ଐତିହାସିକ ମେଲବର୍ଣ୍ଣରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ରାଇଜିଂ ଷ୍ଟାର ନୀତୀଶ କୁମାର ରେଡ୍ଡୀ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ନୀତୀଶ କୁମାରଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଶତକ। ସେ ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ଚ୍ୟାଲେଞ୍ଜକୁ ବେଶ ଚମତ୍କାର ଢଙ୍ଗରେ ମୁକାବିଲା କରିଛି ଟିମ ଇଣ୍ଡିଆ।
ଅଷ୍ଟ୍ରେଲିଆ ବିପକ୍ଷରେ, ଐତିହାସିକ ମେଲବର୍ଣ୍ଣରେ ତା’ ପୁଣି ୮ ନଂରେ ବ୍ୟାଟିଂ କରି ନୀତୀଶ କୁମାର ପ୍ରଥମ ଶତକ ହାସଲ କରିବା ବେଶ ସ୍ୱତନ୍ତ୍ର। ଏହି ଶତକ ଟିମ ଇଣ୍ଡିଆ ଓ ବ୍ୟକ୍ତିଗତ ନୀତୀଶ କୁମାରଙ୍କ ପାଇଁ ଗୋଟିଏ ବଡ଼ ଉପଲବ୍ଧି। କାରଣ ଭାରତକୁ ଜରୁରୀ ଥିବା ବେଳେ ନୀତୀଶ କୁମାରଙ୍କ ବ୍ୟାଟରୁ ଶତକ ବାହାରିଛି।
ଭାରତ ୧୯୧ ରନରେ ୬ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ନୀତୀଶ କୁମାର ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆରମ୍ଭରୁ ଭଲ ବଲକୁ ସମ୍ମାନ ଦେବା ସହ ମୌକା ଦେଖି ଚୌକା ମଧ୍ୟ ମାରିଥିଲେ। ପ୍ରଥମେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ସେ ଦଳୀୟ ସ୍କୋରକୁ ୨୨୧ରେ ପହଞ୍ଚାଇଥିଲେ। ଏହାପରେ ୱାଶିଂଟନ ସୁନ୍ଦରଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ।
ସୁନ୍ଦର ମଧ୍ୟ ୫୦ ରନର ଇନିଂସ ଖେଳିଛନ୍ତି। ଆଜି ତୃତୀୟ ଦିବସ ବର୍ଷା ଯୋଗୁ ଆଗୁଆ ବନ୍ଦ ହେବା ବେଳକୁ ଭାରତ ୯ ୱିକେଟ ହରାଇ ୩୫୮ ରନ କରି ନେଇଛି। ନୀତୀଶ କୁମାର ୧୦୫ ରନ ଓ ମହମ୍ମଦ ସିରାଜ ୨ ରନ କରି ଅପରାଜିତ ରହିଛନ୍ତି। ଏବେ ଭାରତ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୧୬ ରନ ପଛରେ ରହିଛି।
ଦ୍ୱିତୀୟ ଖେଳ ଶେଷ ବେଳକୁ ଭାରତ ୫ ୱିକେଟ ହରାଇ ୧୬୪ ରନ କରିଥିଲା। ଆଜି ଆଉ କିଛି ରନ ଯୋଡ଼ିବା ପରେ ପ୍ରଥମ ବ୍ୟାଟର ଭାବେ ଋଷଭ ପନ୍ତ ୨୮ ରନ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଯାଇଥିଲେ। ଜାଡେଜା ମଧ୍ୟ କେବଳ ୧୭ ରନ କରିବାକୁ ସକ୍ଷମ ହୋଇଥିଲେ। ଫଲୋଅନ ଏଡ଼ାଇବାକୁ ଭାରତକୁ ୨୭୪ ରନ ଦରକାର ଥିବା ବେଳେ ଦଳ ୨୨୧ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଏତିକି ବେଳେ ନୀତୀଶ ଓ ସୁନ୍ଦରଙ୍କ ଯୋଡ଼ି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆ ବୋଲିଂ ଆଟାକକୁ ଉଭୟ ଦମଦାର ଢଙ୍ଗରେ ମୁକାବିଲା କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ପ୍ରଥମେ ନୀତୀଶ କୁମାର ଅର୍ଦ୍ଧଶତକ ହାସଲ କରି ନିଜ ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ ପୁଷ୍ପା ଷ୍ଟାଇଲରେ ନିଜ ମୁହଁ ପାଖକୁ ବ୍ୟାଟ ନେଇ ସେଲିବ୍ରେଟ କରିଥିଲେ।
ସୁନ୍ଦର ତାଙ୍କୁ ସାଥ ଦେବା ସହ ନିଜର ଅର୍ଦ୍ଧଶତକ ବି ପୂରଣ କରିଥିଲେ। ହେଲେ ସେ ୫୦ ରନ କରିଥିବା ବେଳେ ତାଙ୍କୁ ନାଥନ ଲାୟନ ଆଉଟ କରିଦେଇଥିଲେ। ଯଶପ୍ରୀତ ବୁମ୍ରା କେବଳ ୩ଟି ବଲର ସମ୍ମୁଖୀନ ହୋଇ ଖାତା ଖୋଲି ପାରି ନଥିଲେ। ୩୫୦ ରନରେ ଭାରତ ୯ମ ୱିକେଟ ହରାଇବା ବେଳେ ନୀତୀଶ ନିଜର ଶତକ ଠାରୁ ମାତ୍ର ଗୋଟିଏ ରନ ଦୂରରେ ରହିଥିଲେ।
ମହମ୍ମଦ ସିରାଜଙ୍କ ଉପରେ ସବୁ କିଛି ନିର୍ଭର କରୁଥିବା ବେଳେ ସେ ମଧ୍ୟ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସଙ୍କ ଚ୍ୟାଲେଞ୍ଜକୁ ମୁକାବିଲା କରିଥିଲେ। ପରବର୍ତ୍ତୀ ଓଭରରେ ନୀତୀଶ କୁମାର ବୋଲାଣ୍ଡଙ୍କୁ ଚୌକା ମାରି ନିଜ ଟେଷ୍ଟ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଶତକ ହାସଲ ପରେ ସେ ମେଲବର୍ଣ୍ଣ ଷ୍ଟାଡିୟମରେ ଆଣ୍ଠୁ ପକାଇ ବ୍ୟାଟର ହ୍ୟାଣ୍ଡେଲରେ ହେଲମେଟକୁ ରଖି ନିଆରା ଢଙ୍ଗରେ ସେଲିବ୍ରେଟ କରିଥିଲେ।
ନୀତୀଶ ଆଜି ୧୭୬ ବଲରେ ୧୦୫ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୦ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ତେବେ ଭାରତର ସ୍କୋର ୩୫୮/୯ ଥିବା ବେଳେ ହଠାତ୍ କଳା ବାଦଲ ଘୋଟି ଆସିଥିଲା। ତେଣୁ ଧାର୍ଯ୍ୟ ସମୟ ଆଗରୁ ଦୁଇ ଅମ୍ପାୟାର ତୃତୀୟ ଦିନର ଖେଳକୁ ଆଗୁଆ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।