Advertisment

ଟଙ୍କା ନଥିବାରୁ ୩ ବର୍ଷ ଯାଏ ମ୍ୟାଗି ଖାଉଥିଲେ ପାଣ୍ଡ୍ୟା ବ୍ରଦର୍ସ !

ଆଇପିଏଲକୁ ଆସିବା ପୂର୍ବରୁ ପାଣ୍ଡ୍ୟା ବ୍ରଦର୍ସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ସେମାନଙ୍କ ପାଖରେ ଟଙ୍କା ନଥିବାରୁ ଉଭୟ କ୍ରିକେଟ ଖେଳିବା ବେଳେ କେବଳ ମ୍ୟାଗି ଖାଉଥିଲେ।

author-image
Hemant Lenka
Pandya brothers

Pandya brothers

ଭାରତୀୟ କ୍ରିକେଟର ଦୁଇ ଚର୍ଚ୍ଚିତ ନାଁ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା। ଆଇପିଏଲରୁ ଏମାନଙ୍କର କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଉଭୟ ଭାରତ ପାଇଁ କ୍ରିକେଟ ଖେଳିଥିଲେ। କୃନାଲ ଅଳ୍ପ କିଛି ମ୍ୟାଚ୍‌ ଭାରତ ପାଇଁ ଖେଳିଥିଲେ ହେଁ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଚାଲିଛନ୍ତି। ଭାରତକୁ ଅନେକ ମ୍ୟାଚ୍‌ ଜିତାବାରେ ହାର୍ଦ୍ଦିକ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି। ଏବେ ସେ ବିଶ୍ୱର ଅନ୍ୟତମ ଷ୍ଟାର ଅଲରାଉଣ୍ଡର।

Advertisment

କିନ୍ତୁ ପାଣ୍ଡ୍ୟା ବ୍ରଦର୍ସଙ୍କ ସମ୍ପର୍କରେ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆଇପିଏଲକୁ ଆସିବା ପୂର୍ବରୁ ପାଣ୍ଡ୍ୟା ବ୍ରଦର୍ସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ସେମାନଙ୍କ ପାଖରେ ଟଙ୍କା ନଥିବାରୁ ଉଭୟ କ୍ରିକେଟ ଖେଳିବା ବେଳେ କେବଳ ମ୍ୟାଗି ଖାଉଥିଲେ। ଏକଥା ଉଭୟଙ୍କୁ ଆଇପିଏଲକୁ ଆଣିଥିବା ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନି କହିଛନ୍ତି। ଏଥିସହ ମୁମ୍ବାଇ କେମିତି ପାଣ୍ଡ୍ୟା ବ୍ରଦର୍ସ, ଯଶପ୍ରୀତ ବୁମ୍ରା ଓ ତିଲକ ବର୍ମାଙ୍କୁ ଭାରତୀୟ କ୍ରିକେଟକୁ ଭେଟି ଦେଇଛି, ତା’ର ମଧ୍ୟ ଡିଙ୍ଗୁରା ପିଟିଛନ୍ତି।

ହାର୍ଦ୍ଦିକ, କୃନାଲ ଓ ଯଶପ୍ରୀତ ବୁମ୍ରା ସେମାନଙ୍କ ଆଇପିଏଲ ଡେବ୍ୟୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କରିଛନ୍ତି। ଏହାପରେ ସେମାନଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଥିଲା। ଏହି ୩ ଜଣ ଖେଳୁଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏକାଧିକ ଆଇପିଏଲ ଟ୍ରଫି ବି ଜିତିଛି।

Advertisment

ଦୀର୍ଘ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସରେ ରହିବା ପରେ କୃନାଲ ଏବେ ଅଲଗା ପ୍ରାଞ୍ଚାଇଜ ପାଇଁ ଖେଳୁଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨ ବର୍ଷ ଗୁଜରାଟରୁ ଖେଳିବା ପରେ ୨୦୨୪ରୁ ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ସେହିପରି ବୁମ୍ରା ଆରମ୍ଭରୁ ଏଯାଏ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଛନ୍ତି।

କ’ଣ କହିଲେ ନୀତା ଅମ୍ବାନି?

୨୦୨୫ ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ବେଳେ ଏହି ଷ୍ଟାର ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହାପୂର୍ବରୁ ପାଣ୍ଡ୍ୟା ବ୍ରଦର୍ସଙ୍କ ସମ୍ପର୍କରେ ନୀତା ଅମ୍ବାନି ବଡ଼ ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନୂଆ ନୂଆ ଟ୍ୟାଲେଣ୍ଟ ଖୋଜି ଆଣିବା ଉଦ୍ଦେଶ୍ୟରେ ନୀତା ରଣଜୀ ଟ୍ରଫିର ମ୍ୟାଚ୍‌ଗୁଡ଼ିକ ଦେଖିବା ପାଇଁ ଯାଉଥିଲେ। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ କେମିତି ହାର୍ଦ୍ଦିକ ଓ କୃନାଲଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା ଏବଂ ଟଙ୍କା ନଥିବାରୁ ସେମାନେ କେମିତି ପ୍ରାୟ ୩ ବର୍ଷ ହେଲା କେବଳ ମ୍ୟାଗି ନୁଡଲ୍ସ ଖାଉଥିଲେ, ସେକଥା ଜାଣିବାକୁ ପାଇଥିଲେ।

ବୋଷ୍ଟନରେ ନୀତା ଅମ୍ବାନି କହିଛନ୍ତି, “ଆଇପିଏଲରେ ଆମେ ସମସ୍ତଙ୍କ ପାଇଁ ଗୋଟିଏ ସ୍ଥିର ବଜେଟ ଧାର୍ଯ୍ୟ କରାଯାଇ ଥାଏ। ଏହା ଦ୍ୱାରା ପ୍ରତିଟି ଟିମ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଜଣେ ଖେଳାଳିଙ୍କ ଉପରେ ଖର୍ଚ୍ଚ କରିବ। ତେଣୁ ଆମେ ନୂଆ ଶୈଳୀରେ ଦକ୍ଷ ଖେଳାଳିଙ୍କୁ ବାଛିବାକୁ ଯୋଜନା କରିଥିଲୁ। ନୂଆ ଦକ୍ଷ ଖେଳାଳିଙ୍କ ସନ୍ଧାନରେ ମୁଁ ରଣଜୀ ଟ୍ରଫି ମ୍ୟାଚ୍‌ଗୁଡ଼ିକୁ ଯାଉଥିଲି।

ମୁଁ ଆଉ ଆମ ଟିମ ସମସ୍ତ ଘରୋଇ କ୍ରିକେଟ ମ୍ୟାଚ୍‌କୁ ଯାଇଛୁ। ଖେଳାଳି ସନ୍ଧାନ ଚାଲିଥିବା ବେଳେ ଆମ ଟିମ ଦୁଇ ଜଣ ପତଳା ପିଲାଙ୍କୁ କ୍ୟାମ୍ପକୁ ଆଣିଥିଲା। ମୁଁ ସେମାନଙ୍କ ସହ କଥା ହୋଇଥିଲି। ଏହି ସମୟରେ ସେମାନେ ଟଙ୍କା ନଥିବାରୁ ଉଭୟ ୩ ବର୍ଷ ହେଲା କେମିତି କେବଳ ମ୍ୟାଗି ଖାଉଛନ୍ତି, ସେକଥା କହିଥିଲେ।  ଏହା ଶୁଣି ମୁଁ ବିଚଳିତ ହେବା ସହ ଉଭୟଙ୍କ ମଧ୍ୟରେ କିଛି ବଡ଼ କରିବାକୁ ଥିବା ଆତ୍ମବିଶ୍ୱାସ, ନିଶା ଓ ଭୋକକୁ ଦେଖିଥିଲି। ସେହି ଦୁଇ ଭାଇ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା। ୨୦୧୫ରେ ମୁଁ ହାର୍ଦ୍ଦିକଙ୍କୁ ୧୦ ହଜାର ଆମେରିକୀୟ ଡଲାରରେ କିଣିଥିଲି। ଏବେ ସେ ମୁମ୍ବାଇ ଇଣ୍ଡିଆନ୍ସର ଗର୍ବିତ ଅଧିକ ନାୟକ।”

ବୁମ୍ରା ବଲ ସହ କଥା ହୋଇପାରନ୍ତି

ନୀତି ଅମ୍ବାନି ଏହି ଆଲୋଚନାରେ ବିଶ୍ୱର ଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍ରାଙ୍କ ସମ୍ପର୍କରେ ମତ ରଖିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟ୍ସ ବା ସନ୍ଧାନୀ ଟିମ ବୁମ୍ରାଙ୍କ ସମ୍ପର୍କରେ ତାଙ୍କୁ କ’ଣ କହିଥିଲା, ତା’ର ଖୁଲାସା କରିଛନ୍ତି। ବୁମ୍ରାଙ୍କୁ ଦେଖିବା ଓ ତାଙ୍କ ସମ୍ପର୍କରେ ଜାଣିବା ପରେ ନୀତା ଅମ୍ବାନି ଜାଣିବାକୁ ପାଇଥିଲେ ଯେ ବଲ ସହ କଥା ହେବାର ଦକ୍ଷତା ସମ୍ଭବତଃ ତାଙ୍କ ପାଖରେ ରହିଛି। ଏବେ ଟି-୨୦ରେ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ତିଲକ ବର୍ମାଙ୍କ ସମ୍ପର୍କରେ ବି ନୀତା କହିଛନ୍ତି। ନୀତା ଅମ୍ବାନିଙ୍କ କଥା କହିବା ଯେ ମୁମ୍ବାଇ ଏବେ ଭାରତରେ କ୍ରିକେଟର ନର୍ସରୀ ବା ଚାଟଶାଳୀ ବନି ଯାଇଛି।

ସେ କହିଛନ୍ତି, “ଆମ ସ୍କାଉଟ୍ସ ଜଣେ ଯୁବ କ୍ରିକେଟରଙ୍କୁ ଠାବ କରିଥିଲେ। ତାଙ୍କ ଭାବଭଙ୍ଗୀ ଆଦୌ ଭଲ ନଥିଲା। ତଥାପି ଆମ ଟିମ ତାଙ୍କୁ ବୋଲିଂ କରିବା ବେଳେ ଦେଖିବାକୁ ମୋତେ କହିଥିଲେ। ଆମେ ସମସ୍ତେ ତାଙ୍କୁ ଦେଖିଥିଲୁ। ତାଙ୍କୁ ଦେଖିବା ପରେ ଲାଗିଥିଲା ଯେ ସେ ବଲ ସହ କଥା ହେବାକୁ ସକ୍ଷମ। ସେହି ଖେଳାଳି ଜଣଙ୍କ ହେଉଛନ୍ତି ଆମ ବୁମ୍ରା ଓ ବାକି ସବୁ ଇତିହାସ। ଗତବର୍ଷ ଆମେ ତିଲକ ବର୍ମାଙ୍କୁ ଲଞ୍ଚ କରିଥିଲୁ। ସେ ଏବେ ଭାରତୀୟ ଟିମର ସଦସ୍ୟ। ତେଣୁ ମୁଁ ଭାବୁଛି ମୁମ୍ବାଇ ଇଣ୍ଡିଆନ୍ସକୁ ଭାରତରେ କ୍ରିକେଟର ନର୍ସରୀ କହିଲେ କିଛି ଭୁଳ ହେବନାହିଁ।”

ମୁମ୍ବାଇ ଇଣ୍ଡିଆନ୍ସ ୬ଷ୍ଠ ଥର ପାଇଁ ଚାମ୍ପିୟନ ହେବାକୁ ଏଥର ଆଇପିଏଲରେ ଲଢ଼େଇ କରିବ। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଦଳ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ। ୨୦୨୪ ଭଳି ୨୦୨୫ ସଂସ୍କରଣରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ।

Hardik Pandya Jasprit Bumrah Mumbai Indians Nita Ambani IPL 2025 Tilak Varma