/odisha-reporter/media/media_files/2025/11/19/swastik-2025-11-19-16-47-40.jpg)
ମ୍ୟାନ ଅଫ ଦ ମ୍ୟାଚ୍ ସ୍ୱସ୍ତିକଙ୍କ ସହ ଶୁଭ୍ରାଂଶୁ
ଲଗାତର ଚଳିତ ରଣଜୀ ଟ୍ରଫି(Ranji Trophy)ରେ ହାରି ଚାଲିଥିବା ଓଡ଼ିଶା ଶେଷରେ ବିଜୟ ସ୍ୱାଦ ପାଇଛି। ଅପେକ୍ଷାକୃତ ଦୁର୍ବଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶାକୁ ଚଳିତ ରଣଜୀ ସିଜିନରେ ମିଳିଛି ପ୍ରଥମ ବିଜୟ। ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ମ୍ୟାଚ୍କୁ ଓଡ଼ିଶା ୨୯୯ ରନରେ ଜିତି ନେଇଛି।
ପ୍ରଥମ ଇନିଂସରେ ଅନୀଲ ପରିଡା, ଦ୍ୱିତୀୟ ଇନିଂସରେ ଯୁବ ଓପନର୍ ସ୍ୱସ୍ତିକ ସାମଲ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଶତକ ବଳରେ ଓଡ଼ିଶାକୁ ଏହି ବିଜୟ ମିଳିଛି। ସେହିପରି ବୋଲିଂରେ ଗୋବିନ୍ଦ ପୋଦ୍ଦାର ଦ୍ୱିତୀୟ ଇନିଂସରେ ୫ ୱିକେଟ ନେବାରୁ ନାଗାଲାଣ୍ଡ ୧୬୫ ରନରେ ଅଲଆଉଟ ହୋଇଯାଇଛି।
ଭ୍ରମଣକାରୀ ନାଗାଲାଣ୍ଡ ସମ୍ମୁଖରେ ଓଡ଼ିଶା ୪୬୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ପିଛା କରି ନାଗାଲାଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୪୧ ରନ୍ କରିଥିଲା। ଆଜି ଓଡ଼ିଶା ଟିମ ବାକି ୯ ୱିକେଟ ଦଖଲ କରି ୨୯୯ ରନରେ ବିଜୟୀ ହୋଇଛି। ନାଗାଲାଣ୍ଡ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଓଡ଼ିଶା ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ନାଗାଲାଣ୍ଡର କୋଚ ଏବେ ଦେବାଶିଷ ମହାନ୍ତି ଥିଲେ ହେଁ ଓଡ଼ିଶା ସାମ୍ନାରେ ତାଙ୍କ ରଣନୀତି କାମ କରିନାହିଁ।
ଓଡ଼ିଶା ଚଳିତ ରଣଜୀରେ ଏଯାଏ ୫ ମ୍ୟାଚ୍ ଖେଳିଥିବା ବେଳେ ଆଜି ପ୍ରଥମ ବିଜୟ ପାଇଛି। ୫ ମ୍ୟାଚ୍ ପରେ ଓଡ଼ିଶାର ପଏଣ୍ଟ ସଂଖ୍ୟା ମାତ୍ର ୭ ରହିଛି।
ଏହାପୂର୍ବରୁ ଓଡ଼ିଶା ୧୦୦ ରନରେ ବିଦର୍ଭ ଠାରୁ ହାରିଥିଲା।
ସେହିପରି ଦଳ ବାରବାଟୀ ଷ୍ଟାଡିୟମରେ ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ ଏବଂ ବରୋଦା ଠାରୁ ୭ ୱିକେଟରେ ହାରି ଯାଇଥିଲା। ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା(Odisha)ର ମୁକାବିଲା ଉତ୍ତର ପ୍ରଦେଶ ସହ ହୋଇଥିଲା। ଏହି ମ୍ୟାଚ୍ ଡ୍ର ରହିଥିଲେ ହେଁ ଉତ୍ତର ପ୍ରଦେଶ ପ୍ରଥମ ଇନିଂସର ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଓ ଓଡ଼ିଶା ୧ ପଏଣ୍ଟ ପାଇଥିଲା।
ନାଗାଲାଣ୍ଡ ମ୍ୟାଚ୍କୁ ବିଚାରକୁ ନେଲେ ଓଡ଼ିଶା ପ୍ରଥମ ଇନିଂସରେ ଅନୀଲ ପରିଡ଼ାଙ୍କ ଅପରାଜିତ ୧୧୮ ଓ ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ୯୨ ରନ ବଳରେ ସମସ୍ତ ୱିକେଟ ହରାଇ ୨୭୫ ରନ କରିଥିଲା। ଏହାର ଜବାବରେ ନାଗାଲାଣ୍ଡ ପ୍ରଥମ ଇନିଂସରେ କେବଳ ୧୬୧ ରନ କରିପାରିଥିଲା। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ଗୋବିନ୍ଦ ପୋଦ୍ଦାର ଓ ସମ୍ବିତ କୁମାର ବରାଳ ୩ଟି ଲେଖାଏ ସଫଳତା ପାଇଥିଲେ। ତାପସ ଦାସଙ୍କୁ ଗୋଟିଏ ୱିକେଟ ମିଳିଥିଲା।
ପ୍ରଥମ ଇନିଂସରେ ୧୧୪ ରନର ଲଡ ପାଇଥିବା ଓଡ଼ିଶା ପାଇଁ ଦ୍ୱିତୀୟ ଇନିଂସରେ ସ୍ୱସ୍ତିକ ଓ ଶୁଭ୍ରାଂଶୁ ଶତକ ହାସଲ କରିଥିଲେ। ସ୍ୱସ୍ତିକ ୧୬୯ ଓ ଶୁଭ୍ରାଂଶୁ ୧୩୭ ରନ କରିବାରୁ ଓଡ଼ିଶା ଏକଦା ୫ ୱିକେଟ ହରାଇ ୩୫୦ ରନ କରି ନେଇଥିଲା।
ଏହି ସମୟରେ ଦଳ ନିଜର ଦ୍ୱିତୀୟ ପାଳି ଘୋଷଣା କରିବାରୁ ନାଗାଲାଣ୍ତକୁ ବିଜୟ ପାଇଁ ବିଶାଳ ୪୬୫ ରନର ଟାର୍ଗେଟ ମିଳିଥିଲା। ଏହାକୁ ପିଛା କରୁଥିବା ନାଗାଲାଣ୍ଡ କେବଳ ୧୬୫ ରନ କରିବାକୁ ସକ୍ଷମ ହୋଇଛି। ଓଡ଼ିଶା ୨୯୯ ରନରେ ମ୍ୟାଚ୍ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱସ୍ତିକ ସାମଲଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
