Advertisment

ଆଇପିଏଲ ଅକ୍ସନରେ ନାହିଁ ବେନ ଷ୍ଟୋକ୍ସଙ୍କ ନାଁ, ସର୍ଫରାଜଙ୍କ ବେସ୍‌ ପ୍ରାଇସ କେତେ?

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ପ୍ରଥମଥର ପାଇଁ ଆଇପିଏଲ ଅକ୍ସନରେ ନିଜକୁ ସାମିଲ କରିଛନ୍ତି।

author-image
Hemant Lenka
IPL

IPL

ଆସନ୍ତା ୨୦୨୫ ଆଇପିଏଲର ମେଗା ଅକ୍ସନ ପାଇଁ ବିସିସିଆଇ ତାରିଖ ଘୋଷଣା କରିଛି। ସାଉଦି ଆରବର ଜେଦ୍ଦାରେ ଆସନ୍ତା ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଧରି ୧୦ ପ୍ରାଞ୍ଚାଇଜ୍‌ ଖେଳାଳି କିଣିବେ।

Advertisment

ଅକ୍ସନ ପାଇଁ ମୋଟ ୧୫୭୪ ଜଣ ଖେଳାଳି ପଞ୍ଜିକରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୧୬୫ ଜଣ ଭାରତୀୟ ଓ ୪୦୯ ଜଣ ବିଦେଶୀ ଖେଳାଳି ରହିଛନ୍ତି। ସେହିପରି କ୍ୟାପଡ ଖେଳାଳିଙ୍କ ସଂଖ୍ୟା ୩୨୦, ଅନକ୍ୟାପଡ ଖେଳାଳିଙ୍କ ସଂଖ୍ୟା ୧୨୨୪ ଓ ଆସୋସିଏଟ ଦେଶର ଖେଳାଳିଙ୍କ ସଂଖ୍ୟା ୩୦ ରହିଛି।

ରିପୋର୍ଟ ଅନୁସାରେ, ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ନାଁ ଅକ୍ସନ ତାଲିକାରେ ନାହିଁ। ସେ ନିଜ ନାଁକୁ ପଞ୍ଜିକରଣ କରିନାହାନ୍ତି। ଏତେ ସଂଖ୍ୟକ ଖେଳାଳି ଅକ୍ସନ ପାଇଁ ପଞ୍ଜିକରଣ କରିଥିବାରୁ ଆୟୋଜକ ସଂସ୍ଥା ପ୍ରାଞ୍ଚାଇଜମାନଙ୍କ ସହ ଏସମ୍ପର୍କରେ ଆଲୋଚନା କରିବ। ଏହାପରେ ଚୂଡ଼ାନ୍ତ ଅକ୍ସନ ତାଲିକା ପ୍ରକାଶ କରାଯିବ।

Advertisment

ନିଜ ନିଜ ପ୍ରାଞ୍ଚାଇଜ ତରଫରୁ ରିଲିଜ ହୋଇଥିବା ୩ ପୂର୍ବତନ ଅଧିନାୟକ ଋଷଭ ପନ୍ତ, କେଏଲ ରାହୁଲ ଓ ଶ୍ରେୟସ ଆୟର ମଧ୍ୟ ଅକ୍ସନରେ ସାମିଲ ହେବେ। ସେମାନଙ୍କ ବେସ୍‌ ପ୍ରାଇସ ବା ମୂଳ ଦର ୨ କୋଟି ଟଙ୍କା ଲେଖାଏ ରହିଛି। ସେହିପରି ରାଜସ୍ଥାନ ରିଲିଜ କରି ଦେଇଥିବା ଦୁଇ ସ୍ପିନର ରବି ଅଶ୍ୱିନ ଓ ୟୁଜି ଚହଲ ମଧ୍ୟ ୨ କୋଟି ଟଙ୍କାର ବେସ୍‌ ପ୍ରାଇସ ବ୍ରାକେଟରେ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ପ୍ରଥମଥର ପାଇଁ ଆଇପିଏଲ ଅକ୍ସନରେ ନିଜକୁ ସାମିଲ କରିଛନ୍ତି। ତାଙ୍କ ବେସ୍‌ ପ୍ରାଇସ ୧.୨୫ କୋଟି ଟଙ୍କା ରହିଛି।

୨ କୋଟି ବେସ୍‌ ପ୍ରାଇସ ମଧ୍ୟରେ ଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଖଲୀଲ ଅହମଦ, ଦୀପକ ଚହର, ଭେଙ୍କଟେଶ ଆୟର, ଆବେଶ ଖାନ, ଈଶାନ କିଶନ, ମୁକେଶ କୁମାର, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଟି ନଟରାଜନ, ଦେବଦତ୍ତ ପାଡିକ୍କଲ, କୃନାଲ ପାଣ୍ଡ୍ୟା, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମି ଓ ଉମେଶ ଯାଦବ।

ପୃଥ୍ୱୀ ଶ ଓ ସର୍ଫରାଜ ଖାନଙ୍କ ଭଳି ଯୁବ ଖେଳାଳିଙ୍କ ବେସ ପ୍ରାଇସ ମାତ୍ର ୭୫ ଲକ୍ଷ ଟଙ୍କା ରହିଛି। ଏହାବାଦ ୨୦୨୪ରେ ରେକର୍ଡ ୨୪.୫୦ କୋଟି ଟଙ୍କାରେ କୋଲକାତା ପଟୁ ଖେଳୁଥିବା ମିଚେଲ ଷ୍ଟାର୍କଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ରହିଛି।

IPL Sarfaraz Khan IPL 2025