/odisha-reporter/media/post_attachments/uploadimage/library/16_9/16_9_0/Pakistan_1700564921.jpg)
Pakistan
ବିଶ୍ୱକପ ବିପର୍ଯ୍ୟୟ ପରେ ପାକିସ୍ତାନ କ୍ରିକେଟ ଟିମ ଏବେ ନୂଆ ରୂପରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛି। ବିଶ୍ୱକପରୁ ବିଦା ହେବା ପରେ ପାକିସ୍ତାନର ବୋଲିଂ କୋଚ୍ ମର୍ଣ୍ଣି ମୋର୍କେଲ ଇସ୍ତଫା ଦେଇଥିଲେ। ଏହାପରେ ଅଧିନାୟକ ବାବର ଆଜମ ମଧ୍ୟ ତାଙ୍କ ପଦ ଛାଡ଼ିଥିଲେ। ଏମାନଙ୍କ ପୂର୍ବରୁ ପାକିସ୍ତାନ ଜାତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ ଉଲ ହକ ସମାନ ପଦକ୍ଷେପ ନେଇଥିଲେ।
ଏବେ ପାକିସ୍ତାନ ନୂଆ ମ୍ୟାନେଜମେଣ୍ଟ ସହ ମୈଦାନାକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ପ୍ରଥମେ ପାକିସ୍ତାନ କ୍ରିକେଟ ବୋର୍ଡ ପୂର୍ବତନ କ୍ରିକେଟର ୱାହାବ ରିୟାଜଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦେଇଥିଲା। ସେ ମଧ୍ୟ ନିଜ ଦାୟିତ୍ୱ ଗ୍ରହଣ କରି ଆସନ୍ତା ମାସରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିଛନ୍ତି। ବାବର ପଦ ଛାଡ଼ି ଦେଇଥିବାରୁ ଶାନ ମସୁଦ ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ହୋଇଛନ୍ତି।
ଶାନ ମସୁଦ ଟେଷ୍ଟ ଟିମର କ୍ୟାପ୍ଟେନ ହୋଇଥିବା ବେଳେ ଶାହୀନ ଶାହ ଆଫ୍ରିଦି ଟି-୨୦ରେ ପାକିସ୍ତାନର ମଙ୍ଗ ସମ୍ଭାଳିବେ। ସେହିପରି ପୂର୍ବତନ କ୍ରିକେଟର ମହମ୍ମଦ ହାଫିଜଙ୍କୁ ଜାତୀୟ ଟିମର ଡିରେକ୍ଟର ଅଫ କ୍ରିକେଟ ଭାବେ ଦାୟିତ୍ୱ ମିଳିଛି।
ଚୟନକର୍ତ୍ତା ଓ ଅଧିନାୟକ ପରେ ଆଜି ପାକିସ୍ତାନ କ୍ରିକେଟ ବୋର୍ଡ ଦୁଇ ପୂର୍ବତନ ଖେଳାଳିଙ୍କୁ ଦଳର ବୋଲିଂ କୋଚ୍ ଭାବେ ନିଯୁକ୍ତି ଦେଇଛି। ପିସିବି ଉମର ଗୁଲଙ୍କୁ ଦଳର ଦ୍ରୁତି ବୋଲିଂ କୋଚ ଓ ସୟିଦ ଅଜମଲଙ୍କୁ ସ୍ପିନ ବୋଲିଂ କୋଚ୍ ଭାବେ ଦାୟିତ୍ୱ ଦେଇଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଠାରୁ ଉମର ଓ ଅଜମଲ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟରେ କାମ ଆରମ୍ଭ କରିବେ।
ଉମର ଗୁଲ୍ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ବୋଲିଂ କୋଚ ହୋଇଛନ୍ତି। ସେ ୨୦୨୩ ମାର୍ଚ୍ଚରେ ଆଫଗାନିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ପାକିସ୍ତାନର ବୋଲିଂ କୋଚ ଥିଲେ। ୨୦୨୧ ଟି-୨୦ ବିଶ୍ୱକପ ବେଳେ ଗୁଲ୍ ଆଫଗାନିସ୍ତାନର ବୋଲିଂ କୋଚ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏବେ ସେ ପାକିସ୍ତାନର ଫାଷ୍ଟ ବୋଲିଂ କୋଚର ଦାୟିତ୍ୱ ପାଇଥିବାରୁ ପିସିବିକୁ ଧନ୍ୟବାଦ ଦେଇଛନ୍ତି।
୨୦୦୩ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିବା ଉମର ଗୁଲ୍ ୪୭ ଟେଷ୍ଟରେ ୧୬୩ ୱିକେଟ, ୧୩୦ ଦିନିକିଆରେ ୧୭୯ ୱିକେଟ ଓ ୬୦ ଟି-୨୦ରେ ୮୫ ୱିକେଟ ନେଇଥିଲେ। ସେ ୨୦୦୩ରୁ ୨୦୧୬ ଯାଏ ପାକିସ୍ତାନ ପାଇଁ କ୍ରିକେଟ ଖେଳି ଅନେକ ସଫଳତା ସାଉଁଟି ଥିଲେ।
ସେହିପରି ବିଶ୍ୱର ପୂର୍ବତନ ୧ନଂ ବୋଲର ଅଜମଲ ୨୦୦୮ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ। ସେ ଦେଶ ପାଇଁ ୩୫ ଟେଷ୍ଟ, ୧୧୩ ଦିନିକିଆ ଓ ୬୪ ଟି-୨୦ ମ୍ୟାଚ ଖେଳି ମୋଟ ୪୪୭ ୱିକେଟ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
