ରାଣା ଓ ରାହୁଲ୍ ଦେଖାଇଲେ ଦମ୍, କେକେଆର୍ ୧୮୭/୬

ଚେନ୍ନାଇ: ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଛି। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ […]

Nitish-rana-and-rahul-tripathi

Nitish-rana-and-rahul-tripathi

Ranjit Kumar Jena
  • Published: Sunday, 11 April 2021
  • Updated: 11 April 2021, 09:20 PM IST

Sports

Latest News

ଚେନ୍ନାଇ: ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଛି। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ ରନ୍ କରି ଦଳକୁ ଏକ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ନୀତୀଶ ୫୬ ବଲର ସାମ୍ନା ୮୦ ରନ୍ କରିଛନ୍ତି, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଅଛି। ସେହିପରି ରାହୁଲ୍ ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେହିପରି କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଛନ୍ତି। କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଆନ୍ଦ୍ରେ ରସେଲଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇ ଆଫଗାନୀ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଦମଦାର ବୋଲିଂ କରି ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ଏବେ ହାଇଦ୍ରାବାଦକୁ ମ୍ୟାଚ୍ ଜିତିବା ପାଇଁ ୧୮୮ ରନ୍ କରିବାକୁ ପଡ଼ିବ।

ଏମ୍. ଚିଦାମ୍ବରଦ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆରକୁ ଭଲ ଆରମ୍ଭ ଦେଇଥିଲେ ନୀତୀଶ ରାଣା ଓ ଶୁବମନ୍ ଗିଲ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୩ ରନର ପାର୍ଟନରଶିପ୍ କରିଥିଲେ। ହେଲେ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଲେ ରଶିଦ୍ ଖାନ୍।

ଗିଲ୍ ବ୍ୟକ୍ତିଗତ ୧୫ ରନ୍ କରିଥିବା ବେଳେ ରଶିଦଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହି ସମୟରେ କେକେଆରକୁ ଆଉ ଏକ ଭାଗିଦାରୀର ଆବଶ୍ୟକ ହେଉଥିବା ବେଳେ ରାଣା ଓ ତ୍ରିପାଠୀ ଖେଳିଥିଲେ ଦମଦାର ଇନିଂସ୍। ପ୍ରଥମେ ରାଣା ୩୭ ବଲରେ ଏବଂ ପରେ ତ୍ରିପାଠୀ ମାତ୍ର ୨୭ ବଲରେ ଅର୍ଦ୍ଧଶତକ ମାରି କେକେଆରକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ି ଭାଙ୍ଗିବା ପରେ ଦଳର ୨୦୦ ସ୍କୋର ଆଶା ମଉଳି ଯାଇଥିଲା।

ଟିମର ସ୍କୋର ୧୫.୨ ଓଭରରେ ୧୪୬ ରନରେ ଥିବା ବେଳେ ତ୍ରିପାଠୀଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଟି. ନଟରାଜନ୍। ଆଉଟ୍ ହେବା ପୂର୍ବରୁ ତ୍ରିପାଠୀ ରାଣାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ ପାଇଁ ୯୩ ରନ ଯୋଡ଼ିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆନ୍ଦ୍ରେ ରସେଲ୍ (୫)ଙ୍କୁ ଆଉଟ୍ କରିଥିଲେ ରଶିଦ୍। ଏହା ପରେ ମହମ୍ମଦ ନବି ଲଗାତର ଦୁଇଟି ବଲରେ ନୀତୀଶ ରାଣା ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୨)ଙ୍କୁ ଆଉଟ୍ କରି କେକେଆରକୁ ବଡ଼ ସ୍କୋରରୁ ରୋକିଥିଲେ। ଶେଷ ଦୁଇ ଓଭରରେ କେକେଆର୍ ୨୫ ରନ୍ ସଂଗ୍ରହ କରି ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos