ଶେଷରେ ବିଜୟର ସ୍ୱାଦ ଚାଖିଲା ଓଡ଼ିଶା

ବେଙ୍ଗାଲୁରୁ: ଲଗାତର ତିନୋଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟର ସ୍ୱାଦ ଚାଖିଛି ଓଡ଼ିଶା। ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଗ୍ରୁପ୍-ସି’ର ଏକ ମ୍ୟାଚରେ ଓଡ଼ିଶା ୭ ୱିକେଟରେ ବିହାରକୁ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ କେରଳ (୩୪ ରନ୍), ରେଲୱେ (୮ ୱିକେଟ୍) ଓ କର୍ଣ୍ଣାଟକ (୧୦୧ ରନ୍) ଠାରୁ ପରାସ୍ତ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ବିହାର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ […]

odisha1

Ranjit Kumar Jena
  • Published: Friday, 26 February 2021
  • , Updated: 26 February 2021, 07:45 PM IST

ବେଙ୍ଗାଲୁରୁ: ଲଗାତର ତିନୋଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟର ସ୍ୱାଦ ଚାଖିଛି ଓଡ଼ିଶା। ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଗ୍ରୁପ୍-ସି'ର ଏକ ମ୍ୟାଚରେ ଓଡ଼ିଶା ୭ ୱିକେଟରେ ବିହାରକୁ ପରାସ୍ତ କରିଛି। ଏହା ପୂର୍ବରୁ ପ୍ରଥମ ତିନୋଟି ମ୍ୟାଚରେ ଯଥାକ୍ରମେ କେରଳ (୩୪ ରନ୍), ରେଲୱେ (୮ ୱିକେଟ୍) ଓ କର୍ଣ୍ଣାଟକ (୧୦୧ ରନ୍) ଠାରୁ ପରାସ୍ତ ହୋଇଥିଲା।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ବିହାର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ଦଳ ପକ୍ଷରୁ ବାବୁଲ୍ କୁମାର ସର୍ବାଧିକ ୭୮ (୭୧ ବଲ୍, ୩ ଚୌକା, ୪ ଛକା) ରନ୍, ସାକିବୁଲ୍ ଗାନି ୪୮, ମଙ୍ଗଳ ମହରୁର୍ ୩୮, ଶଶୀମ ରାଠୋର ୨୭, ବିକାଶ ରଞ୍ଜନ ଅପରାଜିତ ୨୨ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ କ୍ୟାପଟେନ୍ ଶାନ୍ତନୁ ମିଶ୍ର ୪୬ ରନ୍ ଦେଇ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଓଡ଼ିଶା ୪୮.୧ ଓଭରରେ ୩ ୱିକେଟ୍ ହରାଇ ୨୫୮ ରନ୍ କରି ବିଜୟୀ ହୋଇଛି। ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶାକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ଶାନ୍ତନୁ ଓ ସନ୍ଦୀପ ପଟ୍ଟନାୟକ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୨୪ ରନର ପାର୍ଟନରଶିପ୍ କରିଥିଲେ। ସନ୍ଦୀପ ୬୪ ରନ୍ (୮୧ ବଲ୍, ୧୦ ଚୌକା) ରନ୍ ଓ ଶାନ୍ତନୁ ୭୫ (୧୦୭ ବଲ୍, ୬ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ।

ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ମାତ୍ର ୧୧ ରନ୍ କରି ରନଆଉଟ୍ ହୋଇଥିଲେ। ତେବେ କାର୍ତ୍ତିକ ବିଶ୍ୱାଳ ଓ ଅଙ୍କିତ ଯାଦବ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୮୭ ରନ୍ ଯୋଡ଼ି ଦଳକୁ ବିଜୟୀ କରାଇଥିଲେ। କାର୍ତ୍ତିକ ୪୬ ବଲରେ ୩ ଚୌକା ସହ ୫୩ ଓ ଅଙ୍କିତ ୩୯ ବଲରେ ୫ ଚୌକା ସହ ୪୩ ରନ୍ କରି ଅପରାଜିତ ଥିଲେ। ବିହାର ପକ୍ଷରୁ ରାହୁଲ୍ କୁମାର ଗୋଟିଏ ୱିକେଟ୍ ନେଇଥିଲେ। ଓଡ଼ିଶା ତା'ର ଶେଷ ଲିଗ୍ ମ୍ୟାଚରେ ଉତ୍ତର ପ୍ରଦେଶକୁ ୨୮ ତାରିଖରେ ଭେଟିବ।

Related story