Advertisment

Women's World Cup: ଆଇସିସିର ବିଶ୍ୱକପ ଟିମରେ ନାହାନ୍ତି ହରମନପ୍ରୀତ କୌର, ଏହି ୩ ଭାରତୀୟ ସାମିଲ

ସମସ୍ତଙ୍କୁ ଚକିତ କରି କମିଟି ପକ୍ଷରୁ ପାକିସ୍ତାନର ସିଦ୍ରା ନୱାଜଙ୍କୁ ଆଇସିସି ବିଶ୍ୱକପ ଟିମର ୱିକେଟ କିପର ଭାବେ ଚୟନ କରାଯାଇଛି। କମିଟି ପାଖରେ ରିଚା ଘୋଷ, ଏଲିସ ହେଲୀ ଓ ଏମି ଜୋନ୍ସଙ୍କ ଭଳି ବିକଳ ରହିଥିଲା।

author-image
Hemant Lenka
Kaur

ବିଶ୍ୱକପ ଟ୍ରଫି ସହ ହରମନପ୍ରୀତ କୌର

ଦିନିକିଆ ମହିଳା ବିଶ୍ୱକପ(Women Cricket) ୨୦୨୫ ଶେଷ ହୋଇଛି। ଭାରତୀୟ ମହିଳା ଟିମ ଇତିହାସ ସୃଷ୍ଟି କରି ବିଶ୍ୱ ବିଜେତା ହୋଇଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱକପ ଜିତିବାର ସୌଭାଗ୍ୟ ହାସଲ କରିପାରିଛି। ବିଶ୍ୱକପ ଶେଷ ହେବା ପରେ ପୂରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ପକ୍ଷରୁ ଗୋଟିଏ ଟିମ ତିଆରି କରାଯାଇଛି। 

Advertisment

କିନ୍ତୁ ଆଇସିସିର ମହିଳା ବିଶ୍ୱକପ ଟିମରେ ନାହାନ୍ତି ଭାରତର ଅଧିନାୟକ ହରମନପ୍ରୀତ କୌର। ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତିଥିଲେ ହେଁ ତାଙ୍କୁ ଶ୍ରେଷ୍ଠ ଏକାଦଶରେ ରଖି ନାହିଁ ଆଇସିସି। ତାଙ୍କ ବଦଳରେ ବିଶ୍ୱକପ ଟିମର ଅଧିନାୟକ ଦାୟିତ୍ୱ ଦକ୍ଷିଣ ଆଫ୍ରିକାର କ୍ୟାପ୍ଟେନ ଲୋରା ୱଲଭର୍ଟଙ୍କୁ ଦିଆଯାଇଛି।

ଭାରତ(Indian Women Cricket Team) ଫାଇନାଲରେ ଲୋରାଙ୍କ ଦଳକୁ ୫୨ ରନରେ ହରାଇଥିଲା। କିନ୍ତୁ ଲୋରା ୪୨ ଓଭର ଯାଏ ଲଢ଼ିବା ସହ ଫାଇନାଲରେ ୧୦୧ ରନ ଇନିଂସ ଖେଳିଥିଲେ। ସେ ପୂରା ବିଶ୍ୱକପରେ ରେକର୍ଡ ୫୭୧ ରନ ମଧ୍ୟ କରିଛନ୍ତି। କୌଣସି ବିଶ୍ୱକପର ଗୋଟିଏ ସଂସ୍କରଣରେ କେହି ବି ଏତେ ରନ କରି ନଥିଲେ। 

Advertisment

ଲୋରା ଏକାକୀ ନିଜ ଦଳ ଦକ୍ଷିଣ ଆଫ୍ରିକା ପାଇଁ ଲଢ଼େଇ କରିଥିବାରୁ ତାଙ୍କୁ ଆଇସିସି ବିଶ୍ୱକପ ଟିମର ଅଧିନାୟକ କରିଛି। ଦଳରେ କୌର ନଥିଲେ ହେଁ ୩ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। 

ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ରନ ହାସଲ କରିଥିବା ସ୍ମୃତି ମନ୍ଧାନାଙ୍କ ସମେତ ଜେମିମା ରଡ୍ରିଗ୍ସ ଓ ଅଲରାଉଣ୍ଡର ଦୀପ୍ତି ଶର୍ମା ଆଇସିସି ଟିମରେ ରହିଛନ୍ତି। ଟିମରେ ୱଲଭର୍ଟଙ୍କ ସହ ମନ୍ଧାନା ଓପନର ଭାବେ ଚୟନ ହୋଇଛନ୍ତି। ଜେମିମାଙ୍କୁ ଆଇସିସି ବିଶ୍ୱକପ ଟିମର ୩ନଂ ସ୍ଥାନରେ ରଖିଛି। ବିଶ୍ୱକପରେ ଓଲଭର୍ଟ ୫୭୧ ରନ କରିଥିବା ବେଳେ ତାଙ୍କ ପଛକୁ ୪୩୪ ରନ ସହ ରହିଛନ୍ତି ଭାରତର ସ୍ମୃତି ମନ୍ଧାନା। 

ବିଶ୍ୱକପରେ ଦୀପ୍ତି ଶର୍ମା ଦମଦାର ପ୍ରଦର୍ଶନ କରିଥିଲେ। ସେ ବ୍ୟାଟିଂରେ ୨୧୫ ରନ କରିବା ସହ ବୋଲିଂରେ ୨୨ଟି ୱିକେଟ ଦଖଲ କରିଥିଲେ। ଏଥିପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଥିଲା। ତେଣୁ ଆଇସିସି ତାଙ୍କୁ ଅଲରାଉଣ୍ଡର ଭାବେ ଦଳରେ ରଖିଛି।

ଇଆନ ବିଶୋପ, ମେଲ ଜୋନ୍ସ, ଈଶା ଗୁହା, ଗୌରବ ସକ୍ସେନା(ଆଇସିସି ଜେନେରାଲ ମ୍ୟାନେଜର) ଓ ଇଷ୍ଟେଲ ବାଦୁଦେବନ(ସାମ୍ବାଦିକ)ଙ୍କୁ ନେଇ ଗଠିତ କମିଟି ମିଳିତ ଭାବେ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଶ୍ରେଷ୍ଠ ବିଶ୍ୱକପ ଟିମ ଗଠନ କରିଛି। 

ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଟିମରେ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ ଏହି ୩ ଦଳରୁ ୯ ଜଣ ଖେଳାଳି ରହିଛନ୍ତି। ଦକ୍ଷିଣ ଆଫ୍ରିକାରୁ ୱଲଭର୍ଟଙ୍କ ବ୍ୟତୀତ ଅଭିଜ୍ଞ ଅଲରାଉଣ୍ଡର ମାରିଜାନ କାପ୍ପ ଓ ନନ୍ଦିନେ ଡି କ୍ଲାର୍କ ବିଶ୍ୱକପ ଟିମରେ ରହିଛନ୍ତି। 

ଅଷ୍ଟ୍ରେଲିଆରୁ ଆଶଲେ ଗାର୍ଡନା, ଆନ୍ନାବେଲ ସଦରଲ୍ୟାଣ୍ଡ ଓ ଆଲାନ କିଙ୍ଗ ଆଇସିସି ଟିମରେ ସୁଯୋଗ ପାଇଛନ୍ତି। ସମସ୍ତଙ୍କୁ ଚକିତ କରି କମିଟି ପକ୍ଷରୁ ପାକିସ୍ତାନର ସିଦ୍ରା ନୱାଜଙ୍କୁ ଆଇସିସି ବିଶ୍ୱକପ ଟିମର ୱିକେଟ କିପର ଭାବେ ଚୟନ କରାଯାଇଛି।

କମିଟି ପାଖରେ ରିଚା ଘୋଷ, ଏଲିସ ହେଲୀ ଓ ଏମି ଜୋନ୍ସଙ୍କ ଭଳି ବିକଳ ରହିଥିଲା। ତଥାପି ସେମାନେ ବିଶ୍ୱକପ(ODI World Cup)ରେ ଗୋଟିଏ ହେଲେ ବି ମ୍ୟାଚ୍‌ ଜିତି ନଥିବା ପାକିସ୍ତାନର ସିଦ୍ରା ନୱାଜଙ୍କୁ ଚୟନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଇଂଲଣ୍ଡର ଏକମାତ୍ର ଖେଳାଳି ଭାବେ ସୋଫି ଏସେଲଷ୍ଟୋନ ଶ୍ରେଷ୍ଠ ଏକାଦଶରେ ରହିଛନ୍ତି।  ସେମି ଫାଇନାଲରୁ ବିଦାୟ ନେଇଥିବା ୪ ଥରର ବିଶ୍ୱ ବିଜେତା ଇଂଲଣ୍ଡର ଅଧିନାୟକ ନାଟ ସ୍କିଭର ବ୍ରଣ୍ଟଙ୍କୁ କମିଟି ପକ୍ଷରୁ ୧୨ ନମ୍ବର ଖେଳାଳି ଭାବେ ଚୟନ କରାଯାଇଛି। 

ଆଇସିସିର ବିଶ୍ୱକପ ଟିମ: ଲୋରା ୱଲଭର୍ଟ(ଅଧିନାୟକ), ସ୍ମୃତି ମନ୍ଧାନା, ଜେମିମା ରଡ୍ରିଗ୍ସ, ମାରିଜାନ କାପ୍ପ, ଆଶଲେ ଗାର୍ଡନର, ଦୀପ୍ତି ଶର୍ମା, ଆନ୍ନାବେଲ ସଦରଲ୍ୟାଣ୍ଡ, ନାନ୍ଦିନ ଡି କ୍ଲାର୍କ, ସୋଫି ଏସେଲଷ୍ଟୋନ, ସିଦ୍ରା ନୱାଜ ଓ ଆଲାନ କିଙ୍ଗ। 

ଦ୍ୱାଦଶ ଖେଳାଳି: ନାଟ ସ୍କିଭର ବ୍ରଣ୍ଟ(ଇଂଲଣ୍ଡ)। 

Women Cricket ODI World Cup Indian Women Cricket Team