ruturaj-gaikwad
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ରେ ଓଡ଼ିଶା ଆଉ ଏକ ପରାଜୟର ସାମ୍ନା କରିଛି। ଶନିବାର ଏଲିଟ୍ ଗ୍ରୁପ୍-ଏ'ର ଏକ ମ୍ୟାଚରେ ମହାରାଷ୍ଟ୍ର ୨୭ ରନରେ ଓଡ଼ିଶାକୁ ପରାସ୍ତ କରିଛି। ଏହି ବିଜୟ ସହ ମହାରାଷ୍ଟ୍ର ୪ ପଏଣ୍ଟ ହାସଲ କରିଛି। ଏହା ପୂର୍ବରୁ ଶୁକ୍ରବାର ଓଡ଼ିଶା ତା'ର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ନିକଟରୁ ମାତ୍ର ୧ ରନରେ ପରାସ୍ତ ହୋଇଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଜବାବରେ ଓଡ଼ିଶା ଟିମ୍ ୧୮.୫ ଓଭରରେ ୧୫୬ ରନ୍ କରି ଅଲଆଉଟ୍ ହୋଇଛି।
୧୮୪ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶାକୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ରାଜେଶ ଧୂପର ମାତ୍ର ୧୬ ରନ୍ କରି ଆଉଟ୍ ହୋଇଥିଲା। ଅଂଶୁମାନ ରଥ ଓ ଶୁଭ୍ରାଂଶୁ ସେନାପତି ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନର ଭାଗିଦାରୀ କରି ଓଡ଼ିଶାକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଦୁହିଁଙ୍କ ୱିକେଟ୍ ପତନ ପରେ ଓଡ଼ିଶାର ଆଶା ଶେଷ ହୋଇଯାଇଥିଲା। ଅଂଶୁମାନ ୩୪ ଓ ଶୁଭ୍ରାଂଶୁ ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ମିଡଲ୍ ଅର୍ଡରରେ ଅଭିଷେକ ଯାଦବ (୨୩), ଗୋବିନ୍ଦ ପୋଦ୍ଦାର (୧୭) ଓ ଅଭିଷେକ ଯାଦବ (୨୭) ପ୍ରୟାସ କରିଥିଲେ ହେଁ ଦଳକୁ ଜିତାଇପାରି ନଥିଲେ। ଫଳରେ ଓଡ଼ିଶା ଟିମ୍ ୭ ବଲ୍ ବାକି ଥାଇ ଅଲଆଉଟ୍ ହୋଇଯାଇଥିଲା। ମହାରାଷ୍ଟ୍ର ପକ୍ଷରୁ ଦିବ୍ୟାଙ୍ଗ ହିମଗନେକର ୪ଟି ଓ ଅଶୟ ପାଲକର ୩ଟି ୱିକେଟ୍ ନେଇଥିଲେ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହାରାଷ୍ଟ୍ରକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଥିଲା। ୟଶ ନହର୍ ଖାତା ଖୋଲିବା ପୂର୍ବରୁ ଦେବବ୍ରତ ପ୍ରଧାନଙ୍କ ଶିକାର ହୋଇଥିଲେ। ତେବେ ଅନ୍ୟତମ ଓପ୍ନର ତଥା ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ଋତୁରାଜ ଗାଏକ୍ୱାଡ୍ ଓ ଅଭିଜ୍ଞ କେଦାର ଯାଦବ ଦ୍ୱିତୀୟ ୱିକେଟ୍ ପାଇଁ ୧୩୧ ରନର ପାର୍ଟନରଶିପ୍ କରି ମହାରାଷ୍ଟ୍ରକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ମହାରାଷ୍ଟ୍ରର ରନ୍ ଗତି କମିଯାଇଥିଲା ଏବଂ ଦଳ ୧୮୩ ରନ୍ କରିବାକୁ ସକ୍ଷମ ହୋଇଥିଲା।
ଦଳ ପକ୍ଷରୁ ଗାଏକ୍ୱାଡ୍ ମାତ୍ର ୪୭ ବଲରେ ୮୧ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ ଥିଲା। ସେହିପରି କେଦାର ଯାଦବ ୫୫ (୩୫ ବଲ୍, ୭ ଚୌକା), ଦିବ୍ୟାଙ୍ଗ ହିମଗନେକର ୧୯ ଓ ନୌଶାଦ ଶେଖ ୧୩ ରନ୍ କରିଥିଲେ। ଓଡ଼ିଶାର ଦେବବ୍ରତ ପ୍ରଧାନ ୩ଟି, ଜୟନ୍ତ ବେହେରା ଓ ବିକାଶ ରାଉତ ୨ଟି ଲେଖାଏ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/ruturaj-gaikwad.jpg)