Advertisment

କାହିଁକି କୌଣସି ଭାରତୀୟଙ୍କୁ ICCର ଶ୍ରେଷ୍ଠ ଦିନିକିଆ ଦଳରେ ମିଳିଲାନି ସୁଯୋଗ?

ଭାରତୀୟ ଟିମ ୨୦୨୪ ବର୍ଷରେ ଗୋଟିଏ ହେଲେ ବି ଦିନିକିଆ ମ୍ୟାଚ୍‌ ଜିତି ପାରି ନାହିଁ।

ICC

ICC

Advertisment

ବିଦାୟ ନେଇଥିବା ୨୦୨୪ ବର୍ଷ ପାଇଁ ଆଇସିସି ଶ୍ରେଷ୍ଠ ଦିନିକିଆ ଦଳ ଗଠନ କରିଛି। ବର୍ଷ ତମାମ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଆଇସିସି ପକ୍ଷରୁ ଟିମ ଗଠନ କରାଯାଇଛି। ୨୦୨୪ରେ ଭାରତୀୟ ଟିମ ଆଇସିସି ଟି-୨୦ ବିଶ୍ୱକପ ଜିତିଥିଲା। ତଥାପି ଆଇସିସି ୨୦୨୪ ବର୍ଷ ପାଇଁ ଗଠନ କରିଥିବା ଦିନିକିଆ ଶ୍ରେଷ୍ଠ ଏକାଦଶରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇ ନାହାନ୍ତି। ଏହାର କାରଣ ହେଲା ଭାରତୀୟ ଟିମ ୨୦୨୪ରେ ମାତ୍ର ୩ଟି ଦିନିକିଆ ମ୍ୟାଚ୍‌ ଖେଳିଛି। ଦଳ ଗତବର୍ଷ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ୍‌ ଖେଳିଥିଲା।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତୀୟ ଟିମ ୨୦୨୪ ବର୍ଷରେ ଗୋଟିଏ ହେଲେ ବି ଦିନିକିଆ ମ୍ୟାଚ୍‌ ଜିତି ପାରି ନାହିଁ। ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ସିରିଜରେ ଭାରତ ୨ଟି ମ୍ୟାଚ୍‌ ହାରିଥିବା ବେଳେ ଗୋଟିଏ ମ୍ୟାଚ ଟାଇ ହୋଇଯାଇଥିଲା। ଦଳର ପ୍ରଦର୍ଶନ ଶ୍ରୀଲଙ୍କା ବିପକ୍ଷରେ ଅତ୍ୟନ୍ତ ନୈରାଶ୍ୟଜନ ଥିବାରୁ ଭାରତ କୌଣସି ଖେଳାଳିଙ୍କୁ ଆଇସିସି ଗଠନ କରିଥିବା ୨୦୨୪ ବର୍ଷର ଶ୍ରେଷ୍ଠ ଦିନିକିଆ ଟିମରେ ସୁଯୋଗ ମିଳିନାହିଁ।

ଭାରତୀୟ ଟିମ ଶେଷଥର ପାଇଁ ୨୦୨୩ ଦିନିକିଆ ବିଶ୍ୱକପର ସେମି ଫାଇନାଲରେ କୌଣସି ଦିନିକିଆ ମ୍ୟାଚ୍‌ ଜିତିଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିକୁ ଜିତି ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଦଳକୁ ଅଷ୍ଟ୍ରେଲିଆ ଠାରୁ ହାରିବାକୁ ପଡ଼ିଥିଲା। ଏହାପରେ ୨୦୨୪ ଅଗଷ୍ଟରେ ଦଳ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲେ ହେଁ ପରାଜୟବରଣ କରିଥିଲା। ଏହି କାରଣରୁ ୨୦୨୪ ବର୍ଷ ପାଇଁ ଆଇସିସି ଗଠନ କରିଥିବା ଶ୍ରେଷ୍ଠ ଏକାଦଶରେ କୌଣସି ଭାରତୀୟ ନାହାନ୍ତି।

Advertisment

ସେହିପରି ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡର ମଧ୍ୟ କୌଣସି ଖେଳାଳି ୨୦୨୪ ବର୍ଷ ପାଇଁ ଆଇସିସି ଗଠନ କରିଥିବା ଦିନିକିଆରେ ସ୍ଥାନ ପାଇ ନାହାନ୍ତି। ୨୦୨୪ରେ ଅଷ୍ଟ୍ରେଲିଆ ନିଜ ମାଟିରେ ପାକିସ୍ତାନ ସହ ଦିନିକିଆ ସିରିଜ ଖେଳିଥିଲେ ହେଁ ପରାସ୍ତ ହୋଇଥିଲା।

ଶ୍ରୀଲଙ୍କା ଓ ପାକିସ୍ତାନର ସର୍ବାଧିକ ଖେଳାଳିଙ୍କୁ ଆଇସିସି ଦିନିକିଆ ଏକାଦଶରେ ରଖିଛି। ଶ୍ରୀଲଙ୍କାର ଚରିତ ଅସଲଙ୍କାକୁ ଶ୍ରେଷ୍ଠ ଏକାଦଶର ଅଧିନାୟକ କରାଯାଇଛି। ୨୦୨୪ରେ ଶ୍ରୀଲଙ୍କା ୨୧ଟି ଦିନିକିଆ ଖେଳିଥିବା ବେଳେ ୧୩ଟିରେ ଜିତିଛି। ସେହିପରି ଦଳ କ୍ରମାଗତ ଆଫଗାନିସ୍ତାନ, ଜିମ୍ବାୱେ, ଭାରତ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବିଜୟୀ ହୋଇଥିଲା। ଅସଲଙ୍କା ୧୬ଟି ଦିନିକିଆରେ ୫୦.୦୨ ହାରରେ ଗୋଟିଏ ସେଞ୍ଚୁରୀ ଓ ୪ଟି ଅର୍ଦ୍ଧଶତକ ବଳରେ ୬୦୫ ରନ କରିଛନ୍ତି। ତେଣୁ ତାଙ୍କୁ ଆଇସିସି ଦିନିକିଆ ଦଳର ଅଧିନାୟକ କରିଛି।

ଦଳରେ ପାକିସ୍ତାନର ବାମହାତୀ ବ୍ୟାଟର ସୈମ ଆୟୁବ ଓ ଆଫଗାନିସ୍ତାନ ରହମନୁଲ୍ଲା ଗୁରବାଜଙ୍କୁ ଓପନର ଭାବେ ରଖାଯାଇଛି। ଆୟୁବ ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏକାଧିକ ଶତକ ହାସଲ କରିଥିଲା। ଗୁରବାଜ ମଧ୍ୟ ୧୧ଟି ମ୍ୟାଚ୍‌ରେ ୫୩୧ ରନ କରିଛନ୍ତି। ଏଥିରେ ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ରହିଛି।

୨୦୨୪ରେ ସର୍ବାଧିକ ରନ ହାସଲ କରିଥିବା ଶ୍ରୀଲଙ୍କାର ପଥୁମ ନିଶାଙ୍କା ଓ କୁଶଲ ମେଣ୍ତିସ ମଧ୍ୟକ୍ରମ ସମ୍ଭାଳିବେ। ଦଳରେ ଥିବା ୱେଷ୍ଟଇଣ୍ଡିଜର ଶେରଫନ ରଥରଫର୍ଡ ୨୦୨୪ରେ ମାତ୍ର ୯ଟି ମ୍ୟାଚ ଖେଳି ୪୨୫ ରନ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି। ୨୦୨୪ ବର୍ଷରେ ଆଫଗାନିସ୍ତାନ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛନ୍ତି ଅଜମତୁଲ୍ଲା ଓମରଜାଇ। ଏଥିପାଇଁ ତାଙ୍କୁ ଅଲରାଉଣ୍ଡର ଭାବେ ଦଳରେ ରଖାଯାଇଛି।

ସ୍ପିନର ଭାବେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କୁ ଦଳରେ ରଖାଯାଇଛି। ସେ ଜିମ୍ବାୱେ ବିପକ୍ଷ ଦିନିକିଆରେ ମାତ୍ର ୧୯ ରନ ଦେଇ ୭ ୱିକେଟ ଦଖଲ କରିଥିଲେ। ଏହା ଦିନିକିଆ କ୍ରିକେଟ ଇତିହାସରେ ୫ମ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ତାଙ୍କ ବ୍ୟତୀତ ଆଫଗାନିସ୍ତାନର ୧୮ ବର୍ଷୀୟ ଆଲ୍ଲା ଗଜନଫରଙ୍କୁ ମଧ୍ୟ ଆଇସିସି ତା’ର ଦିନିକିଆ ଦଳରେ ରଖିଛି। ସେ ଦିନିକିଆରେ ଦୁଇ ଥର ୫ଟି ଲେଖାଏ ୱିକେଟ ନେଇଛନ୍ତି। ଦଳରେ ପାକିସ୍ତାନର ହରିଶ ରୌଫ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ଦ୍ରୁତ ବୋଲର ଭାବେ ରଖାଯାଇଛି।

ଆଇସିସି ଗଠନ କରିଥିବା ଦଳ: ସୈମ ଆୟୁବ(ପାକିସ୍ତାନ), ରହମନୁଲ୍ଲା ଗୁରବାଜ(ଆଫଗାନିସ୍ତାନ), ପଥୁମ ନିଶାଙ୍କା(ଶ୍ରୀଲଙ୍କା), କୁଶଲ ମେଣ୍ଡିସ(ୱିକେଟ କିପର), ଶେରଫନ ରଥରଫର୍ଡ(ୱେଷ୍ଟଇଣ୍ଡିଜ), ଅଜମତୁଲ୍ଲା ଓମରଜାଇ(ଆଫଗାନିସ୍ତାନ), ୱାନିନ୍ଦୁ ହସରଙ୍ଗା(ଶ୍ରୀଲଙ୍କା), ଶାହୀନ ଶାହ ଆଫ୍ରିଦି(ପାକିସ୍ତାନ), ହରିଶ ରୌଫ(ପାକିସ୍ତାନ) ଓ ଆଲ୍ଲା ଗଜନଫର(ଆଫଗାନିସ୍ତାନ)।

Indian Cricket Team ICC ODI Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe