ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି-୨୦ ବିଶ୍ୱକପ୍ ଟିମର ଘୋଷଣା କରିଛି। ଏହି ୧୨ ଜଣିଆ ଟିମରେ ଆଇସିସି କୌଣସି ଭାରତୀୟ ଖେଳାଳିଙ୍କୁ ସାମିଲ କରିନାହିଁ। ଆଇସିସି ବିଶ୍ୱକପ୍ ଟିମର ନେତୃତ୍ୱଭାର ପାକିସ୍ତାନ ଖେଳାଳିଙ୍କ ହାତକୁ ଦେଇଛି। ଏସିଆର ୪ ଜଣ ଖେଳାଳି ଆଇସିସି ଟିମରେ ସ୍ଥାନ ପାଇଛନ୍ତି। ସେହିପରି ବାକି ଖେଳାଳି ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ରହିଛନ୍ତି। ଅନ୍ୟପକ୍ଷରେ ଦୁଇଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଟିମର କୌଣସି ଖେଳାଳିଙ୍କୁ ଏହି ୧୨ ଜଣିଆ ଟିମରେ ସ୍ଥାନ ମିଳିନାହିଁ।
ଆଇସିସି ପାକିସ୍ତାନର କ୍ୟାପଟେନ୍ ବାବର ଆଜମଙ୍କୁ ଏହି ୧୨ ଜଣିଆ ସ୍କ୍ୱାଡର ନେତୃତ୍ୱ ଦାୟିତ୍ୱ ଦେଇଛି। କିନ୍ତୁ ଟିମରେ କୌଣସି ଭାରତୀୟଙ୍କୁ ସ୍ଥାନ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ବଢ଼ିପାରିନଥିଲା। ଭାରତ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହା ପରେ ଭାରତ ଯଥାକ୍ରମେ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଓ ନାମିବିଆକୁ ହରାଇଥିଲା।
କୌଣସି ଭାରତୀୟ ଖେଳାଳିଙ୍କୁ ଏହି ଟିମରେ ସ୍ଥାନ ଦେବା ପାଇଁ ଜୁରୀ ସଦସ୍ୟ ଯୋଗ୍ୟ ମଣିନାହାନ୍ତି। ହେଲେ ଟିମରେ ଦକ୍ଷିଣ ଆଫ୍ରିକାର ଏଡେନ୍ ମାର୍କରମ୍ ଓ ଆନରିଚ୍ ନୋର୍ଜେ ତଥା ଶ୍ରୀଲଙ୍କାର ଚରିତ ଅସଲଙ୍କା ଓ ୱାନିନ୍ଦୁ ହସରଙ୍ଗାଙ୍କୁ ଚୟନ କରାଯାଇଛି। ଏହି ଦୁଇ ଟିମ୍ ସେମିଫାଇନାଲରେ ସ୍ଥାନ ହାସଲ କରିପାରିନଥିଲେ। ପ୍ରଥମଥର ଚାମ୍ପିୟନ୍ ହୋଇଥିବା ଅଷ୍ଟ୍ରେଲିଆ ତରଫରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର, ଲେଗ୍ ସ୍ପିନର୍ ଆଡାମ ଜାମ୍ପା ଓ ପେସର୍ ଜୋଶ ହେଜଲଉଡଙ୍କୁ ଟିମରେ ସାମିଲ କରାଯାଇଛି।
ଟି-୨୦ ବିଶ୍ୱକପରେ ପ୍ଲେୟର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ୱାର୍ଣ୍ଣର ଓ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ଓପ୍ନର ଭାବେ ଚୟନ କରାଯାଇଛି। ବାବରଙ୍କୁ ତୃତୀୟ ସ୍ଥାନରେ ରଖାଯାଇଛି। ୱାର୍ଣ୍ଣର ୨୮୯ ରନ୍ ସହ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଥିବା ବେଳେ ବଟଲର୍ ୨୬୯ ରନ୍ କରିଛନ୍ତି।
ଶ୍ରୀଲଙ୍କାର ଅସଲଙ୍କା ଚତୁର୍ଥ, ମାର୍କରମ୍ ପଞ୍ଚମ, ଇଂଲିଶ ଟିମ୍ ଅଲରାଉଣ୍ଡର ମୋଇନ୍ ଅଲୀ ଷଷ୍ଠ ସ୍ଥାନରେ ଚୟନ ହୋଇଛନ୍ତି। ଟିମରେ ଦୁଇଜଣ ସ୍ପିନର ଭାବେ ହସରଙ୍ଗା ଓ ଜାମ୍ପାଙ୍କୁ ରଖାଯାଇଛି। ସେହିପରି ତିନି ସ୍ପେଶାଲିଷ୍ଟ ପେସର୍ ଭାବେ ଜୋଶ ହେଜଲଉଡ୍, ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ, ଆନରିଚ୍ ନୋର୍ଜେ ଚୟନ କରାଯାଇଛି। ଦ୍ୱାଦଶ ଖେଳାଳି ଭାବେ ପାକିସ୍ତାନର ଶାହୀନ ଆଫ୍ରିଦି ସ୍ଥାନ ପାଇଛନ୍ତି।
ଆଇସିସି ଟିମ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ: ଡେଭିଡ୍ ୱାର୍ଣ୍ଣର, ଜୋସ୍ ବଟଲର୍ (ୱିକେଟ୍ କିପର), ବାବର ଆଜମ (କ୍ୟାପଟେନ୍), ଚରିତ ଅସଲଙ୍କା, ଏଡେନ୍ ମାର୍କରମ, ମୋଇନ୍ ଅଲୀ, ୱାନିନ୍ଦୁ ହସରଙ୍ଗା, ଆଡାମ ଜାମ୍ପା, ଜୋଶ ହେଜଲଉଡ୍, ଟ୍ରେଣ୍ଟ ବୋଲ୍ଟ, ଆନରିଚ୍ ନୋର୍ଜେ, ଶାହୀନ୍ ଆଫ୍ରିଦି (ଦ୍ୱାଦଶ ଖେଳାଳି)।