ପ୍ରଥମଥର ପାଇଁ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପାକିସ୍ତାନ, ବାବର ବି ନଂ ୧

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଥିଲା। କିନ୍ତୁ ଏବେ ଦଳ ୧୧୩ ପଏଣ୍ଟ ସହ ଅଷ୍ଟ୍ରେଲିଆକୁ ଗୋଟିଏ ସ୍ଥାନ ତଳକୁ ଠେଲି ନଂ ୧ ଟିମ ବନି ଯାଇଛି।

ବାବର ଆଜମ(ମଝି)

  • Published: Saturday, 06 May 2023
  • , Updated: 06 May 2023, 04:50 PM IST

ଆଇସିସିର ଦିନିକିଆ ରାଙ୍କିଙ୍ଗରେ ପ୍ରଥମଥର ପାଇଁ ୧ନଂ ସ୍ଥାନରେ ପହଞ୍ଚିଛି ପାକିସ୍ତାନ। ଶୁକ୍ରବାର ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଏପରି ସଫଳତା ହାସଲ କରିଛି। କେବଳ ପାକିସ୍ତାନ ନୁହେଁ ଦଳର ଅଧିନାୟକ ବାବର ଆଜମ ମଧ୍ୟ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି।

ସେ କରାଚିରେ ଖେଳା ଯାଇଥିବା ୪ର୍ଥ ଦିନିକିଆରେ ମ୍ୟାଚ୍‌ ୱିନିଂ ୧୧୭ ବଲରେ ୧୦୭ ରନର ଇନିଂସ ଖେଳିଛନ୍ତି। ବାବର ମଧ୍ୟ ୫୦୦୦ ରନ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟର ବନିଛନ୍ତି। ବାବରଙ୍କ ୧୦୭ ରନ ବଳରେ ପାକିସ୍ତାନ ୫୦ ଓଭରରେ ୩୩୪ ରନ କରିଥିଲା। ଏଥିସହ ମ୍ୟାଚ୍‌କୁ ୧୦୨ରେ କବଜା କରିଥିଲା।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଥିଲା। କିନ୍ତୁ ଏବେ ଦଳ ୧୧୩ ପଏଣ୍ଟ ସହ ଅଷ୍ଟ୍ରେଲିଆକୁ ଗୋଟିଏ ସ୍ଥାନ ତଳକୁ ଠେଲି ନଂ ୧ ଟିମ ବନି ଯାଇଛି। ଭାରତ ତୃତୀୟ ସ୍ଥାନରେ ରହିଛି। ତେବେ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଭାରତର ପଏଣ୍ଟ ସଂଖ୍ୟା ସମାନ ୧୧୩ ଲେଖାଏ ରହିଛି। ଇଂଲଣ୍ଡ ୪ ନଂରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୫ମ, ଦକ୍ଷିଣ ଆଫ୍ରିକା ୬ଷ୍ଠ, ବାଂଲାଦେଶ ୭ମ, ଶ୍ରୀଲଙ୍କା ୮ମ, ୱେଷ୍ଟଇଣ୍ଡିଜ ୯ମ ଓ ଆଫଗାନିସ୍ତାନ ୧୦ମ ସ୍ଥାନରେ ରହିଛି।

ବ୍ୟାଟିଂ ତାଲିକାର ୧ନଂରେ ବାବର ଆଜମ ୮୮୭ ପଏଣ୍ଟ ସହ ୧ନଂରେ ରହିଛନ୍ତି। ପାକିସ୍ତାନର ଅନ୍ୟତମ ବ୍ୟାଟର ଫକର ଜମାନ ୩ଟି ସ୍ଥାନ ଉପରକୁ ଉଠି ୨ନଂରେ, ୩ନଂରେ ଦକ୍ଷିଣ ଆଫ୍ରିକାର ରସି ଭାନ ଡେର ଡୁସେନ, ୪ର୍ଥରେ ଭାରତର ଶୁବମନ ଗିଲ, ୫ମରେ ପାକିସ୍ତାନ ଇମାମ ଉଲ ହକ, ୬ଷ୍ଠରେ ଡାଭିଡ ୱାର୍ଣ୍ଣର, ୭ମରେ ବିରାଟ କୋହଲି ୮ମରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ, ୯ମରେ ଭାରତର ଅଧିନାୟକ ରୋହିତ ଶର୍ମା ଓ ୧୦ମ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ରହିଛନ୍ତି।

ପାକିସ୍ତାନ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ଟିକିଆ ଦିନିକିଆ ସିରିଜ୍‌ରେ ୪-୦ ଲିଡ୍‌ରେ ରହିଛି। ଏଥିଯୋଗୁ କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ପାକିସ୍ତାନ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ପାକିସ୍ତାନ ୨୦୧୮ରେ ପ୍ରଥମ ଥର ପାଇଁ ରାଙ୍କିଙ୍ଗର ୩ୟ ସ୍ଥାନ ଓ ୨୦୨୨ ଜୁନରେ ପୁଣି ସମାନ ସ୍ଥାନରେ ପହଞ୍ଚିଥିଲା।

Related story