ଟ୍ରଫିରେ ଦ୍ୱିତୀୟ ଥର ପାଇଁ ଦୁବାଇରେ ମ୍ୟାଚ୍‌ ଖେଳିବାକୁ ଯାଉଛି। ଲିଗ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ ଦୁବାଇରେ ଗୋଟିଏ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା। ବାଂଲାଦେଶ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ଦୁବାଇରେ ଖେଳିଥିଲେ ହେଁ ପରିବେଶ ଓ ସ୍ଥିତିର ଫାଇଦା ହାସଲ କରିବାରେ ବିଫଳ ହୋଇଛନ୍ତି। ଦୁବାଇ ପିଚ୍‌ ଚାମ୍ପିୟନ୍ସ ଟ୍ରଫିର ଅନ୍ୟ ମ୍ୟାଚ୍‌ ଗୁଡ଼ିକ ଖେଳା ଯାଇଥିବା କରାଚି, ରାୱଲପିଣ୍ଡି ଓ ଲାହୋର ପିଚ ଠାରୁ ସଂପୂର୍ଣ୍ଣ ଭିନ୍ନ।

Advertisment

ପାକିସ୍ତାନରେ ବିଭିନ୍ନ ଦଳ ବେଶ ସହଜରେ ୩୦୦ରୁ ଅଧିକ ରନ କରୁଥିବା ବେଳେ ଦୁବାଇରେ ୨୫୦ ମଧ୍ୟ ଚ୍ୟାଲେଞ୍ଜିଂ ସ୍କୋର ଭାବେ ଉଭା ହେଉଛି। ବ୍ଲାକକ୍ୟାପ ଯେହେତୁ ଦୁବାଇରେ ପୂର୍ବରୁ ମ୍ୟାଚ୍‌ ଖେଳି ସାରିଛି, ତେଣୁ ଫାଇନାଲରେ ପିଚ୍‌ କେମିତି ବ୍ୟବହାର କରିବ ସେବାବଦରେ ଖେଳାଳି ଓ ଟିମ ମ୍ୟାନେଜମେଣ୍ଟ ଭଲ ଭାବେ ଅବଗତ ହୋଇ ସାରିଥିବେ। ଭାରତ ତା’ର ସ୍ପିନ ଆଟାକ ଓ ବ୍ୟାଟିଂ ବଳରେ ମ୍ୟାଚ୍‌ ଜିତି ଚାଲିଛି। ନ୍ୟୁଜିଲ୍ୟାଣ୍ଡ ଏଠାରେ ପୂର୍ବରୁ ଖେଳିଥିବାରୁ ଭାରତର ସ୍ପିନରମାନଙ୍କୁ କେମିତି କାଉଣ୍ଟର କରିବାକୁ ହେବ, ସେକଳା ମଧ୍ୟ କିଛି ମାତ୍ରାରେ କ୍ୱିୱି ଟିମ ବୁଝି ସାରିଛି। 

ନ୍ୟୁଜିଲ୍ୟାଣ୍ଡ ପାଖରେ ସମ୍ବଳର ଅଭାବ ନାହିଁ

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବେଶ ଚତ୍ମକାର ଢଙ୍ଗରେ ଉଭୟ ସ୍ପିନ ଓ ପେସ ବୋଲରଙ୍କୁ ନେଇ ନିଜର ବୋଲିଂ ଆଟାକରେ ସନ୍ତୁଳ ସୃଷ୍ଟି କରିପାରିଛି। ମ୍ୟାଟ ହେନରୀ ଓ ୱିଲିୟମ ଋରକି କ୍ୱିୱି ଟିମର ପେସ ବ୍ୟାଟେରୀକୁ ସଶକ୍ତ କରିଛନ୍ତି। ଏମାନଙ୍କ ବ୍ୟତୀତ କାୟେଲ ଜାମିସନ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ହେନରୀ ହେଉଛନ୍ତି ଚାମ୍ପିୟନ୍ସ ଟ୍ରଫିର ସର୍ବାଧିକ ୱିକେଟ ଦଲଖକାରୀ ଖେଳାଳି। ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲକୁ ନେବା ପଛରେ ହେନରୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଦୁବାଇ ପିଚ୍‌ ସାଧାରଣତଃ ସ୍ପିନ ବୋଲିଂକୁ ସୁହାଇ ଚାଲିଛି। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡର ସ୍ପିନ ଡଙ୍ଗାରେ ମିଚେଲ ସାଣ୍ଟନର ଓ ମାଇକେଲ ବ୍ରେସୱେଲ ଭଳି ସ୍ପେଶାଲିଷ୍ଟ ସ୍ପିନର ରହିଛନ୍ତି। ଏହି ଦୁଇ ବୋଲର ବିଶ୍ୱର ଯେକୌଣସି ବ୍ୟାଟରଙ୍କୁ ଘାଇଲା କରିବାକୁ ସମ୍ଭବ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବ୍ରେସୱେଲ ଗୋଟିଏ ଥରରେ ନିଜର ୧୦ ଓଭର ସ୍ପେଲ ଶେଷ କରିବା ସହ ୪ ୱିକେଟ ନେଇ ପ୍ରତିପକ୍ଷ ଦଳର ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରି ଦେଇଥିଲେ।

ଗ୍ଲେନ ଫିଲିପ୍ସ କ୍ରମାଗତ ପ୍ରମାଣିତ କରି ଚାଲିଛନ୍ତି ଯେ ସେ ପାର୍ଟ ଟାଇମ ସ୍ପିନର ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ୨୦୨୩ ଭାରତରେ ଖେଳା ଯାଉଥିବା ଦିନିକିଆ ବିଶ୍ୱକପ ଠାରୁ ଫିଲିପ୍ସ ନିୟମିତ ବୋଲିଂ କରୁଛନ୍ତି। ୫୩ଟି ୱିକେଟ ନେଇ ସେ ମଧ୍ୟ ଜଣେ ଭରସାଯୋଗ୍ୟ ବୋଲର ବୋଲି ନିଜକୁ ପ୍ରମାଣିତ କରିପାରିଛନ୍ତି। ରଚିନ ରବୀନ୍ଦ୍ର ମଧ୍ୟ ଡାହାଣହାତୀ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ। ମୋଟାମୋଟି କହିବାକୁ ଗଲେ ନ୍ୟୁଜିଲ୍ୟାଣ୍ଡ ସ୍ପିନ ବୋଲିଂ ଆଟାକ ଭଲ ସ୍ତରରେ ରହିଛି।

ଭାରତ ପାଇଁ ସହଜ ହେବନି

ଚାମ୍ପିୟନ୍ସ ଟ୍ରଫିର ଲିଗ ପର୍ଯ୍ୟାୟରେ ଭାରତ ବେଶ ସହଜରରେ କ୍ୱିୱି ଟିମକୁ ୪୪ ରନରେ ହରାଇ ଦେଇଥିଲା। କିନ୍ତୁ ଫାଇନାଲରେ ଭାରତ ପାଇଁ ସ୍ଥିତି ସେତେଟା ସହଜ ହେବନାହିଁ। ଫାଇନାଲ ମ୍ୟାଚ୍‌ ପାଇଁ ସାଣ୍ଟନରଙ୍କ ଟିମ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ କରି ନିଶ୍ଚିତ ପଡ଼ିଆକୁ ଓହ୍ଲାଇବ। ଦୁବାଇରେ ଯେହେତୁ ଲିଗ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ଖେଳିଛି ଓ ସ୍ପିନ ବୋଲର କେମିତି ଏଠାରୁ ଫାଇଦା ଉଠାଉଛନ୍ତି ସେକଥା ଭଲ ଭାବେ ବୁଝି ସାରିଛି।

ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେଇଥିବା ଅନ୍ୟ ଦଳଗୁଡ଼ିକ ତୁଳନାରେ ନ୍ୟୁଜିଲ୍ୟାଣ୍ଡ ପାଖରେ ଦକ୍ଷ ସ୍ପିନ ବୋଲର ରହିଛନ୍ତି। ସେମାନଙ୍କ ପାଖରେ ପ୍ରତିପକ୍ଷଙ୍କୁ ଅଡ଼ୁଆରେ ପକାଇବା ପାଇଁ ଏକାଧିକ ସ୍ପିନ ବିକଳ୍ପ ରହିଛି। କେବଳ ବୋଲିଂ ନୁହେଁ, ବ୍ୟାଟିଂରେ ମଧ୍ୟ କ୍ୱିୱି ଟିମ ପାଖରେ ଗଭୀରତା ରହିଛି। ରଚିନ ରବୀନ୍ଦ୍ର ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଦୁଇଟି ଶତକ ହାସଲ କରିଛନ୍ତି। ଅଭିଜ୍ଞ କେନ ୱିଲିୟମସନ ଭାରତ ବିପକ୍ଷରେ ୮୧ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିଲେ। ଟମ ଲାଥମ, ଡାରେଲ ମିଚେଲ ଓ ଗ୍ଲେନ ଫିଲିପ୍ସ ମଧ୍ୟକ୍ରମରେ ମ୍ୟାଚ୍‌ର ମୋଡ଼ ବଦଳାଇବାକୁ ସକ୍ଷମ। 

ସେହିପରି ବୋଲିଂ କଥା ଦେଖିଲେ, ସାଣ୍ଟନର କ୍ରମାଗତ ଭଲ ବୋଲିଂ କରି ଚାଲିଛନ୍ତି। ତାଙ୍କ ବ୍ୟତୀତ ବ୍ରେସୱେଲ, ଫିଲିପ୍ସ ଓ ରବୀନ୍ଦ୍ର ମଧ୍ୟ ରହିଛନ୍ତି। ଏଭଳି ଏକାଧିକ ବୋଲିଂ ବିକଳ୍ପ ଭାରତକୁ ଛାଡ଼ି ଦେଲେ ଆଉ କାହା ପାଖରେ ନଥିବା ପୂର୍ବତନ କ୍ରିକେଟର ୱାସିମ ଜାଫର ମତ ରଖିଛନ୍ତି।

ବରୁଣଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି କରିବ ନ୍ୟୁଜିଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ କଥା ଦେଖିଲେ ସେମାନଙ୍କ ଆଗରେ ବରୁଣ ଚକ୍ରବର୍ତ୍ତୀଙ୍କ ବିପଦ ରହିବ। ଚାମ୍ପିୟନ୍ସ ଟ୍ରଫିରେ ବରୁଣ ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ହିଁ ଡେବ୍ୟୁ କରିଥିଲେ। ନିଜର ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ସେ କାହାକୁ ନିରାଶ କରି ନଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୧୦ ଓଭରରେ ୪୨ ରନ ଦେଇ ୫ ୱିକେଟ ଦଖଲ କରିଥିଲେ। ସେମି ଫାଇନାଲରେ ମଧ୍ୟ ସେ ଅଷ୍ଟ୍ରେଲୀୟ ବ୍ୟାଟରଙ୍କୁ ଅଡ଼ୁଆରେ ପକାଇଥିଲେ।

ନିଃସନ୍ଦେହରେ କୁହାଯାଇ ପାରେ ଯେ ବରୁଣ ନ୍ୟୁଜିଲ୍ୟାଣ୍ଡ ପାଇଁ ବିପଦ। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ତାଙ୍କ ସ୍ପିନ ଯାଦକୁ କାଉଣ୍ଟର କରିବା ପାଇଁ ନିଶ୍ଚିତ ଭାବେ ସ୍ୱତନ୍ତ୍ର ରଣନୀତି କରିବ। ତାଙ୍କ ଲାଇନ ଲେନ୍ଥକୁ ବିଗାଡ଼ିବା ପାଇଁ ଦଳ ଆରମ୍ଭରୁ ଚେଷ୍ଟା କରିବ। କାରଣ ପୂର୍ବରୁ ଦଳ ବରୁଣଙ୍କୁ ଖେଳି ସାରିଛି। ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କୋଚ ଗ୍ୟାରୀ ଷ୍ଟେଡ କହିଛନ୍ତି, “ଆମ ବିପକ୍ଷରେ ୪୨ ରନ ଦେଇ ୫ ୱିକେଟ ନେଇଥିବା ବରୁଣ ନିଶ୍ଚିତ ଭାବେ ଶେଷ ମ୍ୟାଚ୍‌ରେ ନଜର ଆସିବେ ବୋଲି ଆମେ ଜାଣିଛୁ। ସେ ଜଣେ କ୍ଲାସ ବୋଲର। ଗତ ମ୍ୟାଚ୍‌ରେ ସେ ଆମ ବିପକ୍ଷରେ ନିଜର ଦକ୍ଷତା ଦେଖାଇଛନ୍ତି। ସେ ମ୍ୟାଚ୍‌ରେ ଆମ ପାଇଁ ବଡ଼ ବିପଦ। ତେଣୁ ଆମେ ତାଙ୍କୁ କେମିତି କାଉଣ୍ଟର କରିବୁ, ସେକଥା ନିଶ୍ଚିତ ଭାବେ ଚିନ୍ତା କରୁଛୁ। ସେହି ଅନୁସାରେ ରଣନୀତି ମଧ୍ୟ କରିବୁ। ତାଙ୍କ ବିରୋଧରେ କେମିତି ରନ ଆଦାୟ କରାଯାଇ ପାରିବ, ତା’ହା ମଧ୍ୟ ଆମ ଫୋକସରେ ରହିଛି।”

ଭାରତ ଠାରୁ ଆଇସିସି ଫାଇନାଲରେ କେବେ ହାରିନି ନ୍ୟୁଜିଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡ ଓ ଭାରତ ପରସ୍ପରକୁ ତୃତୀୟ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭେଟିବାକୁ ଯାଉଛନ୍ତି। ସେହିପରି ଧଳା ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଏହା ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଲଢ଼େଇ ହେବ। ପୂର୍ବରୁ ଦୁଇ ଥର ପରସ୍ପରକୁ ଭେଟିବା ବେଳେ ନ୍ୟୁଜିଲ୍ୟାଣ୍ଡ ବାଜି ମାରିଥିଲେ। ଚାମ୍ପିୟନ୍ସ ଟ୍ରଫିରେ ଦୁଇ ଦଳ ୨୦୦୦ ମସିହାରେ ଶେଷ ଥର ପାଇଁ ପରସ୍ପର ସହ ଫାଇନାଲ ଖେଳିଥିଲେ। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ୪ ୱିକେଟରେ ବିଜୟୀ ହୋଇ ତା’ର ପ୍ରଥମ ଆଇସିସି ଟ୍ରଫି ଜିତିଥିଲା। ସେହିପରି ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ବ୍ଲାକକ୍ୟାପ ମ୍ୟାଚ୍‌ ଜିତି ପ୍ରଥମଥର ଖେଳା ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫି ଜିତି ପାରିଥିଲା।

ରବିବାର ଭାଗ୍ୟ ବଦଳାଇ ପାରିବ କି ନ୍ୟୁଜିଲ୍ୟାଣ୍ଡ?

ଗତ ସପ୍ତାହ ଅର୍ଥାତ ଗତ ରବିବାର ଦୁବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ପର୍ଯ୍ୟାୟରେ ପରସ୍ପରକୁ ଭେଟିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୪୯ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ କେବଳ ୨୦୫ ରନ କରି ପାରି ଥିଲା। ଭାରତ ପାଇଁ ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକାକୀ ୫ ୱିକେଟ ନେବାରୁ ନ୍ୟୁଜିଲ୍ୟାଣ୍ଡ ଦୁବାଇରେ ମାଟି କାମୁଡ଼ିଥିଲା। ବ୍ୟାଟିଂରେ ଶ୍ରେୟସ ଆୟର ୭୯ ରନର ଇନିଂସ ଖେଳିଥିଲେ।

ଏହି ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ସେମି ଫାଇନାଲ ଖେଳିଥିଲା। ଲାହୋରରେ ଖେଳା ଯାଉଥିବା ମ୍ୟାଚ୍‌ରେ ରଚିନ ରବୀନ୍ଦ୍ର ଓ କେନ ୱିଲିୟମସନଙ୍କ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ବିଶାଳ ୩୬୨ ରନ କରି ପାରିଥିଲା।

ଦକ୍ଷିଣ ଆଫ୍ରିକା ପାଇଁ ଡାଭିଡ ମିଲର ୬୨ ବଲରେ ଅପରାଜିତ ୧୦୦ ରନର ଇନିଂସ ଖେଳିଥିଲେ ହେଁ ଦଳ ୫୨ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ତେଣୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ରବିବାର ଫାଇନାଲରେ ଲଢ଼େଇ କରିବେ। ନ୍ୟୁଜିଲ୍ୟାଣ୍ଡ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ହାରିଥିବା ପରାଜୟର ପ୍ରତିଶୋଧ ସହ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ।

ଚାମ୍ପିୟନ୍ସ ଟ୍ରଫିର ଇତିହାସ

କ୍ରିକେଟ ଜଗତର ପ୍ରଥମ ବିଶ୍ୱକପ ୧୯୭୫ ମସିହାରେ ଖେଳା ଯାଇଥିଲା। ଏହାପରେ ପ୍ରତି ୪ ବର୍ଷରେ ଥରେ ବିଶ୍ୱକପ ଆୟୋଜନ କରାଯାଇଥିଲା। ବିଶ୍ୱକପରେ ଆଇସିସିର ପୂର୍ଣ୍ଣ ସଦସ୍ୟ ରହିଥିବା ଦେଶଗୁଡ଼ିକ ଭାଗ ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଆଇସିସି ୨ ବର୍ଷରେ ଥରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଲକ୍ଷ୍ୟ ଥିଲା ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ପାଇ ନଥିବା ଦେଶଗୁଡ଼ିକରେ କ୍ରିକେଟକୁ ଲୋକପ୍ରିୟ କରିବା ଓ ସେହି ଦେଶଗୁଡ଼କରେ କ୍ରିକେଟର ବିକାଶ ପାଇଁ ପାଣ୍ଠି ଯୋଗାଡ଼ କରିବା। ଏଥିପାଇଁ ବାଂଲାଦେଶ ଓ କେନିୟାରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା। ୧୯୯୮ ଓ ୨୦୦୦ ମସିହାରେ ଟୁର୍ଣ୍ଣାମେଣ୍ଟର ନାଁ ଆଇସିସି ନକଆଉଟ ଟ୍ରଫି ରହିଥିଲା।

୧୯୯୮ ଓ ୨୦୦୦ ମସିହାରେ ମିନି ବିଶ୍ୱକପ ଭାବେ ଆଇସିସି ନକଆଉଟ ଟ୍ରଫି ଖେଳା ଯାଉଥିଲା। ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ୨୦୦୦ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିଜେତା ହୋଇଥିଲା। ୨୦୦୨ ମସିହାରୁ ଏହାର ନାଁ ଚାମ୍ପିୟନ୍ସ ଟ୍ରଫି ହୋଇଥିଲା। ୨୦୦୨ ମସିହାରେ ଭାରତ ଓ ଶ୍ରୀଲଙ୍କା ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ହୋଇଥିଲେ। ୨୦୦୪ରେ ୱେଷ୍ଟଇଣ୍ଡିଜ, ୨୦୦୬ରେ ଅଷ୍ଟ୍ରେଲିଆ, ୨୦୦୯ରେ ଅଷ୍ଟ୍ରେଲିଆ, ୨୦୧୩ରେ ଭାରତ ଓ ୨୦୧୭ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

ଚାମ୍ପିୟନ୍ସ ଟ୍ରଫିର ଫାଇନାଲକୁ ଭାରତ ଏକମାତ୍ର ଦେଶ ଯିଏ ସର୍ବାଧିକ ୫ଥର ଯାଇଛି। ଏଭଳି ଉପଲବ୍ଧି କୌଣସି ଦେଶ ହାସଲ କରି ନାହାନ୍ତି। ଭାରତ ପଛକୁ ଅଷ୍ଟ୍ରେଲିଆ ୨ଥର ଫାଇନାଲ ଖେଳିଛି ଓ ୨ଥର ଟ୍ରଫି କରାୟତ କରିଛି। ଭାରତ ୫ଥର ଫାଇନାଲକୁ ଯାଇଥିବା ବେଳେ ୨ଥର ଜିତିଛି। ୨ଥର ହାରିଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ରବିବାର ଖେଳାଯିବ। ଭାରତ ସାମ୍ନାରେ ଏବେ ନ୍ୟୁଜିଲ୍ୟାଣ୍ଡ ରହିଛି।

India Vs New Zealand Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe