/odisha-reporter/media/post_attachments/uploadimage/library/16_9/16_9_0/Cricket_1701687322.jpg)
Cricket
ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ ଓରଫ ଅର୍ଣ୍ଣବ। ସେ ଅଣ୍ଡର ୧୪ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଭାରତୀୟ ସ୍କୁଲ କ୍ରୀଡ଼ା ମହାସଂଘ(SGFI) ଘୋଷଣା କରିଥିବା ୧୬ ଜଣିଆ ଦଳରେ ଅର୍ଣ୍ଣବ ସ୍ଥାନ ପାଇଛନ୍ତି। ତାଙ୍କ ନାଁ ତାଲିକାର ୬ନଂ ସ୍ଥାନରେ ରହିଛି। ବିସିସିଆଇ ଲେଭଲ ୧ ଓ ୨ର ୩ ଜଣ କୋଚ ଓ ମ୍ୟାଚ ରେଫରୀ ମିଳିତ ଭାବେ ୧୬ ଜଣିଆ ଦଳ ବାଛିଛନ୍ତି। ସେହିପରି ୪ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି।
ସିଆଇଏସ୍ସିଇ ନ୍ୟାଶନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଣ୍ଡର ୧୪ର ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ ପାଇଁ ୧୬ ଜଣଙ୍କୁ ଏସଜିଏଫଆଇ ପକ୍ଷରୁ ଚୟନ କରାଯାଇଛି। ଚୟନ ପ୍ରକ୍ରିୟା ଗୁଜରାଟର ଅହମଦାବାଦରେ ହୋଇଥିଲା। ଏଥିରେ ଭୁବନେଶ୍ୱରର ଲୟୋଲା ସ୍କୁଲ ପକ୍ଷରୁ ଅର୍ଣ୍ଣବ ଓଡ଼ିଶା ଟିମରେ ରହିଥିଲେ। ଅମହଦାବାଦରେ ଓଡ଼ିଶା ଟିମ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଅର୍ଣ୍ଣବଙ୍କ ପ୍ରଦର୍ଶନ ଦମଦାର ରହିଥିଲା। ଉକ୍ତ ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ସ୍କୁଲ କ୍ରିକେଟ ଟିମରେ ସୁଯୋଗ ମିଳିଛି।
ନୟାପଲ୍ଲୀରେ ଥିବା ଲାଇଭ ଲିଜେଣ୍ଟ କ୍ରିକେଟ କ୍ଲବ(LLCC)ରେ ପ୍ରାୟ ୨ ବର୍ଷ ହେଲା କ୍ରିକେଟ ଅଭ୍ୟାସ କରି ଆସୁଛନ୍ତି ଅର୍ଣ୍ଣବ। କୋଚ ଭାରତ କେଶରୀ ଦାସ ଓ ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଦୈନିକ ୬ରୁ ୭ ଘଣ୍ଟା ସେ ଅଭ୍ୟାସ କରୁଥିଲେ। ଉକ୍ତ ଅଭ୍ୟାସ ଯୋଗୁ ଏବେ ଅର୍ଣ୍ଣବ ମାତ୍ର ୧୩ ବର୍ଷ ବୟସରେ ସ୍କୁଲସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଛନ୍ତି। ଅଲରାଣ୍ଡର ଭାବେ ତାଙ୍କୁ ଟିମରେ ସୁଯୋଗ ମିଳିଛି।
ଓଡ଼ିଶା ପାଇଁ ଜାତୀୟ ସ୍ତରରେ ସଫଳତା ହାସଲ କରିଥିବା ଅର୍ଣ୍ଣବ ଏଥିପାଇଁ ସବୁ ଶ୍ରେୟ ଏଲଏଲସିସି ଦୁଇ କୋଚ ଶ୍ରୀ ଦାସ ଓ ଶ୍ରୀ ସାହୁଙ୍କୁ ଦେଇଛନ୍ତି। ତାଙ୍କ ବାପା ଉତ୍ତମ କୁମାର ଦାସ ମଧ୍ୟ ପୁଅର ସଫଳତା ପାଇଁ ଏଲଏଲସିସି କ୍ଲବକୁ ସବୁ ଶ୍ରେୟ ଦେଇଛନ୍ତି। କ୍ଲବର ଦୁଇ କୋଚଙ୍କ ଅଦ୍ୟମ ପରିଶ୍ରମ ଓ ପୁଅର ଇଚ୍ଛା ଶକ୍ତି ପାଇଁ ଏପରି ସଫଳତା ମିଳିଥିବା ସେ କହିଛନ୍ତି।
ଅର୍ଣ୍ଣବଙ୍କ ବ୍ୟତୀତ ଭାରତୀୟ ଟିମରେ କର୍ଣ୍ଣାଟକରୁ ୩ ଜଣ, ପଶ୍ଚିମବଙ୍ଗରୁ ୨ ଜଣ, ତାମିଲନାଡୁ, ୟୁପି, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର ଓ ଗୋଆରୁ ମଧ୍ୟ ଖେଳାଳି ରହିଛନ୍ତି। ମୋଟ ୧୬ ଜଣିଆ ଟିମ ଏସଜିଏଫଆଇ ଘୋଷଣା କରିଛି। ଦଳର ଅଧିନାୟକ ଭାବେ ବିଦ୍ଧାନ ଲୋୟାଲକା ନିଯୁକ୍ତି ପାଇଥିବା ବେଳେ ଉପ ଅଧିନାୟକ ଦାୟିତ୍ୱ ଆର୍ଯ୍ୟନ ଥାପ୍ପାଙ୍କୁ ମିଳିଛି। ୱିକେଟ କିପର ଭାବେ ଦଳରେ କାର୍ତ୍ତିକ ରବୀନ୍ଦ୍ରନ ରହିଛନ୍ତି।
୧୬ ଜଣିଆ ଟିମ: ବିଦ୍ଧାନ ଲୋୟାଲକା(ଅଧିନାୟକ), ଆର୍ଯ୍ୟନ ଥାପ୍ପା(ଉପ ଅଧିନାୟକ), କାର୍ତ୍ତିକ ରବୀନ୍ଦ୍ରନ(ୱିକେଟ କିପର), କେ ସାଇ ସମରନ ରେଡ୍ଡୀ, ଯୁବରାଜ ଶର୍ମା, ମିଧାଂଶୁ ଦାସ, ସୁହାନ ବି, ବିଭାନ ସିଂହ, ନିର୍ମୟ ପି, ରେନିଶ ଚୌଧୁରୀ, ଆୟୁରଦ ଦାସ, ଏ ଯୋଗେଶ ରାଠୀ, ଦେବ ମନୋଜ କୁମାର, ଅନୟମ ମାଥ୍ରେ, ଭବ୍ୟ ଧନାନି ଓ ଏ ତରୁନ କୁମାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
