Advertisment

T20 World Cup: ହ୍ୟାଣ୍ଡଶେକ ବିବାଦ ଠାରୁ ଉସମାନ ତାରିକ ଓ ଅଭିଷେକ ଶର୍ମା: କ’ଣ ସବୁ କହିଲେ ପାକିସ୍ତାନ ଅଧିନାୟକ?

ଆଜି ମଧ୍ୟାହ୍ନରୁ ପୂର୍ବାନୁମାନ ଅନୁସାରେ କଲମ୍ବୋରେ ଧୀରେଧୀରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତକାଲି ବର୍ଷା ହେବାର ଆଶଙ୍କା ୯୩% ରହିଛି। ତଥାପି ଦୁଇ ଦଳ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Pakistan

ପାକିସ୍ତାନ ଅଧିନାୟକ

Advertisment

ଆସନ୍ତାକାଲି ଭାରତ ଓ ପାକିସ୍ତାନ ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆସନ୍ତାକାଲି(T20 World Cup)ର ମ୍ୟାଚ୍‌ ଉପରେ ବର୍ଷାର ଆଶଙ୍କା ଯଥେଷ୍ଟ ରହିଛି। ଆଜି ମଧ୍ୟାହ୍ନରୁ ପୂର୍ବାନୁମାନ ଅନୁସାରେ କଲମ୍ବୋରେ ଧୀରେଧୀରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତକାଲି ବର୍ଷା ହେବାର ଆଶଙ୍କା ୯୩% ରହିଛି। ତଥାପି ଦୁଇ ଦଳ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। 

Advertisment

ମଧ୍ୟାହ୍ନ ସମୟରେ ପାକିସ୍ତାନ କ୍ରିକେଟ ଟିମ ଆର ପ୍ରେମଦାସାରେ ଅଭ୍ୟାସ କରିଛି। ଭାରତୀୟ ଟିମ ସନ୍ଧ୍ୟାରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ବର୍ଷା ଅଭ୍ୟାସ ସେସନ୍ସକୁ ବିଗାଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଗୋଟିଏ ପଟେ ପାକିସ୍ତାନ ଟିମ ଅଭ୍ୟାସ କରୁଥିବା ବେଳେ ଅନ୍ୟପଟେ ପାରମ୍ପରିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦଳର ଅଧିନାୟକ ସଲମାନ ଅଲୀ ଆଘା। 

ସେ ହ୍ୟାଣ୍ଡଶେକ ବିବାଦ ଠାରୁ ଆରମ୍ଭ କରି ଅଭିଷେକ ଶର୍ମାଙ୍କ ଫିଟନେସ ଓ ରହସ୍ୟମୟ ସ୍ପିନର ଉସମାନ ତାରିକଙ୍କ ସମ୍ପର୍କରେ ପଚରା ଯାଇଥିବା ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସଲମାନ ଅଲୀ ଆଘାଙ୍କ ମତରେ ଆଗାମୀ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ଉପଯୁକ୍ତି କ୍ରୀଡ଼ା ଭାବନା ସହ ଖେଳାଯିବା ଦରକାର। ଏଥିସହ ତାଙ୍କ ଟିମ ପାରମ୍ପରିକ ହ୍ୟାଣ୍ତଶେକ ପାଇଁ ମଧ୍ୟ ପ୍ରସ୍ତୁତ ରହିଛି। ସବୁ କିଛି ଭାରତ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି। 

Advertisment

ସଲମାନ କହିଛନ୍ତି, “କ୍ରିକେଟକୁ ଖେଳ ଭାବନାର ସହ ଖେଳାଯିବା ଉଚିତ। ମୋର ବ୍ୟକ୍ତିଗତ ମତ ଗୁରୁତ୍ୱ ବହନ କରେନାହିଁ। କିନ୍ତୁ କ୍ରିକେଟକୁ ସେହିଭଳି ଖେଳାଯିବା ଦରକାର ଯେଉଁ ଭଳି ପୂର୍ବରୁ ହେଉଥିଲା। ସେମାନେ ଆଗକୁ କ’ଣ କରିବେ, ସେସବୁ ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।”

ଏସିଆ କପ ସମୟରେ ହ୍ୟାଣ୍ଡେଶେକକୁ ନେଇ ବିବାଦ ଜାରି ରହିଥିବା ବେଳେ ଟି-୨୦ ବିଶ୍ୱକପରେ ଏହା ଉପରେ ମତ ରଖିଛନ୍ତି ସଲମାନ ଅଲୀ ଆଘା। ଏପ୍ରିଲ ୨୨ ପହଲଗାମ ନରସଂହାର ଯୋଗୁ ଭାରତୀୟ କ୍ରିକେଟ ଟିମ ପାକିସ୍ତାନ ଖେଳାଳିଙ୍କ ସହ ପାରମ୍ପରିକ ଭାବେ ହାତ ମିଳାଇ ନଥିଲା। ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳି ହାତ ମିଳାଇବାକୁ ଅପେକ୍ଷା କରିଥିଲେ ହେଁ ସୂର୍ଯ୍ୟ କୁମାର ଯାଦବ କିମ୍ବା ଭାରତର କୌଣସି କ୍ରିକେଟର ହାତ ମିଳାଇ ନଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ସେହିପରି ଏସିଆ କପ ଜିତିବା ପରେ ମଧ୍ୟ ଭାରତୀୟ ଖେଳାଳି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶୀନ ନକଭୀଙ୍କ ଠାରୁ ଟ୍ରଫି ଗ୍ରହଣ କରି ନଥିଲେ। 

କ’ଣ ଭାରତ ଟି-୨୦ ବିଶ୍ୱକପ ମ୍ୟାଚ୍‌ ସମୟରେ ରାଜି ହେଲେ ପାକିସ୍ତାନ ଖେଳାଳି ସେମାନଙ୍କ ସହ ହାତ ମିଳାଇବେ କି ପ୍ରଶ୍ନରେ ସଲମାନ ଅଲୀ ଆଘା କହିଛନ୍ତି ଯେ “ଆପଣମାନେ ଆସନ୍ତାକାଲି ସବୁ ଜାଣିବେ।” 

ଉସମାନ ତାରିକଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚା ସମ୍ପର୍କରେ ସଲମାନ ଅଲୀ ଆଘା କହିଛନ୍ତି ଯେ “ଆମ ପାଇଁ ସମସ୍ତ ଖେଳାଳି ସମାନ। ଆପଣମାନେ ହିଁ ଉସମାନ ତାରିକଙ୍କୁ ବଡ଼ କରି ଦେଖାଇଛନ୍ତି। ସେ ଭଲ ବୋଲିଂ କରୁଛନ୍ତି। ସେ ଆମର ଟ୍ରମ୍ପ କାର୍ଡ।” ତାରିକଙ୍କ ବିରଳ ଆକ୍ସକୁ ନେଇ ବିତର୍କ ଚାଲିଥିବା ବେଳେ ଏହାକୁ ନେଇ ସଲମାନ ଆଦୌ ବ୍ୟସ୍ତ ନୁହନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି, “ଉସମାନଙ୍କ ବୋଲିଂକୁ ଆଇସିସି ଦୁଇ ଥର ଅନୁମୋଦନ କରିଛି। ମୁଁ ଜାଣିପାରୁନି ଯେ ତାଙ୍କ ଆକ୍ସନକୁ ନେଇ କାହିଁକି ଏତେ ବତର୍କ ଚାଲିଛି। ଏହି ବିତର୍କକୁ ଉସମାନ କିମ୍ବା ଆମେ କେବି ବି ଗୁରୁତ୍ୱ ଦେଉନାହୁଁ।” 

ବିଶ୍ୱକପ କଥା ଦେଖିଲେ ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ ନଥିବା କଥାକୁ ସ୍ୱୀକାର କରିଛନ୍ତି ସଲମାନ। ସେ କହିଛନ୍ତି, “ଆମେ ଇତିହାସକୁ ବଦଳାଇ ପାରିବୁ ନାହିଁ। ବିଶ୍ୱକପରେ ଆମ ରେକର୍ଡ ଭାରତ ବିପକ୍ଷରେ ଭଲ ନୁହେଁ। କିନ୍ତୁ ଆମେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ।” 

ଭେଟରାନ ବ୍ୟାଟର ବାବର ଆଜାମଙ୍କ ଫର୍ମ ଓ ଧିମା ବ୍ୟାଟିଂକୁ ନେଇ ସେ ଆଦୌ ବ୍ୟସ୍ତ ନଥିବା ମଧ୍ୟ କହିଛନ୍ତି। ସଲମାନ ଅଲୀ ଆଘା କହିଛନ୍ତି, “ବବାର ଆଜମ ଆମ ଚିନ୍ତାର ବିଷୟ ନୁହନ୍ତି। ସେ ରନ କରୁଛନ୍ତି। ଆମର ଆଶା ସେ ସ୍କୋର କରିବେ ଓ ଆମକୁ ଆସନ୍ତାକାଲି ସହଯୋଗ କରିବେ। ଆମେ ବ୍ୟାଟିଂ ନମ୍ବରରେ ଅଧିକ ପରିବର୍ତ୍ତନ କରିବାକୁ ଚାହୁଁନୁ।” 

ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ସମ୍ପର୍କରେ ମଧ୍ୟ ବଡ଼ ବୟାନ ଦେଇଛନ୍ତି ସଲମାନ। ଅସୁସ୍ଥତା କାରଣରୁ ଅଭିଷେକ ଶର୍ମା ନାମିବିୟା ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ। ଆସନ୍ତାକାଲି ସେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେ କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ଅଭିଷେକ ଶର୍ମା ଆସନ୍ତାକାଲି ମ୍ୟାଚ୍‌ ଖେଳନ୍ତୁ ବୋଲି କହିଛନ୍ତି ସଲମାନ।

ସେ କହିଛନ୍ତି, “ମୁଁ ଭାବୁଛି ଅଭିଷେକ ଶର୍ମା ଆସନ୍ତକାଲି ଖେଳନ୍ତୁ। ମୋର ଆଶା ସେ ସୁସ୍ଥ ହୋଇଯିବେ। ଆମେ ଗୋଟିଏ ଶ୍ରେଷ୍ଠ ଟିମ ବିପକ୍ଷରେ ଖେଳିବାକୁ ଚାହୁଁଛୁ। କାରଣ ପଛରେ ଲୋକ କିଛି କହିବାକୁ ସୁଯୋଗ ପାଆନ୍ତୁ ବୋଲି ଆମେ ଚାହୁଁନୁ।” 

ଟସ୍‌ ଓ ପାଣିପାଗ ଉପରେ ସଲମାନ ଅଲୀଙ୍କ କହିବା କଥା ଯେ ଯିଏ ଭଲ କ୍ରିକେଟ ଖେଳିବ, ସିଏ ଜିତିବ। ଟସ୍‌ କୌଣସି ମ୍ୟାଚ୍‌ର ରେଜଲ୍ଟକୁ ନିର୍ଣ୍ଣୟ କରିବ ନାହିଁ। ଯଦି ଆପଣ ଭଲ କ୍ରିକେଟ ଖେଳିବେ, ତା’ହେଲେ ନିଶ୍ଚିତ ଜିତିବେ। କ୍ରିକେଟ ଗୁରୁତ୍ୱ ରଖେ, ଟସ ନୁହେଁ। ସେହିପରି ପାଣିପାଗ କାହା ନିୟନ୍ତ୍ରଣରେ ନାହିଁ ବୋଲି ସଲମାନ ଅଲୀ ଆଘା କହିଛନ୍ତି।

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe