Advertisment

ଏସିସି ଇମର୍ଜିଂ ଏସିଆ କପ୍‌: ୩୦ ବର୍ଷୀୟ ତାହିରଙ୍କ ଶତକରେ ପାକିସ୍ତାନ ଏ ଚାମ୍ପିୟନ

ଭାରତୀୟ ଟିମରେ ସବୁ ଖେଳାଳିଙ୍କ ବୟସ ସର୍ବାଧିକ ୨୩ କିମ୍ବା ୨୨ ମଧ୍ୟରେ ରହିଥିବା ବେଳେ ପାକିସ୍ତାନ କିନ୍ତୁ ଅଭିଜ୍ଞ ଖେଳାଳିଙ୍କୁ ଇମର୍ଜିଂ କପକୁ ଛାଡ଼ିଥିଲେ। ପାକିସ୍ତାନର ଏହି ଅଭିଜ୍ଞତା ମଧ୍ୟ କାମରେ ଆସିଛି। ବିଶେଷ କରି ତାହିରଙ୍କ ଶତକ ପାକିସ୍ତାନକୁ ବିଜୟୀ କରିବାରେ ସହାୟକ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ଏସିସି ଇମର୍ଜିଂ ଏସିଆ କପ ଜିତିଛି ପାକିସ୍ତାନ ଏ। ଦଳ ଫାଇନାଲରେ ଭାରତ ଏ’କୁ ୧୨୮ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଏ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୫୨ ରନ କରିଥିଲା। ଏହାର ଜବାବରେ ୟଶ ଧୂଲଙ୍କ ଭାରତୀୟ ଟିମ ୪୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୨୪ ରନ କରିବାକୁ ସକ୍ଷମ ହୋଇଛି।

Advertisment

ଏସିସି ଇମର୍ଜିଂ କପର ଗ୍ରୁପ୍‌ ପର୍ଯ୍ୟାୟରେ ଭାରତୀୟ ଏ ଟିମ ପାକିସ୍ତାନ ଏକ ଟିମକୁ ୮ ୱିକେଟରେ ହରାଇଥିଲା। କିନ୍ତୁ ଫାଇନାଲ ମ୍ୟାଚ୍‌ରେ ଦଳକୁ ଏକତରଫା ପରାଜୟ ବରଣ କରିବାକୁ ପଡ଼ିଛି।

ପାକିସ୍ତାନର ଏହି ବଡ଼ ବିଜୟରେ ତାୟବ ତାହିର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହା ଏସିସି ଇମର୍ଜିଂ କପ ହୋଇଥିଲେ ହେଁ ପାକିସ୍ତାନ ଏ ପଟୁ ୩୦ ବର୍ଷୀୟ ତାହିର ଖେଳୁଥିଲେ। ସେ ଭାରତୀୟ ବୋଲରଙ୍କୁ କଡ଼ା ପ୍ରହାର କରିବା ସହ ୭୧ ବଲରେ ୧୦୮ ରନର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ପୂରା ମ୍ୟାଚ୍‌ରେ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା।

Advertisment

ଭାରତୀୟ ଟିମରେ ସବୁ ଖେଳାଳିଙ୍କ ବୟସ ସର୍ବାଧିକ ୨୩ କିମ୍ବା ୨୨ ମଧ୍ୟରେ ରହିଥିବା ବେଳେ ପାକିସ୍ତାନ କିନ୍ତୁ ଅଭିଜ୍ଞ ଖେଳାଳିଙ୍କୁ ଇମର୍ଜିଂ କପକୁ ଛାଡ଼ିଥିଲା। ପାକିସ୍ତାନର ଏହି ଅଭିଜ୍ଞତା ମଧ୍ୟ କାମରେ ଆସିଛି। ବିଶେଷ କରି ତାହିରଙ୍କ ଶତକ ପାକିସ୍ତାନକୁ ବିଜୟୀ କରିବାରେ ସହାୟକ ହୋଇଛି।  

ତାହିରଙ୍କ ବ୍ୟତୀତ ସାମି ଆୟୁବ ୫୯, ଶାହିବଜାଦା ଫରହାନ ୬୫, ଓମେର ୟୁସୁଫ ୩୫ ଓ ମୁବାସିର ଖାନ ୩୫ ରନର ଇନିଂସ ଖେଳିଥିଲେ। ଏହି ସବୁ ଇନିଂସକୁ ମିଶାଇ ପାକିସ୍ତାନ ୫୦ ଓଭରରେ ୮ ୱିକେଟ ହରାଇ ବିଶାଳ ୩୫୨ ରନ କରିଥିଲା।

ଭାରତ ପକ୍ଷରୁ ରିୟାନ ପରାଗ ଓ ରାଜବର୍ଦ୍ଧନ ହଙ୍ଗରେକର ୨ଟି ଲେଖାଏ ସଫଳତା ପାଇଥିବା ବେଳେ ହର୍ଷିତ ରାଣା, ମାନବ ସୁତାର ଓ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଫାଇନାଲ ମ୍ୟାଚରେ ୩୫୩ ରନର ଲକ୍ଷ୍ୟ ଭାରତର ଜୁନିୟର ଟିମ ପାଇଁ ବେଶ କଷ୍ଟସାଧ୍ୟ ଥିଲା। ତେବେ ଦଳର ଦୁଇ ଓପର ଅଭିଷେକ ଶର୍ମା ଓ ସାଇ ସୁଦର୍ଶନ ଠିକଠାକ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୬୪ ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ସୁଦର୍ଶନ(୨୯) ଅର୍ଶଦ ଇକବାଲଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ନିଖିନ ଜୋସ ୧୧ ରନ କରିଥିବା ବେଳେ ଅମ୍ପାୟାରଙ୍କ ଖରାପ ନିଷ୍ପତ୍ତିରେ ମହମ୍ମଦ ୱାସିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ଏହାପରେ ସେମି ଫାଇନାଲର ହିରୋ ତଥା ଅଧିନାୟକ ଧୂଲ ଓ ଅଭିଷେକ ଶର୍ମା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଅଭିଷେକ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସୁଫିୟାନ ମୁକୀମ ତାଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅଭିଷେକ ୫୧ ବଲରେ ୬୧ ରନ କରି ଆଉଟ ହୋଇଥିଲେ। ତାଙ୍କ ପରେ ଆଉ କୌଣସି ଭାରତୀୟ ବ୍ୟାଟର ପାକିସ୍ତାନ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ।

ନିଶାନ୍ତ ସିନ୍ଧୁ ୧୦ ରନରେ ଆଉଟ ହୋଇଥିବା ବେଳେ ଧୂଲ ଛକା ମାରିବା ଲୋଭରେ ୩୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେ ଆଉଟ ହେବା ପରେ ଭାରତର ହାରିବା ଏକ ପ୍ରକାରର ସୁନିଶ୍ଚିତ ହୋଇ ଯାଇଥିଲା। କେବଳ ଔପଚାରିକତା ବାକି ରହିଥିଲା। ୬ନଂରେ ଆସିଥିବା ଧ୍ରୁବ ଜୁରେଲ୯ ରନ, ୭ନଂରେ ଆସିଥିବା ରିୟାନ ପରାଗ ୧୪ ରନ ଓ ୮ ନଂ ବ୍ୟାଟର ରାଣା କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ।

ହଙ୍ଗେରକର ମଧ୍ୟ କେବଳ ୧୧ ରନ କରି ଅର୍ଶଦ ଇକାବଲଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ। ଶେଷରେ ଯୁବରାଜ ସିଂହ ଡୋଡିୟାଲଙ୍କୁ ଆଉଟ କରି ମହମ୍ମଦ ୱାସିମ ଭାରତୀୟ ଏ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଭାରତ ୨୨୪ ରନରେ ଅଲଆଉଟ ହେବାରୁ ପାକିସ୍ତାନ ଏ ୧୨୮ ରନରେ ମ୍ୟାଚ୍‌ ସହ ଏସିସି ଇମର୍ଜିଂ କପ ଜିତିଛି। ୨୦୧୯ରେ ମଧ୍ୟ ପାକିସ୍ତାନ ଚାମ୍ପିୟନ ହୋଇଥିଲା।

ପାକିସ୍ତାନ ପକ୍ଷରୁ ସୁଫିୟାନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ୱାସିମ, ଇକବାଲ ଓ ମେହରାନ ମୁମତାଜ ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ମୁବାସିର ଖାନଙ୍କ ଖାତକୁ ଗୋଟିଏ ୱିକେଟ ଯାଇଛି। 

ଅନ୍ୟପକ୍ଷରେ ପୂରା ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ବୋଲିଂ କରିଥିବା ଭାରତର ନିଶାନ୍ତ ସିନ୍ଧୁ(୧୧ ୱିକେଟ)ଙ୍କୁ ପ୍ଲେୟାର ଅଫ ଦି ସିରିଜ ପୁରସ୍କାର ମିଳିଛି। ସେହିପରି ତାହିର ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। 

Indian Cricket Team