Advertisment

ଇଂଲଣ୍ଡ ସିରିଜରୁ ନୀତୀଶ କୁମାର ରେଡ୍ଡୀ ଆଉଟ, ଏହି ଖେଳାଳି ହେଲେ ସାମିଲ

ଗତବର୍ଷ ଅଷ୍ଟ୍ରେଲିଆରେ ଭାରତର ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ ରେଡ୍ଡୀ। ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ସେ ୨ଟି ମ୍ୟାଚ୍‌ ଖେଳିଥିଲେ।

author-image
Hemant Lenka
Reddy

Reddy

ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜରେ ଭାରତକୁ ଆଉ ଏକ ଝଟକା ଲାଗିଛି। ୫ ଟିକିଆ ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜରେ ଭାରତ ୧-୨ରେ ପଛରେ ରହିଛି। ଏବେ ଦଳକୁ ଆହତ ସମସ୍ୟା ଘାଇଲ କରିଛି। ଭାରତୀୟ ଟିମର ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଇଂଲଣ୍ଡ ବିପକ୍ଷ ବାକି ୨ଟି ଯାକ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ବାମ ଆଣ୍ଠୁରେ ଆହତ ସମସ୍ୟା ଯୋଗୁ ସେ ଆଉ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ନଜର ଆସିବେ ନାହିଁ। ଏବେ ୨୧ ବର୍ଷୀୟ ନୀତୀଶ କୁମାର ରେଡ୍ଡୀ ଭାରତ ଆସି ରିହ୍ୟାବରେ ରହିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

Advertisment

ଗତବର୍ଷ ଅଷ୍ଟ୍ରେଲିଆରେ ଭାରତର ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ ରେଡ୍ଡୀ। ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ସେ ୨ଟି ମ୍ୟାଚ୍‌ ଖେଳିଥିଲେ। ବର୍ମିଂହାମରେ ତାଙ୍କର ପ୍ରଭାବ ଆଦୌ ଦେଖିବାକୁ ମିଳି ନଥିଲା। କିନ୍ତୁ ଲର୍ଡସରେ ସେ ଇଂଲଣ୍ଡର ଦୁଇ ଓପନରଙ୍କ ୱିକେଟ ଗୋଟିଏ ଓଭରରେ ନେଇ କମାଲ କରିଥିଲେ। ପ୍ରଥମ ଇନିଂସରେ ଦୁଇଟି ୱିକେଟ ପାଇଥିବା ରେଡ୍ଡୀଙ୍କୁ ଦ୍ୱିତୀୟ ଇନିଂସରେ ଗୋଟିଏ ସଫଳତା ମିଳିଥିଲା। ବ୍ୟାଟିଂରେ ସେ ଯଥାକ୍ରମେ ୩୦ ଓ ୧୩ ରନ କରିଥିଲେ। ହେଲେ ଆହତ ସମସ୍ୟା ଯୋଗୁ ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି।

ତାଙ୍କ ପୂର୍ବରୁ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରୁ ଡେବ୍ୟୁ ପାଇଁ ଅପେକ୍ଷା କରିଥିବା ଅର୍ଶଦୀପ ସିଂହ ଆହତ କାରଣରୁ ବାଦ ପଡ଼ିଥିଲେ। ବେକେନହାମରେ ସେ ଅଭ୍ୟାସ କରୁଥିବା ବେଳେ ବାମହାତ ବୁଢ଼ା ଅଙ୍ଗୁଳିରେ ଗଭୀର ଆଘାତ ଲାଗିଥିଲା। ଏବେ ବିସିସିଆଇର ମେଡିକାଲ ଟିମ ଏହା ଉପରେ ନଜର ରଖିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Advertisment

୪ର୍ଥ ଟେଷ୍ଟ ପୂର୍ବରୁ ଡବଲ ଝଟକା ଯୋଗୁ ଚୟନକର୍ତ୍ତାମାନେ ଭାରତୀୟ ଟିମ ପାଇଁ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି। ହରିୟାଣାର ଦ୍ରୁତ ବୋଲର ଅଂଶୁଲ କମ୍ବୋଜିଙ୍କୁ ଭାରତୀୟ ଟେଷ୍ଟ ଟିମରେ ସାମିଲ କରାଯାଇଛି। ୪ର୍ଥ ଟେଷ୍ଟ ପୂର୍ବରୁ ସେ ଭାରତୀୟ ସ୍କ୍ୱାଡରେ ସାମିଲ ହୋଇ ସାରିଛନ୍ତି। ସେ ମାଞ୍ଚେଷ୍ଟରରେ ଭାରତ ପାଇଁ ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ନିକଟରେ ଭାରତୀୟ ଏ ଟିମ ପାଇଁ ଇଂଲଣ୍ଡରେ ଟେଷ୍ଟ ଖେଳୁଥିବା କମ୍ବୋଜି ଦମଦାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି।

Nitish Kumar Reddy Test Cricket Test Match