ମୁଣ୍ଡେ ଓ ଗୋବିନ୍ଦ ପୋଦ୍ଦାର (ଫାଇଲ ଫଟୋ)
ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ଦମଦାର ପ୍ରଦର୍ଶନ। ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ହାସଲ କରିଛି କ୍ରମାଗତ ଦ୍ୱିତୀୟ ବିଜୟ। ଡିସେମ୍ବର ୨୬ରେ ସର୍ଭିସେସକୁ ହରାଇଥିବା ଓଡ଼ିଶା ଆଜି ଷ୍ଟାର ଖଚିତ ଆନ୍ଧ୍ର ପ୍ରଦେଶକୁ ମାତ ଦେଇଛି।
ଆନ୍ଧ୍ର ଟିମରେ ନୀତୀଶ କୁମାର ରେଡ୍ଡୀ, ଏସ୍ ଭରତ, ଶେଖ ରଶିଦ ଓ ରିକୁ ବିହୁଙ୍କ ଭଳି ଖେଳାଳି ଥିଲେ ମଧ୍ୟ ଓଡ଼ିଶା ସେମାନଙ୍କୁ ରଗଡ଼ି ଦେଇଛି। ଓପନର ଓମ ଟି ମୁଣ୍ଡେଙ୍କ ଦମଦାର ବ୍ୟାଟିଂ ଓ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଓଡ଼ିଶା ୬ ୱିକେଟରେ ଆନ୍ଧ୍ରକୁ ହରାଇ ଦେଇଛି। ଏଥିସହ ୩ ମ୍ୟାଚ୍ ପରେ ପଏଣ୍ଟ ଟେବୁଲର ୨ ନମ୍ବରରେ ପହଞ୍ଚି ଯାଇଛି। ୧ନଂରେ ପୂର୍ବଭଳି ଦିଲ୍ଲୀ ରହିଛି। ଓଡ଼ିଶା ପ୍ରଥମ ମ୍ୟାଚରେ ସ୍ୱସ୍ତିକ ସମାଲଙ୍କ ରେକର୍ଡ ଦୁଇ ଶତକ ସତ୍ତ୍ୱେ ସୌରାଷ୍ଟ୍ର ଠାରୁ ହାରିଥିଲା। ଏବେ ଦଳ କ୍ରମାଗତ ଦୁଇଟି ବିଜୟ ହାସଲ କରିଛି।
ଅଲୁର ଠାରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଠିକ ସାବ୍ୟସ୍ତ କରି ରାଜେଶ ମହାନ୍ତି ପ୍ରଥମ ଓଭରରେ ହିଁ ଅଶ୍ୱିନୀ ହେବାର(୨)ଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଅନ୍ୟତମ ଓପନର ଭରତ(୩୨) ଓ ଶେଖ ରଶିଦ(୨୦) ଯଥାକ୍ରମେ ବାଦଲ ବିଶ୍ୱାଳ ଓ ଗୋବିନ୍ଦ ପୋଦ୍ଦାରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଆନ୍ଧ୍ର ପ୍ରଦେଶ ଅଧିନାୟକ ନୀତୀଶ କୁମାର ରେଡ୍ଡୀ କେବଳ ୬ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ସମ୍ବିତ ଏସ୍ ବରାଳ ବୋଲ୍ଡ କରି ଓଡ଼ିଶାକୁ ବଡ଼ ସଫଳତା ଦେଇଥିଲେ। ଦିଲ୍ଲୀ ବିପକ୍ଷରେ ଶତକ ମାରିଥିବା ରିକୁ ବିହୁ ମଧ୍ୟ କେବଳ ୧୭ ରନ କରି ପାରିଛନ୍ତି। ତାଙ୍କ ୱିକେଟ ଅଧିନାୟକ ବିପ୍ଳବ ନେଇଥିଲେ।
ଏମ ହେମନ୍ତ ରେଡ୍ଡୀ ୧୧, କେଏସ୍ ଏନ ରାଜୁ ୨ ଓ ଟି ବିଜୟ ୬ ରନ କରି ଆଉଟ ହେବାରୁ ଆନ୍ଧ୍ର ୧୫୩ ରନରେ ୮ ୱିକେଟ ହରାଇଥିଲା। କିନ୍ତୁ ଏସ୍ ପ୍ରସାଦ ୬୬ ରନ ଓ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୌରଭ କୁମାର ୨୬ ବଲରେ ୪୭ ରନ କରିବାରୁ ଆନ୍ଧ୍ର ୪୯.୨ ଓଭରରେ ସମସ୍ତ ୱିକେଟ ହରାଇ ୨୨୧ ରନ କରିବାକୁ ସକ୍ଷମ ହୋଇଥିଲା।
ଓଡ଼ିଶା ପକ୍ଷରୁ ବିପ୍ଳବ ଓ ଗୋବିନ୍ଦ ୩ଟି ଲେଖାଏ ସଫଳତା ପାଇଥିବା ବେଳେ ରାଜେଶ, ଦେବବ୍ରତ ପ୍ରଧାନ, ସମ୍ବିତ ଓ ବାଦଲ ବିଶ୍ୱାଳ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।
୨୨୨ ରନର ଟାର୍ଗେଟ ପାଇଥିବା ଓଡ଼ିଶା ପ୍ରଥମ ବଲରେ ହିଁ ଇନଫର୍ମ ସ୍ୱସ୍ତିକ ସାମଲଙ୍କୁ ହରାଇଥିଲା। ସନ୍ଦୀପ ପଟ୍ଟନାୟକ (୧୯) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ତେବେ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର(Govinda Podda) ଓ ଅନ୍ୟତମ ଓପନର ମୁଣ୍ଡେ ସ୍ଥିତି ସମ୍ଭାଳିଥିଲେ। ମୁଣ୍ଡେ ୧୧୧ ବଲରେ ୯୧ ଓ ଗୋବିନ୍ଦ ୧୦୫ ବଲରେ ୮୯ ରନ କରି ଓଡ଼ିଶାର ବିଜୟକୁ ଏକପ୍ରକାରର ନିଶ୍ଚିତ କରି ଦେଇଥିଲେ।
ଦଳୀୟ ସ୍କୋର ୧୯୭ ଥିବା ବେଳେ ଗୋବିନ୍ଦ ଓ ୨୦୬ ରନ ଥିବା ବେଳେ ମୁଣ୍ଡେ ଆଉଟ ହୋଇଥିଲେ ହେଁ ବାକି କାମ ଆଶୀର୍ବାଦ ସ୍ୱାଇଁ ଓ ବିପ୍ଳବ ସାମନ୍ତରାୟ କରିଥିଲେ। ସ୍ୱାଇଁ ଶେଷ ଯାଏ ୧୧ ଓ ସାମନ୍ତରାୟ ୭ ରନ କରି ଅପରାଜିତ ରହିବା ସହ ଓଡ଼ିଶାକୁ ୬ ୱିକେଟରେ ବିଜୟ ଭେଟି ଦେଇଥିଲେ।
ଓଡ଼ିଶା ୨୨୨ ରନର ଟାର୍ଗେଟକୁ ୪୩.୪ ଓଭରରେ ହାସଲ କରି ନେଇଛି। ବୋଲିଂରେ ୩ ୱିକେଟ ସହ ବ୍ୟାଟିଂରେ ୮୯ ରନ କରିଥିବା ପୋଦ୍ଦାର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଓଡ଼ିଶା ଆସନ୍ତା ୩୧ରେ ନିଜର ୪ର୍ଥ ମ୍ୟାଚ୍ ଅନ୍ୟତମ ଷ୍ଟାର ଖଚିତ ଦିଲ୍ଲୀ ବିପକ୍ଷରେ ଖେଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/29/om-t-munde-2025-12-29-18-25-13.jpg)