୨୦୨୩ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଅଛି। ତା’ ପୂର୍ବରୁ ନିଜର ୨୦୨୩ ଟେଷ୍ଟ୍ ଟିମ୍ ଘୋଷଣା କରିଛନ୍ତି ବରିଷ୍ଠ ଭାଷ୍ୟକାର ତଥା କ୍ରିକେଟ ସମୀକ୍ଷକ ହର୍ଷ ଭୋଗଲେ। ଏହି ଟିମ୍ରେ ମାତ୍ର ୨ ଜଣ ଭାରତୀୟ ଖେଳାଳି ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି କି ମହମ୍ମଦ ଶାମିଙ୍କ ନାଁ ଏଥିରେ ନାହିଁ।
ଓପନିଂ ପାଇଁ ହର୍ଷ ତାଙ୍କ ଟେଷ୍ଟ ଟିମ୍ରେ ଅଷ୍ଟ୍ରେଲିଆର ଉସମାନ ଖ୍ୱାଜା ଓ ଇଂଲଣ୍ଡର ଜ୍ୟାକ୍ କ୍ରାଓଲୀଙ୍କୁ ବାଛିଛନ୍ତି। ଖ୍ୱାଜା ଚଳିତ ବର୍ଷ ୧୨ଟି ମ୍ୟାଚ୍ରୁ ୧୨୧୦ ରନ୍ କରିଥିବା ବେଳେ ତା’ ମଧ୍ୟରେ ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ରହିଛି। ସେହିଭଳି ଜ୍ୟାକ୍ କ୍ରାଓଲୀ ୮ଟି ମ୍ୟାଚ୍ରୁ ୬୦୦ରୁ ଅଧିକ ରନ୍ କରିଛନ୍ତି। ସେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ କରିଛନ୍ତି।
ମିଡିଲ୍ ଅର୍ଡର ପାଇଁ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ ଓ ଇଂଲଣ୍ଡର ଜୋ ରୁଟ୍ ଏବଂ ହ୍ୟାରୀ ବ୍ରୁକ୍ଙ୍କୁ ନେଇଛନ୍ତି ହର୍ଷ। କେନ୍ ୱିଲିୟମସନ ୭ଟି ମ୍ୟାଚ୍ରୁ ୬୯୫ ରନ୍ କରିଥିବା ବେଳେ ରୁଟ୍ ଓ ବ୍ରୁକ୍ ୭୦୦ରୁ ଅଧିକ ଲେଖାଏଁ ରନ୍ କରିଛନ୍ତି। ରୁଟ୍ ଓ ବ୍ରୁକ ୮ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି।
ୱିକେଟ୍ କିପର ଭାବେ ହର୍ଷ ବାଛିଛନ୍ତି ନ୍ୟୁଜିଲ୍ୟାଣ୍ଡର ଟମ୍ ବ୍ଲଣ୍ଡେଲଙ୍କୁ। ଅଲ୍ରାଉଣ୍ଡର ଭାବେ ହର୍ଷ ଦୁଇ ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇଛନ୍ତି।
ବୋଲିଂ ପାଇଁ ହର୍ଷଙ୍କ ଟେଷ୍ଟ ଟିମ୍ରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ୍, ଇଂଲଣ୍ଡର ଷ୍ଟୁଆର୍ଟ ବ୍ରୋଡ୍। ଚଳିତ ବର୍ଷ ଷ୍ଟୁଆର୍ଟ ବ୍ରୋଡ୍ ଅବସର ଘୋଷଣା କରି ସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।