Advertisment

ଔଦ୍ଧତ୍ୟର ସୀମା ଟପିଲେ ପାକିସ୍ତାନର ହାରିଶ ରୌଫ ଓ ଶାହିବଜାଦା ଫରହାନ, ଔଷଧ ବିକଳରେ ତାଟିଆ କାମୁଡ଼ିଲେ

ରବିବାର ସୁପର ୪ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମା ଓ ଶୁବମନ ଗିଲ ଆରମ୍ଭରୁ ପ୍ରତିଟି ବୋଲରଙ୍କୁ ନିସ୍ତୁକ ପିଟିଥିଲେ। ଏଥିରେ ହତାଶ ହୋଇ ପଡ଼ିଥିବା ପାକିସ୍ତାନୀ ବୋଲର ହାରିଶ ରୌଫ କେବଳ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବ୍ୟବହାର କରିଛନ୍ତି।

author-image
Hemant Lenka
Pakistan

Pakistan

ଯେତେ ଯାହା କଲେ ବି ପାକିସ୍ତାନୀ କେବେ ବି ସୁଧୁରିବେ ନାହିଁ। ଭାରତ ଠାରୁ ଯୁଦ୍ଧ ଓ କ୍ରିକେଟରେ ବାରମ୍ବାର ହାରିଲେ ବି ପାକିସ୍ତାନୀଙ୍କ ମନ ବୁଝୁ ନାହିଁ। ଏସିଆ କପର ଗ୍ରୁପ ପର୍ଯ୍ୟାୟ ଭଳି ସୁପର ୪ରେ ମଧ୍ୟ ଭାରତ ଠାରୁ ପରାସ୍ତ ହୋଇଛି ପାକିସ୍ତାନ। ଏହା ସତ୍ତ୍ୱେ ପାକିସ୍ତାନୀ କ୍ରିକେଟରଙ୍କ ଗର୍ବ ଭାଙ୍ଗି ନାହିଁ।

Advertisment

ରବିବାର ସୁପର ୪ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମା ଓ ଶୁବମନ ଗିଲ ଆରମ୍ଭରୁ ପ୍ରତିଟି ବୋଲରଙ୍କୁ ନିସ୍ତୁକ ପିଟିଥିଲେ। ଏଥିରେ ହତାଶ ହୋଇ ପଡ଼ିଥିବା ପାକିସ୍ତାନୀ ବୋଲର ହାରିଶ ରୌଫ କେବଳ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ବ୍ୟବହାର କରିଛନ୍ତି।

ସେହିପରି ବ୍ୟାଟିଂ ବେଳେ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିବା ପାକିସ୍ତାନୀ ବ୍ୟାଟର ଶାହିବଜାଦା ଫରହାନ ମଧ୍ୟ ସୀମା ଅତିକ୍ରମ କରିଛନ୍ତି। ସେ ୫୦ ରନ ପୂରଣ କରିବା ପରେ ବ୍ୟାଟ୍‌କୁ ବନ୍ଧୁକ ଭଳି ଧରି ଡଗଆଉଟ ଆଡ଼େ ଗୁଳି ମାରିବା ଭଳି ଇଙ୍ଗିତ କରିଥିଲେ। ସେ ବ୍ୟାଟକୁ ବନ୍ଧୁକ ଭଳି ଛାତିରେ ଲଗାଇ ଗୁଳି ମାରିବାର ଇଙ୍ଗିତ କରିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। କ୍ରିକେଟରେ ଏପରି ଆକ୍ରମଣାତ୍ମକ ପ୍ରଦର୍ଶନକୁ ସମସ୍ତେ ନିନ୍ଦା କରିଛନ୍ତି। 

Advertisment

ପାକିସ୍ତାନ ଦେଇଥିବା ୧୭୧ ରନର ପିଛା କରୁଥିବା ଭାରତର ଦୁଇ ଓପନର ଗିଲ ଓ ଅଭିଷେକ ଶର୍ମା ଦମଦାର ପ୍ରଦର୍ଶନ କରିଥିଲେ। ସେମାନେ ବୋଲରଙ୍କୁ ଧୂଲେଇ କରିବାରୁ ପ୍ରଥମେ ଅଭିଷେକ ଓ ଗିଲଙ୍କୁ ଚିଡ଼ାବାକୁ ପାକିସ୍ତାନୀ ବୋଲର ଶାହୀନ ଆଫ୍ରିଦି ଓ ହାରିଶ ରୌଫ ଚେଷ୍ଟା କରିଥିଲେ। ଏଥିରେ ନିରାଶ ହୋଇ ଛେଚା ଖାଇବା ପରେ ରୌଫ ଔଦ୍ଧତ୍ୟର ସବୁ ସୀମା ଟପି ଯାଇଥିଲେ। 

ପଡ଼ିଆ ଭିତରେ ଭାରତୀୟ ବ୍ୟାଟରଙ୍କ ଧୂଲେଇ ପରେ ନିଜର ହତାହିତ ଜ୍ଞାନ ହରାଇଛନ୍ତି ହାରିଶ ରୌଫ। ପ୍ରବଳ ମାଡ଼ ଖାଇବା ପରେ ବାଉଣ୍ଡରୀକୁ ଫିଲ୍ଡିଂ ପାଇଁ ଯାଇଥିବା ରୌଫଙ୍କୁ ଭାରତୀୟ କ୍ରିକେଟ ଫ୍ୟାନ୍ସ ପ୍ରବଳ ଚିଡ଼ାଇଥିଲେ। ବୋଲିଂ କରିବା ବେଳେ ସେ ଅଭିଷେକ ଓ ଗିଲଙ୍କୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ଭାରତୀୟ କ୍ରିକେଟ ଫ୍ୟାନ ‘କୋହଲି, କୋହଲି’ ନାରା ଦ୍ୱାରା ଚିଡ଼ାଇବା ଆରମ୍ଭ କରିଥିଲେ। ପ୍ରଥମେ ରାଗରେ ତମତମ ହେବା ପରେ ରୌଫ ଏମିତି କିଛି ହରକତ କରିଥିଲେ, ଯାହା ବିବାଦ ସ୍ଥିତି ସୃଷ୍ଟି କରିଛି।

ସେ ଭାରତୀୟ ଫ୍ୟାନ୍ସଙ୍କୁ ୬-୦ ଓ ଯୁଦ୍ଧ ବିମାନର ଇସାରା ଦେଇଥିଲେ। ଏହାକୁ ଦେଖି ଭାରତୀୟ ଫ୍ୟାନ୍ସ କୋହଲି, କୋହଲି ନାରାକୁ ଆହୁରି ତୀବ୍ର କରିଥିଲେ। ଏଥିରେ ନିରାଶ ହୋଇ ରୌଫ ଚୁପ ହୋଇ ଯାଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ମେ’ ମାସରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନୀ ଆତଙ୍କବାଦୀ ଓ ସେନାର ଧଜିଆ ଉଡ଼ାଇ ଦେଇଥିଲା। ହେଲେ ପାକିସ୍ତାନ ମିଡିଆ ଏପରି ହାର ପରେ ଭାରତର ୬ଟି ଯୁଦ୍ଧ ବିମାନ ଖସାଇ ଦେଇଥିବାର ଅପପ୍ରଚାର ଆରମ୍ଭ କରିଥିଲା। ଭାରତ କିମ୍ବା କୌଣସି ଅନ୍ତର୍ଜାତୀୟ ସଂସ୍ଥା ନୂଆଦିଲ୍ଲୀର ଯୁଦ୍ଧ ବିମାନ ଖସିଥିବା କଥାକୁ ଏଯାଏ କହି ନଥିଲେ ହେଁ ପାକିସ୍ତାନୀ ମିଡିଆ ଓ ଏହାର ଲୋକମାନେ ଏହି ଅପପ୍ରଚାରକୁ ଜାରି ରଖିଛନ୍ତି।

ଏହିକ୍ରମରେ ରୌଫ ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍‌ ବେଳେ ଯୁଦ୍ଧ ବିମାନ ଓ ୬-୦ର ଇସାରା ଦେଇଥିଲେ। ଏହାକୁ ବିଭିନ୍ନ ମହଲରେ ନିନ୍ଦା ମଧ୍ୟ କରାଯାଇଛି। ହେଲେ ରୌଫ ନିଜ ହରକତକୁ ନେଇ ଆଦୌ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

ପାକିସ୍ତାନ ଏମିତି ଏକ ଦେଶ ଯିଏ ଆଜି ବି ଏପରି ଏକ ମିଥ୍ୟାରେ ବଞ୍ଚିଛି ଯେ ଭାରତ ସହ ସମସ୍ତ ଯୁଦ୍ଧକୁ ସେମାନେ ଜିତିଛନ୍ତି। ଭାରତ ଠାରୁ କ୍ରିକେଟରେ ବାରମ୍ବାର ହାରିବା ସତ୍ତ୍ୱେ ପାକିସ୍ତାନ ନିଜ ଆଚରଣରେ ସୁଧାର ଆଣିବାର ନାଁ ଗନ୍ଧ ଧରୁନାହିଁ।

କ୍ରିକେଟ ମ୍ୟାଚ୍‌ର ସିଧାପ୍ରସାରଣ ହେଉଥିବାରୁ କ୍ରିକେଟରେ ଭାରତ ଠାରୁ ପାକିସ୍ତାନ ହାରୁଥିବା କଥାକୁ ସ୍ୱୀକାର କରୁଛି। ନଚେତ ପାକିସ୍ତାନ କ୍ରିକେଟରେ ଭାରତକୁ ହରାଉଥିବାର ପ୍ରଚାର ମଧ୍ୟ କରିବାକୁ ପଛାଇ ନଥାଆନ୍ତା। ପାକିସ୍ତାନ ଆର୍ମି ଭଳି ପାକିସ୍ତାନୀ କ୍ରିକେଟର ମଧ୍ୟ ମିଥ୍ୟାର ପ୍ରଚାର କରିବାକୁ ଆଦୌ ପଛାଉ ନାହାନ୍ତି।

ନିକଟରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରରେ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ପାକିସ୍ତାନର ୧୧ଟି ଏୟାର ବେସ୍‌ ଛିନଛତ୍ର ହୋଇଯାଇଥିଲା। କିନ୍ତୁ ପାକିସ୍ତାନ ପ୍ରଚାର କରି ଚାଲିଛି ଯେ ସେମାନେ ଭାରତକୁ ହରାଇଛନ୍ତି ଓ ୬ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି। ଏହାର ପ୍ରମାଣ ପାକିସ୍ତାନ ଦେଇ ନଥିବା ବେଳେ ନିଜ ଦେଶର ମିଡିଆରେ ପ୍ରଚାର ହୋଇଥିବା ମିଥ୍ୟା ଖବର ସମସ୍ତଙ୍କୁ ଦେଖାଉଛି। ଏବେ ରୌଫ ମଧ୍ୟ ସୁପର ୪ରେ ସେହି ମିଥ୍ୟାର ପ୍ରଚାର କରିବାକୁ ଚେଷ୍ଟା କରି ଲୋକହସା ହୋଇଛନ୍ତି।

Pakistan Asia Cup Cricket sahibzada-farhan