ପାକିସ୍ତାନ ପାଇଁ ଲଢ଼ିଲେ ସକୀଲ ଓ ଶଦାବ, ଦକ୍ଷିଣ ଆଫ୍ରିକାକୁ ୨୭୧ ରନର ଟାର୍ଗେଟ

୧୪୧ ରନ ଭିତରେ ଦଳର ଟପ୍‌ ୫ ବ୍ୟାଟରଙ୍କୁ ହରାଇ ସାରିଥିବା ପାକିସ୍ତାନ ନିର୍ଦ୍ଧାରିତ  ୪୬. ୪ ଓଭରରେ ସମସ୍ତ ୱିକେଟ ହରାଇ ୨୭୦ ରନ କରିନେଇଛି।

ଶଦାବ ଓ ସକୀଲ

  • Published: Friday, 27 October 2023
  • , Updated: 27 October 2023, 05:56 PM IST

ଚଳିତ ବିଶ୍ୱକପର କର ବା ମର ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଶେଷ ଭାଗରେ କିଛିଟା କମବ୍ୟାକ କରିଛି। ୧୪୧ ରନ ଭିତରେ ଦଳର ଟପ୍‌ ୫ ବ୍ୟାଟରଙ୍କୁ ହରାଇ ସାରିଥିବା ପାକିସ୍ତାନ ନିର୍ଦ୍ଧାରିତ  ୪୬. ୪ ଓଭରରେ ସମସ୍ତ ୱିକେଟ ହରାଇ ୨୭୦ ରନ କରିନେଇଛି।

ଏବେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୭୧ ରନର ଟାର୍ଗେଟ ମିଳିଛି। ପାକିସ୍ତାନ ଯଦି ପୂରା ୫୦ ଓଭର ଖେଳି ଥାଆନ୍ତା, ତା’ହେଲେ ଆଉ କିଛି ସ୍କୋର କରିବାକୁ ସକ୍ଷମ ହୋଇ ଥାଆନ୍ତା। କିନ୍ତୁ ଶେଷ ଭାଗରେ ମଧ୍ୟ ଦଳ ଶୀଘ୍ରଶୀଘ୍ର ୱିକେଟ ହରାଇଛି। 

ପାକିସ୍ତାନ ପାଇଁ ଯୁବ ତାରକା ସୌଦ ସକୀଲ ଓ ଅଲରାଉଣ୍ଡର ଶଦାବ ଖାନ ୬ଷ୍ଠ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଛନ୍ତି। ସେହିପରି ମହମ୍ମଦ ନୱାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୨୪ ରନ ଇନିଂସ ଖେଳିବାରୁ ପାକିସ୍ତାନ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି।

ଚେନ୍ନାଇର ଚେପକରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ମାତ୍ର ୨୦ ରନରେ ଓପନର ଅବଦୁଲ୍ଲା ଶଫିକ(୯)ଙ୍କୁ ହରାଇଥିଲା। ଏହାପରେ ଦଳୀୟ ସ୍କୋର ୩୮ ଥିବା ବେଳେ ଇମାମ ଉଲ ହକ ୧୨ ରନ କରି ଆଉଟ ହୋଇଥିଲେ। ଉଭୟଙ୍କ ୱିକେଟ ଜବରଦସ୍ତ ଫର୍ମରେ ଥିବା ଦକ୍ଷିଣ ଆଫ୍ରିକାର ବାମହାତୀ ଦ୍ରୁତ ବୋଲର ମାର୍କୋ ୟାନସେନ ନେଇଥିଲେ।

୩୮ ରନରେ ୨ ୱିକେଟ ହରାଇଥିବା ପାକିସ୍ତାନକୁ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ରିଜୱାନ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୩୮ରୁ ନେଇ ୮୬ରେ ମଧ୍ୟ ପହଞ୍ଚାଇ ଦେଇଥିଲେ। କିନ୍ତୁ ୨୭ ବଲରେ ୩୧ ରନ କରିଥିବା ରିଜୱାନକୁ ଗେରାଲ୍ଡ କୋଏଜେ ଆଉଟ କରି ପାକିସ୍ତାନକୁ ତୃତୀୟ ଝଟକା ଦେଇଥିଲେ।

ଏହାପରେ ବାବରଙ୍କ ସହ ଯୋଗ ଦେଇଥିଲେ ଇଫତକାର ଅହମଦ। ସେ ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ବେଶୀ ସମୟ କ୍ରିଜ୍‌ରେ ରହି ପାରି ନଥିଲେ। ଦଳୀୟ ସ୍କୋର ୧୨୯ ଥିବା ବେଳେ ୨୧ ରନ କରିଥିବା ଇଫତକାରଙ୍କୁ ତାବ୍ରାଇଜ ଶାମସି ପ୍ୟାଭିଲିୟନ ପଠାଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ହେଁ ବାବର ସଂଘର୍ଷ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଚଳିତ ବିଶ୍ୱକପରେ ଏହା ତାଙ୍କର କ୍ରମାଗତ ୨ ଦ୍ୱିତୀୟ ଓ ମୋଟ ଉପରେ ତୃତୀୟ ଅର୍ଦ୍ଧଶତକ। ସେ ୫୦ ରନ କରି କ୍ରିଜ୍‌ରେ ସେଟ ହୋଇ ସାରିଥିବାରୁ ତାଙ୍କ ଠାରୁ ଦଳ ବଡ଼ ଇନିଂସ ଆଶା କରିଥିଲା। କିନ୍ତୁ ସେ ସମାନ ୫୦ ରନରେ ଶାମସିଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ପାକିସ୍ତାନ ୫ମ ୱିକେଟ ୧୪୧ ରନରେ ହରାଇଥିଲା।

ଲାଗୁଥିଲା ପାକିସ୍ତାନ ୨୦୦ ରନ ଭିତରେ ଅଲଆଉଟ ହୋଇଯିବ। କିନ୍ତୁ ଏତିକି ବେଳେ ସକୀଲ ଓ ଶଦାବ ଦମଦାର ବ୍ୟାଟିଂ କରିଥିଲେ। ଉଭୟ କେବଳ ୱିକେଟ ବଞ୍ଚାଇ ନଥିଲେ, ବରଂ ବଡ଼ବଡ଼ ଶଟ ମଧ୍ୟ ଖେଳିଥିଲେ। ସକୀଲ ଓ ଶଦାବ ୬ଷ୍ଠ ୱିକେଟ ପାଇଁ ୮୪ ରନ ଯୋଡ଼ିଥିଲେ। ଶଦାବ ନିଜର ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ କୋଏଜେଙ୍କୁ ବଡ଼ ଶଟ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ ହୋଇଯାଇଥିଲେ।

କିନ୍ତୁ ସକୀଲ ବେଶ କିଛି ସମୟ ବ୍ୟାଟିଂ କରିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୨୪୦ ଥିବା ବେଳେ ସକୀଲ(୫୨)ଙ୍କୁ ଶାମସି ଆଉଟ କରି ପାକିସ୍ତାନକୁ ୭ମ ଝଟକା ଦେଇଥିଲେ। ଶାହୀନ ଶାହ ଆଫ୍ରିଦି ମାତ୍ର ୨ ରନ କରି ଶାମସିଙ୍କ ୪ର୍ଥ ଶିକାରୁ ବନିଥିଲେ।

ୱିକେଟ ଯାଉଥିଲେ ମଧ୍ୟ ମହମ୍ମଦ ନୱାଜ କିଛି ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୨୬୮ରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ୨୪ ବଲରେ ୨୪ ରନ କରିଥିବା ନୱାଜଙ୍କୁ ୟାନସେନ ଆଉଟ କରି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଥିଲେ।

୪୬ ଓଭର ଶେଷ ସୁଦ୍ଧା ପାକିସ୍ତାନ ୯ ୱିକେଟରେ ୨୬୮ ରନ କରି ନେଇଥିଲା। ଶେଷ ୱିକେଟ ପାଇଁ ମହମ୍ମଦ ୱାସିମ ଜୁନିୟର ଓ ହ୍ୟାରିସ ରୌଫ କିଛି ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୪୭ତମ ଓଭର ବୋଲିଂ କରିବାକୁ ଚେଷ୍ଟା କରୁଥିବା ଲୁଙ୍ଗି ଏନଗିଡି ଏହା କରାଇ ଦେଇଥିଲେ।

ସେ କ୍ରମାଗତ ଦୁଇଟି ୱାଇଡ ପକାଇଥିବା ବେଳେ ଓଭରର ୪ର୍ଥ ବଲରେ ୭ ରନ କରିଥିବା ୱାସିମଙ୍କୁ ଆଉଟ କରି ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ପାକିସ୍ତାନ ୨୭୦ରେ ଅଲଆଉଟ ହେବାରୁ ଦକ୍ଷିଣ ଆଫ୍ରିକାକୁ ୨୭୧ ରନର ଟାର୍ଗେଟ ମିଳିଛି।  

ଦକ୍ଷିଣ ଆଫ୍ରିକା ପକ୍ଷରୁ ଶାମସି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୟାନସେନ ୩ଟି, କୋଏଜେଙ୍କୁ ୨ଟି ଓ ଏନଗିଡି ଗୋଟିଏ ସଫଳତା ପାଇଛନ୍ତି। 

Related story